ମନ୍ତ୍ରୀଙ୍କ କାଳବୈଶାଖୀ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ : "ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ'
ବାରିପଦା: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରିଥିଲେ । ପ୍ରବଳ କୁଆପଥର ଝଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ବାଙ୍ଗରିପୋଷୀ ବ୍ଲକର ସୋରାସପୋଷି, ହାଣଦା, ମହୁଲବରେଇ, ସିଲପୁଞ୍ଜି, ମଣଦା ଆଦି ଗାଁ ଏବଂ ବିଶୋଇ ବ୍ଲକର ଖଡମବେଡା, ପୁଣ୍ଡିଦା, କେଶରଗଡିଆ, ସାରସପଡା, ମୂଷାମାରି, ଯୋଡ଼ିଆ ଇତ୍ୟାଦି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ପ୍ରକୃତିର ତାଣ୍ଡବ ଲୀଳାର ଭୟଙ୍କର ପରିସ୍ଥିତିକୁ ଅନୁମେୟ କରିଥିଲେ । ଏହି ଅଭାବନୀୟ ପରିସ୍ଥିତିର ନିରୀକ୍ଷଣ ଅବସରରେ ରାଜସ୍ୱ ମନ୍ତ୍ରୀଙ୍କ ସହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ,ବିଧାୟକ ଭାଦବ ହାଁସଦା, ବିଧାୟକ ପଦ୍ମ ଚରଣ ହାଇବୁରୁ,ବିଧାୟକ ଜଲେନ ନାଏକ, ବିଧାୟିକା ସଂଞ୍ଜଳି ମୁର୍ମୁଙ୍କ ସହ ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଜିଲ୍ଲା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଭାତ କୁମାର ବେହେରା, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳଈଶ୍ୱର ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ, ବାରିପଦା ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡା, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାମ ଚନ୍ଦ୍ର ସୋରେନ, କାନ୍ଦ୍ରା ସୋରେନ ଏବଂ ବିଭିନ୍ନ ପଦାଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଶାସନ ତରଫରୁ ଆବଶ୍ୟକ ସରକାରୀ ସହାୟତା ଯଥା ପଲିଥିନ, ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଶିଶୁ ଖାଦ୍ୟ, ପିଇବା ପାଣି, ଔଷଧ ଇତ୍ୟାଦି ମିଳିଛି କି ନାହିଁ ପଚାରି ବୁଝିଥିଲେ । ଲୋକମାନଙ୍କ ଏହି ଦୁଃଖଦ ପରିସ୍ଥିତି ପାଇଁ ସରକାର ସମ୍ପୂର୍ଣ୍ଣ ସମ୍ବେଦନଶୀଳ ଅଛନ୍ତି ବୋଲି କହିଥିଲେ । ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସରକାରୀ ସହାୟତା ତଥା କ୍ଷତିପୂରଣ ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ପ୍ରଭାବିତ ଲୋକଙ୍କୁ ସାନ୍ତ୍ୱନା ଦେଇଥିଲେ । କ୍ଷତିଗ୍ରସ୍ତ ଲୋକ ଯେମିତି କ୍ଷତି ପୂରଣ ପାଇବାରୁ ବାଦ ନ ପଡନ୍ତି ସେଥିପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ କହିଥିଲେ । ଏତଦ ବ୍ୟତୀତ ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ପ୍ରଭାବିତ ଲୋକମାନେ ଚାହିଁଲେ ଶେଲଟର ସେଣ୍ଟରରେ ରହି ପାରିବେ ଏବଂ ସମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ ।