ମା’ଦୁର୍ଗା ଓ ନାରୀଜାତି

ପୁଷ୍ପମିତ୍ର ମହାପାତ୍ର : ‘ମା’- ଶବ୍ଦରେ ଭରିରହିଛି ଅମୃତର ଉତ୍ସ୍ୱାସ । ଯୁଗ ଯୁଗ ଧରି ସ୍ମରଣ କରିଛନ୍ତି ତେବତା, ଦାନବ ଆଉ ମାନବ । ମା’ ବାରମ୍ବାର ଆବିର୍ଭୁତା ହୁଅନ୍ତି ସନ୍ତାନର ଅକୁଳ ପ୍ରାର୍ଥନାରେ । ମା’ର ଇଚ୍ଛା ସଦା ପୂର୍ଣ୍ଣହୁଏ । ସେ ଶକ୍ତିସ୍ୱରୂପିଣୀ । ପ୍ରତିଟି ଅଣୁ ପରମାଣୁ, ଜଡ଼ ଚେତନରେ ସେ ଶକ୍ତି ରୂପେ ବିରାଜିତା । ଏ ଶରୀର ମଧ୍ୟ ଶକ୍ତି ବିନା ଜଡ଼ । ଶକ୍ତିକୁ ବାଦ ଦେଲେ ଜୀବ ଶବରେ ପରିଣତ ହୁଏ । ଶକ୍ତି, ଜଡ଼ରେ ଚୈତନ୍ୟସତ୍ତା ଆଣେ । ଦେବତାମାନଙ୍କ ତେଜରୁ ସୃଷ୍ଟ ଦେବୀ ତେଜସ୍ୱିନୀ ହୋଇ ଉଠିଲେ । ଗୋଟି ଗୋଟି କରି ରାକ୍ଷସମାନଙ୍କ ସହ ତାଙ୍କ ସୈନ୍ୟସାମନ୍ତଙ୍କୁ ବିନାଶ କରିବାରେ ଲାଗିଲେ । କ୍ରମାନ୍ୱୟରେ ମହିଷାସୁର, ଧୂମ୍ରଲୋଚନ, ଚଣ୍ଡ, ମୁଣ୍ଡ, ରକ୍ତବୀର୍ଯ୍ୟ, ନିଶୁମ୍ଭ ଓ ଶୁମ୍ଭଆଦି ରାକ୍ଷସମାନଙ୍କୁ ବଧ କରି ଶାନ୍ତି ପ୍ରତିଷ୍ଠା କରିବାରେ ମା’ଙ୍କ ଭୂମିକା ଅତୁଳନୀୟ । ଚଣ୍ଡ-ମୁଣ୍ଡ ଥିଲେ ମହିଷାସୁରର ଚର । ଚଣ୍ଡ-ମୁଣ୍ଡ ଦେବୀ ଦୁର୍ଗାଙ୍କୁ ସୁନ୍ଦରୀ ନାରୀରୂପରେ ଦର୍ଶନ କରି ମହିଷାସୁରକୁ ସମ୍ବାଦ ଦେଇଥିଲେ ଯେ ଏପରି ସୁନ୍ଦରୀ ନାରୀ ହିଁ ଆପଣଙ୍କ ଭୋଗ୍ୟା ହେବା ଉଚିତ୍ । ନାରୀର ରୂପବର୍ଣ୍ଣନା ଶୁଣି ମହିଷାସୁର ଚଣ୍ଡ-ମୁଣ୍ଡଙ୍କୁ ପୁନର୍ବାର ପ୍ରେରଣକଲା ସୁନ୍ଦରୀକୁ ଡକାଇ ଆଣିବା ପାଇଁ । ହେଲେ ନାରୀର ଥିଲା ଅଦ୍ଭୁତ ସର୍ତ୍ତ । ‘ଯୋ ମାଂ ଜୟତି ସଂଗ୍ରାମେ ଯୋମେ ଦର୍ପଂ ବ୍ୟପୋହତି । ଯୋ ମେ ପ୍ରତିବଳୋ ଲୋକେ ସମେ ଭର୍ତ୍ତା ଭବିଷ୍ୟତି ।ା’ ଅର୍ଥାତ୍ ଯେ ମୋତେ ସଂଗ୍ରାମରେ ଜୟକରି, ମୋର ଦର୍ପକୁ ବିନାଶ କରିବ ଏବଂ ମୋ ସହିତ ଯାହାର ବଳ ସମକକ୍ଷ ହେବ ସେ ହିଁ ମୋତେ ବିବାହ କରିବ । ଏଭଳି ସର୍ତ୍ତଶୁଣି ମହିଷାସୁର ପରିହାସ କରିଥିଲା । ଚଣ୍ଡ-ମୁଣ୍ଡଙ୍କ ଜରିଆରେ ଭୋଗକରିବାକୁ ସ୍ୱପ୍ନଦେଖିବା ବେଳେ ସେମାନଙ୍କର ଧ୍ୱଂସ ହୋଇଯାଇଥିଲା । ପରେ ପରେ ପ୍ରେରଣକଲା ରକ୍ତବୀଜକୁ । ଯାହାର ରକ୍ତ ବୀର୍ଯ୍ୟପରି କ୍ରିୟାଶୀଳ । ଭୂଭାଗରେ ବୁନ୍ଦାଏ ରକ୍ତ ପଡ଼ିଲେ ଅପରୂପ ଭାବରେ ଅସୁରଟିଏ ସୃଷ୍ଟି ହୋଇଯାଉଥିଲା । ଦେବୀ ତାକୁ ମଧ୍ୟ ବିନାଶ କଲେ । ଶେଷରେ ମହିଷାସୁରକୁ ମଧ୍ୟ ବିନାଶ କଲେ । ଦେବତାମାନେ ପ୍ରାର୍ଥନାରେ ଦେବୀଙ୍କୁ ଅନେକ ଭାବରେ ପ୍ରାପ୍ତି ହେବାର ବର୍ଣ୍ଣନା ମଧ୍ୟରେ ଏକ ସମ୍ପ୍ରତି ସମାଜୋପଯୋଗୀ ସନ୍ଦେଶଟିଏ ଦେଇଯାଇଥିଲେ । ‘ବିଦ୍ୟା ସମସ୍ତାସ୍ତବ ଦେବି ଭେଦାଃ ସ୍ତ୍ରୀୟଃ ସମସ୍ତଃ ସକଳା ଜଗତ୍ସୁ...’ ଅର୍ଥାତ୍ ପ୍ରତିଟି ନାରୀ ହେଉଛନ୍ତି ଦେବୀଙ୍କର ନାନାରୂପ । ନାରୀ ଜାତିର ମହନୀୟତା ହିଁ ଏଥିରେ ପ୍ରତିପାଦିତ ହୁଏ ।
ମୋ : ୯୪୩୭୨୨୫୬୮୯