ନାବାଳିକା ଅପହରଣ ଘଟଣା : ଉଦ୍ଧାର ଦାବିକରି ଥାନା ଆଗରେ ଅନଶନ
ରାଜନଗର : : ନାବାଳିକା ଅପହରଣକୁ ଅଢେଇମାସ ବିତିଲାଣି । ଏପର୍ଯ୍ୟନ୍ତ ପୁଲିସ ପ୍ରଶାସନ ତାକୁ ଉଦ୍ଧାର କରି ପାରିନଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ରାଜନଗର ଥାନା ସମ୍ମୁଖରେ ନାବାଳିକାର ପରିବାର ଓ ଗାଁଲୋକେ ଅନଶନରେ ବସିଥିଲେ । ଥାନାଧିକାରୀ ନରେଶକୁମାର ସାହୁ ପହଞ୍ଚô ନାବାଳିକା ଓ ଅପହରଣ କରିଥିବା ଯୁବକର ମୋବାଇଲ ନଥିବାରୁ ସେମାନଙ୍କୁ ଠାବ କରିବା କଷ୍ଟକର ହେଉଛି । ଏହାପରେ ଅନଶନରତ ମହିଳାମାନେ ସମ୍ପୃକ୍ତ ନାବାଳିକାକୁ ସପ୍ତାହକ ମଧ୍ୟରେ ଉଦ୍ଧାର କରିବାକୁ ଜିଦ୍ ଧରିଥିଲେ । ଥାନାଧିକାରୀ ଶ୍ରୀ ସାହୁ ସପ୍ତାହକ ମଧ୍ୟରେ ନାବାଳିକାକୁ ଉଦ୍ଧାର କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା । ସୂଚନା ଥାଉକି, ରାଜନଗର ବ୍ଲକ ସାତଭାୟା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ଚଳିତ ବର୍ଷ ମାର୍ଚ୍ଚ୨୦ତାରିଖ ଦିନ ନାବାଳିକାର ପିତା ରାଜନଗର ଥାନାରେ ଅଭିଯୋଗ କରିଥିଲେ । ସେହି ଅଞ୍ଚଳର ଶିଶିର ଦଳାଇଙ୍କ ପୁଅ ରଞ୍ଜନ ଦଳାଇ ତାଙ୍କ ଝିଅକୁ ମାର୍ଚ୍ଚ ମାସ ୧୩ତାରିଖ ସନ୍ଧ୍ୟା ୭ଟା ସମୟରେ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ହେବାର ୧୫ଦିନ ବିତିବା ପରେ ବି ଝିଅ ନଫେରିବାରୁ ସେ ସଂପର୍କରେ ଚଳିତ ବର୍ଷ ଅପ୍ରେଲ ୩ତାରିଖ ଦିନ ନାବାଳିକାର ପିତା ରାଜନଗର ଥାନାଧିକାରୀଙ୍କୁ ଭେଟିଥିଲେ । ଏଥିରେ ସୁଫଳ ନପାଇ ନାବାଳିକାର ପିତା କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଝିଅକୁ ଉଦ୍ଧାର କରିବା ପାଇଁ ଲିଖିତ ଭାବେ ଜଣାଇଥିଲେ । ଅପରପକ୍ଷରେ ରାଜନଗର ଥାନା କେଶ ନଂ- ୯୪/୨୫ରେ ସେକ୍ସନ ୧୩୭(୨)ରେ ଏକ ନିଖୋଜ ମାମଲା ପୁଲିସ ରୁଜୁ କରିଥିଲା ।