ମୁନେ୍ଦ ପାଣି ପାଇଁ ଡହଳ ବିକଳ 

 କାକଟପୁର : ଖରାରେ ପାଣି ମିନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏହା କୌଣସି ଅଧୁ୍ୟଷିତ ଅଂଚଳର କଥା ନୁହେଁ ଏହା ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ଆଦିକନ୍ଦପୁର ଗ୍ରାମର । ଯେଉଁଠି ବାସକରୁଛନ୍ତି ୨୫ ବ୍ରାହ୍ମଣ ପରିବାର । ଦୀର୍ଘ ଦିନ ଧରି ଗ୍ରାମ ପାଣି ସମସ୍ୟା ଲାଗି ରହିଥିବା ବେଳେ ପ୍ରଶାସନ ଦ୍ୱାରା କିଛି ସ୍ଥାୟୀ ସମାଧାନ କରାନଯିବାରୁ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ ।
ଗ୍ରାମରେ ଅନେକ ନଳକୂପ ଅଛି କିନ୍ତୁ ସେ ସବୁରୁ  ଆଇରନ ମିଶା ଲୁଣି ପାଣି ବାହାରୁ ଥିବାରୁ ପାଇପ ସପ୍ଲାଇ ଏବଂ ଗ୍ରାମ ରେ ଥିବା ଏକ ମାତ୍ର ପୋଖରୀ ଉପରେ ସମସ୍ତେ ନିର୍ଭର କରିଥାନ୍ତି । କିନ୍ତୁ ବିଡମ୍ବନାର ବିଷୟ କି, ଗ୍ରାମକୁ ପିଇବା ପାଣି ରେଗୁଲାର ଯାଉ ନ ଥିବା ବେଳେ, ପୋଖରୀଟି ସମ୍ପୂର୍ଣ ଅଳିଆ ଏବଂ ଘାସ ଲଟାରେ ପରିପୂର୍ଣ୍ଣ ହୋଇ ଅଦରକାରୀ ହୋଇପଡିଛି । ଗାଧେଇବା ଶୌଚ ହେବା ପାଇଁ ପାଣି ଟୋପେ ନ ପାଇ ହନ୍ତସନ୍ତ ହେଉଛନ୍ତି । ପୋଖରୀଟି ପ୍ରତି ତିନି ବର୍ଷରେ ପଂଚାୟତ ତରଫରୁ ନିଲାମ ଡକାଯାଉଥିଲେ ମଧ୍ୟ ରକ୍ଷଣା ବେକ୍ଷଣ ପାଇଁ କିଛି ପଦକ୍ଷେପ ନେଉନାହିଁ । ଯାହାଫଳରେ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ତୁରନ୍ତ ଏହି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରି ପିଇବା ପାଣି ନିୟମିତ କରିବା ସହିତ ପୋଖରୀ ଟିକୁ ସଫା କରି ଖନନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।