ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଘଟଣାସ୍ଥଳରେ ବାପ-ପୁଅ ମୃତ, ଚିକିତ୍ସାଧୀନ ଅବସ୍ଥାରେ ଝିଅ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଘଟଣାସ୍ଥଳରେ ବାପ-ପୁଅ  ମୃତ, ଚିକିତ୍ସାଧୀନ ଅବସ୍ଥାରେ ଝିଅ  ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ନୂଆ ଦେହେଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌ ଓ ପିକଅପର ମୁହାଁମୁହିଁ ଧକ୍କା ଫଳରେ ତେର୍ଲୋ ଗ୍ରାମର ଗୋଟିଏ ପରିବାରର ବାପା ଓ ପୁଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମା ଓ ଝିଅ ଗୁରୁତର ଆହତ ହୋଇଥିଲେ । ହେଲେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଝିଅର ମଧ୍ୟ ମୃତ୍ୟୁ ହୋଇଥିବା ଜଣାଯାଇଛି । ସେହିପରି ମା'ଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । 

ସୂଚନା ଅନୁଯାୟୀ, ନର୍ଲା ବ୍ଲକ୍‌ ବାଲସିଙ୍ଗା ପଞ୍ଚାୟତ ଅଧିନ ତେର୍ଲୋ ଗ୍ରାମର ବୁଧ ବାରିକ, ପୁଅ ଆରବ, ମାଆ ଓ ଝିଅ ବାଇକ ଯୋଗେ ନର୍ଲା ପଟଦେଇ ଆସୁଥିଲେ । ଦ୍ରୁତ ଗତିରେ ଯାଉଥିବା ଏକ ପିକଅପ ଭ୍ୟାନ ସାମ୍ନା ପଟୁ ଆସି ବାଇକକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବାଇକ ଚାଳକ ବୁଧ ବାରିକ ଓ ପୁଅ ଆରବଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଓ ମା' ଗୁରୁତର ହୋଇଥିଲେ । ସ୍ଥାନୀୟଲୋକେ ଆମ୍ବୁଲାନ୍ସ ଯୋଗେ ନର୍ଲା ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ । ହେଲେ ସେଠାରେ ଝିଅଟିର ମୃତ୍ୟୁ ହୋଇଥିଲା । ମାଆଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛନ୍ତି । ନର୍ଲା ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଛି । ତେବେ ପୁଲିସ ଦୁର୍ଘଟଣା ଘଟାଇଥିବା ଆନ୍ଧ୍ର ପିକ୍‌ଅପ୍‌ ଭ୍ୟାନଟିକୁ ଜବତ କରିଛି । ଅନ୍ୟପଟେ ପରିବାରବର୍ଗ ଓ ଉତ୍ୟକ୍ତ ଜନତା କ୍ଷତିପୂରଣ ଦାବିରେ ମୃତ ଶରୀରକୁ ରଖି ରାସ୍ତା ଅବରୋଧ କରିଛନ୍ତି ।