ମହାବିଷୁବ ମିଳନ ମହୋତ୍ସବ : ‘ଓଡିଶାର ସଂସ୍କୃତି ଓ ଐତିହ୍ୟ ବିଶ୍ୱରେ ଅନନ୍ୟ’

 ଅନୁଗୁଳ : ଅନୁଗୁଳର ଅନ୍ୟତମ ଅଗ୍ରଣୀ ସେବା -ସାଂସ୍କୃତିକ ଅନୁଷ୍ଠାନ ଆମ ସଂସ୍କୃତି ପକ୍ଷରୁ ଓଡ଼ିଆ ନବବର୍ଷ ଓ ମହାବିଷୁବ ମିଳନ ମହୋତ୍ସବ ସ୍ଥାନୀୟ ସଭାଘର ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆମ ସଂସ୍କୃତି ଅନୁଷ୍ଠାନର ସଭାପତି ଆଇନଜୀବୀ ଦ୍ୱାରିକା ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ତଥା ଗାନ୍ଧୀବାଦୀ ନେତ୍ରୀ କ୍ରିଷ୍ଣା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସାରା ବିଶ୍ୱରେ ଅନନ୍ୟ, ଅତୁଳନୀୟ ଓ ସର୍ବବିଦିତ । ଭାଷା ଆନେ୍ଦାଳନ ଯୋଗୁଁ ଆଜି ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇପାରିଛି । ଶାସ୍ତ୍ରୀୟ ଭାଷାକୁ ଧ୍ୟାନ ଦେବାକୁ ପଡିବ ଏବଂ ନିଜର ମାତୃଭାଷାକୁ ବଞ୍ଚାଇ ରଖିବା ସହିତ ମାର୍ଜିତ କରିବା ଆବଶ୍ୟକ ବୋଲି ନିଜର ଅଭିଭାଷଣରେ ମତପ୍ରକାଶ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଅନୁଗୋଳ ସରକାରୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସାର ଯୋଗ ଦେଇଥିବାବେଳେ ବରିଷ୍ଠ ଆଇନଜୀବୀ ପରମାନନ୍ଦ ମିଶ୍ର ଓ ଅଧ୍ୟାପକ କୁଳମଣି ନାଏ କ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସମ୍ପର୍କରରେ ଆଲୋକପାତ କରିଥିଲେ । ଉତ୍ସବରେ ବିଶିଷ୍ଟ କଣ୍ଠଶିଳ୍ପୀ ସରୋଜ ସାହୁ ଓ ଚଣ୍ଡିକା ପ୍ରସାଦ ନନ୍ଦଙ୍କ ନିଦେ୍ର୍ଦଶନାରେ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନୃତ୍ୟଗୁରୁ ଅନିତା ରାଜଗୁରୁଙ୍କ ନୃତ୍ୟାଣୀ ଓ ନୃତ୍ୟ ଶ୍ରୀଧାରା ଅନୁଷ୍ଠାନ ପକ୍ଷରୁ ଓଡିଶୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ଅନୁଗୋଳରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇକୋ ପାର୍କ ସ୍ଥିତ ଓମ ବିଦ୍ୟା ଭାରତୀ ସାମୂହିକ ଆବାସିକ ମହାବିଦ୍ୟାଳୟ ଓ ଶୁଶୁଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର ଉପସଭାପତି ରାମକୃଷ୍ଣ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ବସନ୍ତ କୁମାର ଦାସ ଧନ୍ୟବାଦ ଦେଇଥିଲେ ।