ନିର୍ମାଣ ହେବ କେନ୍ଦୁଢିପ ଓଭର୍ବ୍ରିଜ

 ଯଖପୁରା,: ଗମନା ଗମନର ସୁବ୍ୟବସ୍ଥା କରିବା ସରକାରଙ୍କ କର୍ତ୍ତବ୍ୟ । ଗମନା ଗମନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗୁରୁତ୍ତ୍ୱ ଦେଉଛନ୍ତି । କିନ୍ତୁ ସମନ୍ୱୟ ହେଉ କି ଆନ୍ତରିକତା ଅଭାବରୁ ପୂର୍ବତଟ ରେଳ ବିଭାଗ ପାଇଁ କେନ୍ଦୁଢିପ୍ ରେଳ ଫାଟକ ପାଇଁ ଜନତା ଭୋଗୁଥିବା ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ । 
ପ୍ରତିଶ୍ରୁତି ମିଳୁଛି କିନ୍ତୁ ସମାଧାନ ହୋଇପାରୁ ନାହିଁ । ସେମିତି ଏକ ଜଟିଳ ସମସ୍ୟା ଦେଖିବାକୁ ମିଳୁଛି ଦାନଗଦୀ ବ୍ଲକ୍ ଅଧୀନସ୍ଥ ମାଣତୀରା ପଞ୍ଚାୟତର କେନ୍ଦୁଢିପ ଗ୍ରାମରେ । କେନ୍ଦୁଢିପ ଗ୍ରାମ ମଧ୍ୟ ଦେଇ ଅତିକ୍ରମ କରିଛି ପୂର୍ବତଟ ରେଳ ଧାରଣା । ରେଳ ଧାରଣା ପାଇଁ ଗ୍ରାମବାସୀ ଭୋଗୁଛନ୍ତି ଯନ୍ତ୍ରଣା । ଗ୍ରାମ ମଧ୍ୟ ଦେଇ ରେଳ ଧାରଣା ଅତିକ୍ରମ କରିବା ଦ୍ୱାରା ଗ୍ରାମଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଫଳରେ ରେଳ ଧାରଣାର ଉଭୟ ପାର୍ଶ୍ୱରେ ଥିବା ସାଧାରଣ ଲୋକ ଭୋଗୁଛନ୍ତି ବିଭିନ୍ନ ସମସ୍ୟା । ତା ସହିତ ଏହି ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଯିବା ଆସିବା କରନ୍ତି । ଏହା ଏକ ମୁଖ୍ୟ ରାସ୍ତା ହୋଇଥିବାରୁ ତିନୋଟି ନିର୍ବାଚନମଣ୍ଡଳୀର ଲୋକ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି । ଏହି ରାସ୍ତା ଦେଇ ଯିବାକୁ ହେଲେ ଅତିକ୍ରମ କରିବାକୁ ପଡ଼ିବ କେନ୍ଦୁଢିପ ରେଳ ଫାଟକ । ପ୍ରତି ଦଶ ପନ୍ଦର ମିନିଟ୍ରେ ରେଳଗାଡ଼ି ଆସୁଥିବାରୁ ଫାଟକ ଟି ଅନେକ ସମୟରେ ବନ୍ଦ ରହୁଛି । ଫଳରେ ଏହି ରାସ୍ତା ଦେଇ ଯାଉଥିବା ପଥଚାରୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରେଳ ଫାଟକ ନିକଟରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । ସାଧାରଣ ଲୋକ ଠିକ୍ ସମୟରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରୁ ନାହାନ୍ତି । ଏହି ରାସ୍ତାଟି ୧୬ ନମ୍ବର ଜାତୀୟ ରାଜପଥ ଠାରୁ ଆରମ୍ଭ ୫୩ ନମ୍ବର ଜାତୀୟ ରାଜପଥକୁ ସଂଲଗ୍ନ ହୋଇଛି । ଫଳରେ ରାସ୍ତାର ଗୁରୁତ୍ୱ ଅଧିକ ରହିଛି । ପୁଣି କଳିଙ୍ଗନଗର ଶିଳ୍ପାଞ୍ଚଳକୁ ପ୍ରତି ଦିନ ଏହି ରାସ୍ତାରେ ଶହ ଶହ ଲୋକ ଯିବା ଆସିବା କରିଥାନ୍ତି । ଗାଈ ଗୋରୁ ସବୁ ଏହି ରେଳ ଫାଟକ ଅତିକ୍ରମ କରି ଯିବାକୁ ପଡୁଛି । ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ସ୍କୁଲ କଲେଜ ପିଲା ସବୁ ଯିବା ସମୟରେ ରେଳ ଫାଟକ ନିକଟରେ ଅପେକ୍ଷା କରି ଠିକ୍ ସମୟରେ ସ୍କୁଲ କଲେଜରେ ପହଞ୍ଚିପାରୁ ନାହାଁନ୍ତି । ସେହିପରି ଦମକଳ ହେଉ ଅଥବା ଆମ୍ବୁଲାନ୍ସ ଗାଡ଼ି ରୋଗୀ କି ଧରି ଅପେକ୍ଷା କରିବାକୁ ପଡୁଛି । ଜରୁରୀ କାଳୀନ ସେବା ପାଇଁ ରେଳ ଫାଟକ ସମସ୍ୟା ସାଜିଛି । ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଏହାର ସ୍ଥାୟୀ ସମାଧାନ ପାଇଁ ଆଖପାଖ ସାତ ଆଠ ପଞ୍ଚାୟତର ଜନ ପ୍ରତିନିଧି ମାନେ ଏକ କମିଟି ଗଠନ କରିଥିଲେ । ଏହି କମିଟି ଉକ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସେତେ ବେଳର ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଓ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ସାଂସଦ ମଧ୍ୟ ଏହାକୁ ଗୁରୁତର ସହିତ ନେଇ ପୂର୍ବତଟ ରେଳ ବିଭାଗ ସହିତ ଯୋଗାଯୋଗ କରିଥିଲେ । ପୂର୍ବତଟ ରେଳ ବିଭାଗର ମୁଖ୍ୟ ମ୍ୟାନେଜର ବିଦ୍ୟାଭୂଷଣ ୧୯/୫/୨୧ ମସିହାରେ ଚିଠି ନମ୍ବର ୨୪୩/ଏମପି /୨୧କରି ସାଂସଦଙ୍କୁ ଜଣାଇଥିଲେ କି କେନ୍ଦୁଢିପ ରେଳ ଫାଟକ ଉପରେ ଏକ ଫୁଟ ଓଭର ବ୍ରିଜ ଓ ଖମ୍ବ ନମ୍ବର ୧୪୭ ରେ ଓଭର ବ୍ରିଜ ନିର୍ମାଣ କରାଯିବ । ମାତ୍ର ଚିଠି କରିବାର ତିନି ବର୍ଷ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଓଭର ବ୍ରିଜର କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଚିଠି କରିବା ପରେ ପରେ ରେଳ କତୃପକ୍ଷ ଓଭର ବ୍ରିଜ ପାଇଁ ଚିହ୍ନଟ ସ୍ଥାନକୁ ଭ୍ରମଣରେ ଆସିଥିଲେ । ସେବେଠୁ ଆଉ କୌଣସି ଅଧିକାରୀ ଆସି ନାହାଁନ୍ତି । ଯାହା ଏବେ ମଧ୍ୟ ସମସ୍ୟା ସମାଧାନ ହୋଇପାରି ନାହିଁ ।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ସାଧାରଣ ଲୋକ ସନ୍ଦିହାନ ହୋଇପଡିଛନ୍ତି । ମାତ୍ର ଇତି ମଧ୍ୟରେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇ ନୂତନ ସରକାର ଆସିଲାଣି । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଅଛିସେହି ଦୃଷ୍ଟିରୁ ସ୍ଥାନୀୟ ଲୋକ ବର୍ତମାନର ସୁକିନ୍ଦା ବିଧାୟକ ତଥା ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ଦାବି କରୁଛନ୍ତି କି ଉକ୍ତ ସମସ୍ୟାର ସ୍ଥାୟୀ ସମାଧାନ ପୂର୍ବକ କେନ୍ଦୁଢିପ ଓଭର ବ୍ରିଜକୁ ତ୍ୱରାନ୍ୱିତ କରିବେ ବୋଲି ଦାବି ରଖିଛନ୍ତି । ଦେଖାଯାଉ କେବେ ଏହି ସମସ୍ୟା ଦୂର ହେଉଛି ଆଉ ସ୍ଥାନୀୟ ବିଧାୟକ କେତେ ଗୁରୁତର ସହିତ ଏହାକୁ ନେଇ ସମସ୍ୟାର ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।