କ୍ରୁଟ୍ ମୁଖ୍ୟାଳୟରେ ମନ୍ତ୍ରୀଙ୍କ ଡିଜିଟାଲାଇଜେସନ୍ ସୁବିଧା ସମୀକ୍ଷା
ଭୁବନେଶ୍ୱର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର କ୍ରୁଟ୍ ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରି ଏହାର କାର୍ଯ୍ୟକ୍ଷେତ୍ର, ଆଗାମୀ ଦିନରେ ଆରମ୍ଭ ହେବାକୁ ଯାଉଥିବା ନୂତନ ସେବା ଓ ଯୋଜନାଗୁଡିକର ସମୀକ୍ଷା କରିଛନ୍ତି । ଭିତ୍ତିଭୂମି ବିକାଶ, ୮ଟି ନୂତନ ସହରରେ ଆମ ବସ୍ ସେବାର ସମ୍ପ୍ରସାରଣ ଏବଂ ଡିଜିଟାଲ ମାଧ୍ୟମରେ କିପରି ଅଧିକ ଯାତ୍ରୀ ଟିକେଟ କରିପାରିବେ ଏହା ଉପରେ ବ୍ୟାପକ ଆଲୋଚନା କରିଛନ୍ତି । କ୍ରୁଟ୍ ପରିଚାଳନା ନିଦେ୍ର୍ଦଶକ ଡା. ତିରୁମାଲା ନାୟକ କଟକର ନରାଜ, ଭୁବନେଶ୍ୱରର ପୋଖରୀପୁଟ, ରାଉରକେଲାର ଛେଣ୍ଡ, ବ୍ରହ୍ମପୁରର ହଳଦିଆପଦର ଏବଂ ସମ୍ବଲପୁରରେ ଇଲେକ୍ଟି୍ରକ୍ ଡିପୋ ନିର୍ମାଣର ଅଗ୍ରଗତି ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର, ବାରିପଦା, ଅନୁଗୁଳ ଏବଂ ଝାରସୁଗୁଡାରେ ଆମ ବସ୍ ସେବା ପରିଚାଳନା ପାଇଁ ସମ୍ପ୍ରସାରଣ ଯୋଜନା ବିଷୟରେ ବିସ୍ତୃତ ବିବରଣୀ ମଧ୍ୟ ପ୍ରଦାନ କରିଥିଲେ । ଗସ୍ତ ସମୟରେ, ଡକ୍ଟର ମହାପାତ୍ର କମାଣ୍ଡ ଆଣ୍ଡ୍ କଣ୍ଟ୍ରୋଲ ସେଣ୍ଟର ପରିଦର୍ଶନ କରିଥିଲେ । ସେ ସମନ୍ୱିତ ପ୍ରଯୁକ୍ତିବିଦ୍ୟା-ଆଧାରିତ କାର୍ଯ୍ୟଗୁଡିକୁ ପ୍ରଶଂସା କରିଥିଲେ । ମନ୍ତ୍ରୀ ଡିଜିଟାଲାଇଜେସନ୍ ପଦକ୍ଷେପଗୁଡିକର ସମୀକ୍ଷା ମଧ୍ୟ କରିଥିଲେ । ଏହି ବର୍ଷ ଶେଷ ସୁଦ୍ଧା ଅନ୍ଲାଇନ୍ ଟିକେଟିଂରେ ସମୁଦାୟ ଯାତ୍ରୀଙ୍କର ୫୦% ପର୍ଯ୍ୟନ୍ତ ଲକ୍ଷ୍ୟ ରଖି ଡିଜିଟାଲ୍ କାରବାର ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିଭଳି ସମସ୍ତ ସହରରେ ଡିଜିଟାଲ୍ ଆମ ବସ୍ ପାସ୍ ସୁବିଧା, ଏନ୍ସିଏମ୍ସି କାର୍ଡ ପ୍ରଚଳନ, ହ୍ୱାଟ୍ସଆପ୍ ଟିକେଟିଂ ସୁବିଧା, ଆଡଭାନ୍ସଡ ଡ୍ରାଇଭର୍ ଆସିଷ୍ଟାଣ୍ଟ ସିଷ୍ଟମ୍ର ବ୍ୟବହାର ସମେତ ଅନ୍ୟାନ୍ୟ ସୁବିଧା ଉପରେ ଆଲୋଚନା କରିଥିଲେ ।