ସାଧୁସନ୍ଥଙ୍କ ଆଧ୍ୟାତ୍ମିକ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର
' ପୁରୀକୁ ଯେତେ ସାଧୁସନ୍ଥ ଆସିଛନ୍ତି ସେମାନେ ନିଜ ଧର୍ମ, ମତବାଦ ଓ ସମ୍ପ୍ରଦାୟର ବାର୍ତ୍ତା ପ୍ରଚାର କରିବା ସହ ନିଜର ମଠ ମନ୍ଦିର ପ୍ରତିଷ୍ଠା କରିଛନ୍ତି । ଶ୍ରୀ ଜଗନ୍ନାଥ ଚେତନା ସମସ୍ତ ସମ୍ପ୍ରଦାୟର ଊଦ୍ଧ୍ୱର୍ରେ ସାମ୍ୟ ଓ ମୈତ୍ରୀର ଦେବତା ରୂପେ ଚିର ଉପାସିତ । ଅନେକ ସାଧୁସନ୍ଥ ମହାପ୍ରଭୁଙ୍କୁ ଦର୍ଶନ କରି ତାଙ୍କ ଚିନ୍ତା ଚେତନାରେ ନିଜକୁ ହଜାଇ ଦେଇଛନ୍ତି । ଏହି ଉପସ୍ଥାପନଟି ରଖିବାବେଳେ ଡକ୍ଟର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟଙ୍କ ମତାମତକୁ ଉଲ୍ଲେଖ କରୁଛୁ "ଜଗନ୍ନାଥ ଆପଣାର ବିପୁଳ ପ୍ରଭାବରେ ସକଳ ଧର୍ମ ମତବାଦକୁ ଓ ସମସ୍ତ ଆଚାର୍ଯ୍ୟଙ୍କୁ ନିଜର କରିନେଇ ଭାରତୀୟ ବୈଷ୍ଣବ ଧର୍ମ ଇତିହାସରେ ଆପଣାର ସୁବିପୁଳ ପ୍ରଭାବଶାଳୀ ଦୈବତ୍ୱ ମହିମାର ପରାକାଷ୍ଠା ପ୍ରଦର୍ଶନ କରି ସକଳ ଶ୍ରେଣୀର ହିନ୍ଦୁ ଜନତାକୁ ଆପଣାର କରି ନେଇଛନ୍ତି ।'
ପୁଷ୍ପମିତ୍ର ମହାପାତ୍ର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁଣ୍ୟ ପାବନ କ୍ଷେତ୍ର ଶ୍ରୀକ୍ଷେତ୍ରକୁ ଯୁଗ ଯୁଗ ଧରି ଅନେକ ସାଧୁ, ସନ୍ଥ, ଆଧ୍ୟାତ୍ମିକ ପରିବ୍ରାଜକ, ଭକ୍ତଙ୍କ ଆଗମନ ହୋଇଛି । ଭାରତର ପ୍ରମୁଖ ଚାରୋଟି ଧାମ ଭିତରୁ ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ ଅନ୍ୟତମ । ଜଗନ୍ନାଥ ଧର୍ମ, ଚେତନା ଓ ଜାତୀୟ ଭାବନା ସହିତ ଉଦାରବାଦ ଅନେକ ସାଧୁସନ୍ଥଙ୍କୁ ପ୍ରଭାବିତ କରିଛି । ଓଡ଼ିଆଙ୍କ ନିତ୍ୟ ପାରାୟଣ ଗ୍ରନ୍ଥ ଶ୍ରୀମଦ ଭାଗବତରେ ସ୍ୱୟଂ ଜଗନ୍ନାଥ ଦାସ ଉଲ୍ଲେଖ କରିଛନ୍ତି - "ଦେଖ ଏ ଯେତେ ନଦ ନଦୀ ପ୍ରବାହେ ମିଳନ୍ତି ଜଳଧି, ଲବଣ ଜଳେ ସେ ମିଶନ୍ତି ନିଜ ସ୍ୱଗୁଣ ପାସୋରନ୍ତି ।' ଯଥାର୍ଥରେ ସାଗର ଅଭିମୁଖେ ଧାବମାନ ନଦୀମାନେ ଯେପରି ଅନନ୍ତ ସାଗରର ଲବଣାକ୍ତ ଜଳ ଭିତରେ ନିଜର ସତ୍ତା ହରାଇ ବସିଥାନ୍ତି ଠିକ ସେହିପରି ଭାରତର ଅନେକ ଧର୍ମୀୟ ଚେତନା ସେ ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତ୍ୱବାଦ ହେଉ ବା ରାମାନୁଜଚାର୍ଯ୍ୟଙ୍କ ବିଶିଷ୍ଟାଦ୍ୱୈତ, ଶ୍ରୀ ଚୈତନ୍ୟଙ୍କ ଅଚିନ୍ତ୍ୟ ଭେଦଭାବ ହେଉ ବଲ୍ଲଭାଚାର୍ଯ୍ୟଙ୍କ ସୁଧାଦ୍ୱୈତ ସବୁର ମହାମିଳନ ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁଣ୍ୟ ପାବନ ଶ୍ରୀକ୍ଷେତ୍ର ଧାମରେ ।
"ପୁନରପି ଜନମଂ ପୁନରପି ମରଣଂ, ପୁରପି ଜନନୀ ଜଠରେ ଶୟନ. ଇହ ସଂସାରେ ବହୁ ଦୁସ୍ତରେ, କୃପାୟପାରେ ବହୁ ଦୁସ୍ତରେ, ଭଜ ଗୋବିନ୍ଦଂ ଭଜ ଗୋବିନ୍ଦଂ, ଭଜ ଗୋବିନ୍ଦଂ ମୂଢ଼ମତେ' - ଭାରତ ପ୍ରଖ୍ୟାତ ଓ ଆତ୍ମ ଅନୁଚିନ୍ତନର ସୁବିଖ୍ୟାତ ଗ୍ରନ୍ଥ ଭଜ ଗୋବିନ୍ଦମଂ ସ୍ରଷ୍ଟା ଆଦିଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ରରେ ପଦାର୍ପଣ କରିଥିଲେ ସପ୍ତମ ଶତାବ୍ଦୀର ଶେଷ ଭାଗ ସମୟରେ । ଭାରତର ବଦ୍ରିନାଥ, ଦ୍ୱାରକାନାଥ ଓ ଶୃଙ୍ଗେରି ପରେ ତାଙ୍କର ପୁରୀ ଆଗମନ ହୋଇଥିଲା । ସେ ଶ୍ରୀଜଗନ୍ନାଥ ଓ ଗୀତାର ପୁରୁଷୋତ୍ତମଙ୍କ ଭିତରେ କୌଣସି ତାରତମ୍ୟ ନଥିଲା ବୋଲି ଅନୁଭବ କରିଥିଲେ । ତାଙ୍କରି ପ୍ରଚେଷ୍ଟାରେ ନିର୍ମାଣ ହୋଇଥିଲା ଶଙ୍କରାଚାର୍ଯ୍ୟ ପୀଠ । ସେହିପରି ମାଦଳା ପାଞ୍ଜିର ତତ୍ତ୍ୱ ଅନୁଯାୟୀ ୧୧୧୨ ମସିହାରେ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ ବିଶିଷ୍ଟ ଦ୍ୱୈତବାଦର ଅନନ୍ୟ ପ୍ରଚାରକ ଶ୍ରୀରାମାନୁଜଚାର୍ଯ୍ୟ । ସତ୍ତ୍ୱଲିପି ଓ ମାଦଳା ପାଞ୍ଜିର ତଥ୍ୟ ମୁତାବକ ତାଙ୍କ ପ୍ରଚେଷ୍ଟାରେ ଶ୍ରୀମନ୍ଦିର ପରିସରରେ ବିମଳା ଓ ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ସହ ଏମାର ମଠର ସେ ଥିଲେ ନିର୍ମାତା । ତକ୍ରାଳୀନ ରାଜା ଚୋଡ଼ଗଙ୍ଗ ଦେବ ତାଙ୍କ ଅନୁଗାମୀ ହୋଇଥିଲେ ଓ ରାମାନୁଜଚାର୍ଯ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିଷ୍ଣୁ ରୂପେ ଗାନ କରୁଥିଲେ । ସେହିପରି ଗୋବର୍ଦ୍ଧନ ପୀଠର ପ୍ରଥମ ଆଚାର୍ଯ୍ୟ ତଥା ଶଙ୍କରଙ୍କ ପ୍ରଥମ ଶିଷ୍ୟ ପଦ୍ମପାଦ ମହାପ୍ରଭୁଙ୍କ କୃପା ପାଇବା ନିମିତ୍ତ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ମହାନ ରାଧାକୃଷ୍ଣ ଭକ୍ତିଧାରା ପ୍ରବାହର ଭାବଚେତକ ନିମ୍ବାକାଚାର୍ଯ୍ୟ ପୁରୀକୁ ଆଗମନ କରି ମହାପ୍ରଭୁଙ୍କ କୃପାରେ ନିଜକୁ ନିମଜ୍ଜିତ କରିଥିଲେ । ବିଶ୍ୱାସ ରହିଛି ଯେ ତାଙ୍କ ପ୍ରଚେଷ୍ଟାରେ ରାଧାବଲ୍ଲଭ ମଠ ନିର୍ମାଣ ହୋଇଥିଲା । ଶୁଦ୍ଧ ଦ୍ୱୈତାଦ୍ୱୈତବାଦର ପ୍ରବକ୍ତା ମାଧବାଚାର୍ଯ୍ୟ ମହାପ୍ରଭୁଙ୍କ କୃପା ପାଇବା ନିମିତ୍ତ ପୁରୀକୁ ଆଗମନ କରିଥିଲେ । ସେ ନିଜେ ବଳଭଦ୍ର ଛତା ମଠ ପ୍ରତିଷ୍ଠା କରିବା ସହ ମହାପ୍ରଭୁଙ୍କ ଭାବରେ ଗଦ ଗଦ ହୋଇ "ଭକ୍ତିରତ୍ନାବଳୀ' ନାମକ ଏକ ଗ୍ରନ୍ଥ ରଚନା କରିଥିଲେ । ବଙ୍ଗଳାର ଜଣେ ସିଦ୍ଧ ସାଧକ ମାଧବେନ୍ଦ୍ରପୁରୀ ବୃନ୍ଦାବନରେ କୃଷ୍ଣପ୍ରେମରେ ନିମଜ୍ଜିତ ଥିଲେ । ଏକଦା ମହାପ୍ରଭୁଙ୍କୁ ସ୍ୱପ୍ନରେ ପାଇ ପୁରୀକୁ ଆଗମନ କରିଥିଲେ । ତାଙ୍କ ଉଦ୍ୟମରେ ଗୌଡ଼ୀୟ ବୈଷ୍ଣବ ପୀଠ ରୂପେ ବେଶ ଖ୍ୟାତି ପାଇଥିବା ବଡ଼ ଛତା ମଠ ପ୍ରତିଷ୍ଠା ହୋଇଛି । ସିଦ୍ଧସାଧକ ବଲ୍ଲଭାଚାର୍ଯ୍ୟ ପୁରୀକୁ ଆଗମନ କରି ଗୋକୁଳ ମଠରେ ଅବସ୍ଥାନ କରୁଥିଲେ ଓ ପ୍ରତ୍ୟେହ ମହାପ୍ରଭୁଙ୍କ ନୀତିକାନ୍ତି ଦର୍ଶନ କରି ନିଜକୁ ଭାଗ୍ୟବାନ ମନେକରୁଥିଲେ ।
"ଗୁରୁ ଓ ଗୋବିନ୍ଦ ଦୌ ଖଡ଼, କାକେ ଲାଗୁ ପାଏ, ବଲିହାରୀ ଗୁରୁ ଆପ୍ନେ, ଗୋବିନ୍ଦ ଦିୟା ବତାୟ ।' ଯାହାର ଭାବାର୍ଥ ହେଉଛି "ଗୁରୁ ଓ ଗୋବିନ୍ଦ ଅର୍ଥାତ୍ ଭଗବାନ ଉଭୟ ଦଣ୍ଡାୟମାନ । କାହାକୁ ଆମେ ପ୍ରଣାମ କରିବା? ଗୁରୁଙ୍କୁ ହିଁ ପ୍ରଥମେ ପ୍ରଣାମ କରିବା; କାରଣ ସିଏ ହିଁ ଗୋବିନ୍ଦଙ୍କୁ ଚିହ୍ନାଇ ଦିଅନ୍ତି ।' ଏହି ର୍ନିଗୁଣ ପରମବ୍ରହ୍ମବାଦୀ ଚେତନାର ମହାନ ସନ୍ଥ କବୀରଙ୍କର ଆଗମନ ହୋଇଥିଲା ପୁରୀକୁ । ସେ କବୀରଚୌରା ମଠ ନିର୍ମାଣ କରିବା ସହ ନେମାଳରେ କବୀରଙ୍କ ଗାଦି ମଧ୍ୟ ରହିଛି । କବୀର ଥିଲେ ର୍ନିଗୁଣ ପରମବ୍ରହ୍ମବାଦୀ ଓ ରାମୋପାସକ ଥିବାରୁ ତାଙ୍କର ଆଚ୍ଚରଣ ଥିଲା ପ୍ରେମମୟ, ଜାତି ଅଜାତି, ଛୁଅଁ-ଅଛୁଅାଁ ଭେଦ ଭାବର ଊଦ୍ଧ୍ୱର୍ରେ । ସେ ଜଗନ୍ନାଥ ଧାମକୁ ନିଜ ସାଧନାର ପୀଠ ରୂପେ ବାଛି ନେଇଥିଲେ । ଆସାମର ସନ୍ଥକବି ଶଙ୍କରଦେବ ଶ୍ରୀକ୍ଷେତ୍ରରେ ପାଖାପାଖି ଚାରି ବର୍ଷ ଅବସ୍ଥାନ କରିଥିଲେ ଏବଂ ସବୁଠାରୁ ବଡ଼ କଥା ହେଉଛି ସେ ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ପ୍ରତି ଅତ୍ୟନ୍ତ ଆକୃଷ୍ଟ ହୋଇପଡ଼ିଥିଲେ । ନାମ ସଂକୀର୍ତ୍ତନର ମୁଖ୍ୟ ପ୍ରବକ୍ତା ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ମହିମା ସମ୍ପର୍କରେ ଜାଣିବା ପରେ ସେ ପୁରୀକୁ ଆଗମନ କରିଥିଲେ । ଶ୍ରୀକ୍ଷେତ୍ରକୁ ଆସିଥିଲେ ରାୟରାମାନନ୍ଦ ଓ ଓଡ଼ିଆ ଭାଗବତର ସ୍ରଷ୍ଟା ଜଗନ୍ନାଥ ଦାସ ତାଙ୍କ ପରମ ବନ୍ଧୁ ଥିଲେ । ଶ୍ରୀମନ୍ଦିରରେ ବଟ ଗଣେଶ ସମ୍ମୁଖରେ ଜଗନ୍ନାଥ ଦାସ ଭାଗବତ ପାଠ କରୁଥିବା ସମୟରେ ତାଙ୍କୁ ଦେଖି ଶ୍ରୀଚୈତନ୍ୟ ମୁଗ୍ଧ ହୋଇ ଜଗନ୍ନାଥ ଦାସଙ୍କୁ ଅତିବଡ଼ୀ ବୋଲି ସମ୍ବୋଧନ କରିଥିଲେ । ମହାପ୍ରଭୁଙ୍କ ଲୀଳା ସଂକୀର୍ତ୍ତନର ସେ ଥିଲେ ଅନ୍ୟତମ ପ୍ରବକ୍ତା । ସନ୍ଥ ତୁଳସୀ ଦାସ ରାମଭକ୍ତ ହୋଇଥିଲେ ମଧ୍ୟ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ ଓ ମାଦଳା ପାଞ୍ଜିର ତଥ୍ୟ ମୁତାବକ ଶ୍ରୀକ୍ଷେତ୍ରର ସନ୍ନିକଟ ମାଳତୀ ପାଟପୁର ଗ୍ରାମରେ ସେ ରାତ୍ରୀ ଯାପନ କରିଥିବା ସମୟରେ ମହାପ୍ରଭୁଙ୍କ ସ୍ୱପ୍ନାଦେଶ ହୋଇଥିଲା । ଶ୍ରୀଜଗନ୍ନାଥ ହିଁ ସ୍ୱୟଂ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ସେ ଜାଣିବା ପରେ ଭାବତଲ୍ଲୀନ ହୋଇପଡ଼ିଥିଲେ । ଶ୍ରୀକ୍ଷେତ୍ରରେ ଚୈତନ୍ୟ ଦେବଙ୍କ ରହଣି ସମୟରେ ନାନକଙ୍କ ଆଗମନ ହୋଇଥିଲା । ମହାପ୍ରଭୁଙ୍କ ଦର୍ଶନ କଲାପରେ ସେ ଶ୍ରୀଚୈତନ୍ୟଙ୍କ ସଂକୀର୍ତ୍ତନରେ ନିମୟିତ ଯୋଗ ଦେଉଥିଲେ । ପିଲାଦିନୁ ଗଣେଶଙ୍କୁ ନିଜ ଆରାଧ୍ୟ ଭାବେ ଗ୍ରହଣ କରିଥିବା ମହାରାଷ୍ଟ୍ରର ବାସିନ୍ଦା ଭକ୍ତ ଗଣପତି ଭଟ୍ଟ ଧ୍ୟାନରେ ଶ୍ରୀଜଗନ୍ନାଥଙ୍କୁ ଗଣେଶ ଭାବେ ଅନୁଭବ କଲାପରେ ପୁରୀକୁ ଆଗମନ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ କଲାପରେ ତାଙ୍କ ନୟନ ଯୁଗଳରୁ ଧାର ଧାର ହୋଇ ଲୁହ ବୋହି ଯାଇଥିଲା ଏବଂ ସେ ରତ୍ନବେଦୀରେ ମହାପ୍ରଭୁଙ୍କ ବଦଳରେ ନିଜ ଆରାଧ୍ୟ ଗଣେଶଙ୍କ ଦର୍ଶନ କରିଥିଲେ । ବିଶ୍ୱାସ ରହିଛି ତାଙ୍କ ନିବେଦନ ମୁତାବକ ପବିତ୍ର ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଗଜାନନ ବେଶ ହୋଇଥାଏ ।
ମୁମ୍ବାଇର ଜନୈକ ଅପାଠୋଇ ମହିଳା ଯିଏ ସଦା ବିଷ୍ଣୁଙ୍କ ନାମସ୍ମରଣରେ ନିମଜ୍ଜିତ ରୁହନ୍ତି ସେ ଦିନେ ସ୍ୱପ୍ନରେ ଦେଖିଥିଲେ ତାଙ୍କ ହୃଦେଶ୍ୱର ବିଷ୍ଣୁ ପୁରୀରେ ଶ୍ରୀଜଗନ୍ନାଥଙ୍କ ଭାବରେ ଅବସ୍ଥାନ କରୁଛନ୍ତି । ସେ ପୁରୀକୁ ଆଗମନ କରିଥିଲେ ଓ ଏହିଠାରେ ହିଁ ତାଙ୍କର ଶେଷ ଜୀବନ ବିତିଥିଲା । ସନ୍ଥ ତୁକାରାମ ମହାପ୍ରଭୁଙ୍କ ସମ୍ପର୍କରେ ଜାଣିବା ପରେ ପୁରୀକୁ ଆଗମନ କରିଥିଲେ ଓ ନିଜ ସଂକୀର୍ତ୍ତନ ମଣ୍ଡଳୀ ସହ ନିୟମିତ ଦେଉଳ ବେଢ଼ା ଭିତରେ ଶ୍ରୀଜଗନ୍ନାଥଙ୍କ ନାମ ସଂକୀର୍ତ୍ତନରେ ନିଜକୁ ନିମଜ୍ଜିତ ରଖୁଥିଲେ । ମହାପ୍ରଭୁଙ୍କ ପ୍ରତି ତାଙ୍କର ଆବେଗଭରା ଭକ୍ତିକୁ ଦେଖି ସେ ତକ୍ରାଳୀନ ସମୟରେ ଜଗନ୍ନାଥ ବଲ୍ଲଭ ମଠରେ ରହୁଥିବାରୁ ତାଙ୍କୁ ଏକ ସ୍ୱତନ୍ତ୍ର ମଠ ପ୍ରଦାନ କରିଥିଲେ । ଯାହା ତନ୍ତୀ ମଠ ଭାବେ ପ୍ରଖ୍ୟାତ । ୧୮୯୮ ମସିହାରେ ପ୍ରଭୁପାଦ ବିଜୟ କୃଷ୍ଣ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ସେ ଶ୍ରୀଜଗନ୍ନାଥଙ୍କ ସର୍ବଧର୍ମ ମତବାଦର ବିଶ୍ୱାସକୁ ଗ୍ରହଣ କରିବା ସହ ଏଠାରେ କିଛି ଦିନ ଅବସ୍ଥାନ କରିଥିଲେ । ଶ୍ରୀରାମକୃଷ୍ଣଙ୍କ ପତ୍ନୀ ଶାରଦା ଦେବୀ ୧୮୮୮ ଓ ୧୯୦୫ ଏହିପରି ଭାବେ ଦୁଇଥର ପୁରୀକୁ ଆଗମନ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରି ସେ ନିଜକୁ ଭାଗ୍ୟବାନ ମନେକରୁଥିଲେ । ସତ୍ତ୍ୱଲିପିର ତଥ୍ୟ ଅନୁଯାୟୀ ୧୯୨୧ ମସିହାରେ ଠାକୁର ନିଗମାନନ୍ଦ ସରସ୍ୱତୀ ପୁରୀକୁ ଆଗମନ କରିଥିଲେ । କେହି କେହି ମଧ୍ୟ ବିଶ୍ୱାସ କରନ୍ତି ଯେ ସେ ମହାପ୍ରଭୁଙ୍କ ଦର୍ଶନ ପାଇବା ପରେ ଅନେକ ସମୟ ଯାଏ ଧ୍ୟାନସ୍ଥ ହୋଇଯାଇଥିଲେ । ୧୯୩୪ ମସିହା ପବିତ୍ର ଝୁଲଣ ପୂର୍ଣ୍ଣିମା ଦିନ ସେ ନୀଳାଚଳ ସାରସ୍ୱତ ସଂଘ ପ୍ରତିଷ୍ଠା କରିଥିଲେ । ବାଳକ ରାମଦାସ ନିଜ ଅନୁଗାମୀ ଓ ଭକ୍ତମାନଙ୍କ ସହ ବୃନ୍ଦାବନ, କାଶୀ, ରାମେଶ୍ୱର, ଚିତ୍ରକୂଟ, ମଥୁରା ପରି ଅନେକ ତୀର୍ଥକ୍ଷେତ୍ର ପରିଭ୍ରମଣ କରିବା ପରେ ପୁରୀକୁ ଆଗମନ କରିଥିଲେ । ସେ ମହାପ୍ରଭୁଙ୍କ ଦର୍ଶନ ପାଇବା ପରେ ଭାବତଲ୍ଲୀନ ହୋଇପଡ଼ିଥିଲେ । ପୁରୀକୁ ଯେତେ ସାଧୁସନ୍ଥ ଆସିଛନ୍ତି ସେମାନେ ନିଜ ଧର୍ମ, ମତବାଦ ଓ ସମ୍ପ୍ରଦାୟର ବାର୍ତ୍ତା ପ୍ରଚାର କରିବା ସହ ନିଜର ମଠ ମନ୍ଦିର ପ୍ରତିଷ୍ଠା କରିଛନ୍ତି । ଶ୍ରୀ ଜଗନ୍ନାଥ ଚେତନା ସମସ୍ତ ସମ୍ପ୍ରଦାୟର ଊଦ୍ଧ୍ୱର୍ରେ ସାମ୍ୟ ଓ ମୈତ୍ରୀର ଦେବତା ରୂପେ ଚିର ଉପାସିତ । ଅନେକ ସାଧୁସନ୍ଥ ମହାପ୍ରଭୁଙ୍କୁ ଦର୍ଶନ କରି ତାଙ୍କ ଚିନ୍ତା ଚେତନାରେ ନିଜକୁ ହଜାଇ ଦେଇଛନ୍ତି । ଏହି ଉପସ୍ଥାପନଟି ରଖିବାବେଳେ ଡକ୍ଟର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟଙ୍କ ମତାମତକୁ ଉଲ୍ଲେଖ କରୁଛୁ "ଜଗନ୍ନାଥ ଆପଣାର ବିପୁଳ ପ୍ରଭାବରେ ସକଳ ଧର୍ମ ମତବାଦକୁ ଓ ସମସ୍ତ ଆଚାର୍ଯ୍ୟଙ୍କୁ ନିଜର କରିନେଇ ଭାରତୀୟ ବୈଷ୍ଣବ ଧର୍ମ ଇତିହାସରେ ଆପଣାର ସୁବିପୁଳ ପ୍ରଭାବଶାଳୀ ଦୈବତ୍ୱ ମହିମାର ପରାକାଷ୍ଠା ପ୍ରଦର୍ଶନ କରି ସକଳ ଶ୍ରେଣୀର ହିନ୍ଦୁ ଜନତାକୁ ଆପଣାର କରି ନେଇଛନ୍ତି ।'
ମୋ: ୯୪୩୭୨୨୫୬୮୯