ମହିମା ମହାବିଦ୍ୟାଳୟର ଅଧ୍ୟକ୍ଷ ପଦବୀକୁ ନେଇ ବିଶୃଙ୍ଖଳା : ଆର୍ଥୀକ କ୍ଷମତା ଦାୟିତ୍ୱ ନେଲେ ଉପଜିଲ୍ଲାପାଳ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଦବୀକୁ ନେଇ ହୋଇଥିବା ବିଶୃଙ୍ଖଳା ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗତ ୨ମାସ ହେଲା ଦରମା ପାଇନଥିବା କର୍ମଚାରୀ ଓ ଅଧ୍ୟାପକମାନଙ୍କ ଦରମା ପ୍ରଦାନ କରିବା ଓ ମହାବିଦ୍ୟାଳୟ ଉନ୍ନୟନ କାର୍ଯ୍ୟ ପାଇଁ ସାମୟିକ ଭାବେ ଢେଙ୍କାନାଳ ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଚିଠି ନଂ ଏଚଇ ଏନ୍ସିଇଟି -ଆଇ-ପଲିସ ୦୦୦୨-୨୦୨୫, ୪୯୫୭୫/ଏଚଇ ତା୧୧-୦୯-୨୦୨୫ରିଖ ଅନୁସାରେ ଓଡ଼ିଶାର ସରକାରୀ ଅନୁଦାନପ୍ରାପ୍ତ ୬ଟି ମହାବିଦ୍ୟାଳୟ ଯଥା ଯୋରନ୍ଦା ମହିମା ମହାବିଦ୍ୟାଳୟ, ବାରଙ୍ଗ କୁଞ୍ଜବିହାରୀ ଡିଗ୍ରୀ କଲେଜ, ଖୋର୍ଦ୍ଧା ନାଚୁଣୀ ଡିଗ୍ରୀ କଲେଜ, ଯାଜପୁର କନିକା ପଡା ସାଧୁ ଗୌରେଶ୍ୱର ଡିଗ୍ରୀ କଲେଜ, ବଲାଙ୍ଗୀର ଟିଟିଲାଗଡ଼ ଡିଏଭି କଲେଜ ଓ ମୟୁରଭଞ୍ଜ କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଆର୍ଥôକ କ୍ଷମତା ସେହି ଜିଲ୍ଲାର ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ଏହି ନିଦେ୍ର୍ଦଶ ବଳବତ୍ତର ରହିବ ।
ସୂଚନାଥାଉକି, ଯୋରନ୍ଦା ମହିମା ମହାବିଦ୍ୟାଳୟ ନିର୍ବାହୀ ଅଧ୍ୟକ୍ଷ ପ୍ରଦୀପ କୁମାର ଦାସଙ୍କର ବଦଳି ହେବା ପରେ ବରିଷ୍ଠ ରିଡର ଭାବେ ଆଦିକନ୍ଦ ମହାନ୍ତି ଅଧ୍ୟକ୍ଷ ଦାୟିତ୍ୱ ନେବା କଥା । କିନ୍ତୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ୟାନେଲ ହେବା ପାଇଁ ଆସିଥିବା ଚିଠି ଅନୁସାରେ ସେ ସ୍ୱାସ୍ଥ୍ୟଗତ କାରଣରୁ ଅନ୍ୟ ଅନୁଦାନ କଲେଜକୁ ଯିବାକୁ ଆଗ୍ରହ ପ୍ରକାଶ କରିନଥିଲେ । କିନ୍ତୁ ନିଜ କଲେଜ ଦାୟିତ୍ୱ ନେବା ପାଇଁ କିଛି ଅସୁବିଧା ନଥିଲା ବୋଲି ସେ କହିଛନ୍ତି । କିନ୍ତୁ ପରବର୍ତ୍ତୀ ବରିଷ୍ଠ ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ୱାଇଁ ଭାର ପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ । ଫଳରେ କଲେଜ ମଧ୍ୟରେ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିଲା । ପରେ ଅଗଷ୍ଟ ମାସ ୨ ତାରିଖ ଉଚ୍ଚ ଶିକ୍ଷା ବିଭାଗର ଚିଠି ଅନୁସାରେ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାକୁ ବିଜେପୁର କଲେଜର ଅର୍ଥନୀତି ବିଭାଗ ପ୍ରାଧ୍ୟାପକ ପ୍ରାଧ୍ୟାପକ ପ୍ରସାନ୍ତ କୁମାର ସାହୁ ମହାବିଦ୍ୟାଳୟକୁ ଆସି ପରିସ୍ଥିତିରେ ପଡି ଫେରି ଯାଇ ଉଚ୍ଚ ଶିକ୍ଷା ବିଭାଗ ନିଦେ୍ର୍ଦଶକଙ୍କ ପାଖରେ ରିପୋର୍ଟ କରିଥିଲେ । ଫଳରେ ମହିମା ମହାବିଦ୍ୟାଳୟ ଅଧ୍ୟକ୍ଷ ପଦ ଖାଲି ରହିଥିଲା । ଦାୟିତ୍ୱରେ ଥିବା ଅଧ୍ୟକ୍ଷ ପ୍ରହଲ୍ଲାଦ ସ୍ୱାଇଁଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆର୍ଥିକ କ୍ଷମତା ଦିଆଯାଇ ନଥିବାରୁ କଲେଜ କର୍ମଚାରୀ ଓ ଅଧ୍ୟାପକ ମାନଙ୍କୁ ଗତ ୨ମାସର ଦରମା ମିଳିପାରିନଥିଲା । ଫଳରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅସ୍ଥାୟୀ ଭାବେ ଏହାର ସମାଧାନ କରାଯାଇ ଢେଙ୍କାନାଳ ଉପଜିଲ୍ଲାପାଳଙ୍କୁ କଲେଜ ପରିଚାଳନା ଦାୟିତ୍ୱ ଦିଆଯାଇଛି ।