ଅଧାରେ ଅଟକିଛି ଭାଗିରଥୀ ସାଗର ପୁନରୁଦ୍ଧାର
ଢେଙ୍କାନାଳରୁ ଲକ୍ଷ୍ମୀନାରାୟଣ ତ୍ରିପାଠୀ : ବର୍ଷା ଆରମ୍ଭ ହୋଇଯିବାରୁ ବନ୍ଦ ରହିଗଲା ପୋଖରୀ ଖୋଳା । ଏବେ ବର୍ଷା ଯାଇ ଶୀତ ସରିବାକୁ ବସିଲାଣି । ହେଲେ ଅଧାପନ୍ତରିଆ ହୋଇ ପଡିରହିଥିବା ପୋଖରୀ ଖୋଳା କାମରେ କିଛି ବି ପଦକ୍ଷେପ ଗ୍ରହଣ କରିନି ପୌରପାଳିକା । ଢେଙ୍କାନାଳ ସହରର ୧୬ଟି ପୋଖରୀରେ ପୁନରୁଦ୍ଧାର ପାଇଁ ମୋ ପୋଖରୀ ଯୋଜନାରେ ପ୍ରାୟ ୯ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପୌର ସଂସ୍ଥା ଗତବର୍ଷ କାମ ଆରମ୍ଭ କରିଥିଲା । ତେବେ ସେଗୁଡିକରୁ ପଙ୍କମାଟି ଉଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ ବିଫଳ ହୋଇଛି । ସହରର ମଧ୍ୟ ଭାଗରେ ଥିବା ଭାଗିରଥି ସାଗର (ନୂଆ ପୋଖରୀ) ଓ କୁଞ୍ଜକାନ୍ତ ପୋଖରୀକୁ ଦେଖିଲେ କୌଣସି ଗୋଟିଏ ପୋଖରୀ କାର୍ଯ୍ୟ ଠିକ ଭାବେ ହୋଇନଥିବା ସ୍ପଷ୍ଟ ଅନୁମେୟ ।
ଢେଙ୍କାନାଳ ସହରର ମଧ୍ୟ ଭାଗରେ ୨୨ ଏକର ଜମି ଉପରେ ୧୮୬୫-୬୬ ରେ ତତ୍କାଳୀନ ପ୍ରଜାବତ୍ସଳ ରାଜା ଭାଗିରଥ ମହିନ୍ଦ୍ର ବାହାଦୂରଙ୍କ ଦ୍ୱାରା ଖୋଲାଯାଇଥିଲା । ପରେ ଏହାର ନାମକୁ ତାଙ୍କ ନାମ ଅନୁସାରେ ଭାଗିରଥି ସାଗର ନାମକରଣ କରାଯାଇଥିଲା । ଏହାର ପୁନଃରୁଦ୍ଧାର ପାଇଁ ପୌରସଂସ୍ଥା ପକ୍ଷରୁ ଗତବର୍ଷ ପ୍ରାୟ ୧କୋଟି ୮୭ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇ କିଛି ମିଶନ ଶକ୍ତି ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଗତ ୨୦୨୩ ଡିସେମ୍ବର ମାସରେ ପାଣି କଟାଯାଇ କାମ ଆରମ୍ଭ ହୋଇଥିଲେ ମଧ୍ୟ ଅତି ମନ୍ଥର ଗତିରେ କାମ ହେବାକୁ ନେଇ ସହରବାସୀ ଅଭିଯୋଗ କରିବାରୁ ବର୍ଷାଋତୁ ପୂର୍ବରୁ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟ ଶେଷ କରିବାକୁ ପୌର ଅଧିକାରୀ, ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ପ୍ରତିଶ୍ରୁତି ଦେଇଥିଲେ । ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିପାରିଲେନି । ପୋଖରୀ ଭିତରୁ ଯେଉଁଠାରୁ ଖୋଳିଲେ ସେହି ଠାରେ ପଙ୍କମାଟି ଗଦାଇଲେ, ଚତୁଃପାର୍ଶ୍ୱ ହୁଡାରେ ମଧ୍ୟ ଗଦାଇଲେ ପଙ୍କମାଟି । ଫଳରେ ପୋଖରୀ ଭିତରେ ୧୦ ଫୁଟ, ୧୫ ଫୁଟ ଉଚ୍ଚାର ପଙ୍କମାଟି ଗଦାଗଦା ହୋଇ ରହିଲା । ଆଉକିଛି ପଙ୍କ ଉଠାଇ ହୁଡାରେ ପକାଇ ଚଉଡାହୁଡା କରି ଜଳଧାରଣ ପରିସୀମାକୁ ସଂକୁଚିତ କରାଯାଉଥିଲା । ଏହାକୁ ବିଭିନ୍ନବର୍ଗଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇ ବାରମ୍ବାର ପ୍ରତିବାଦ କରିବା ପରେ ମାର୍ଚ୍ଚରେ ରାଜ୍ୟ ସରକାରଙ୍କ ଦୁଇଜଣ ଅଧିକାରୀ, ସହରର ବୁଦ୍ଧିଜୀବୀ ଏବଂ ପୌରପଦାଧିକାରୀଙ୍କୁ ନେଇ ଏକ ତ୍ରିପାକ୍ଷିକ ବୈଠକ ହୋଇଥିଲା । ସେଥିରେ ପୋଖରୀର ପରିସୀମାକୁ ସଙ୍କୁଚିତ ନ କରି ଅଧିକ ମାନବସମ୍ବଳ ଓ ମେସିନ ବ୍ୟବହାର କରି ବର୍ଷାଋତୁ ପୂର୍ବରୁ ମେ’ ୩୦ ତାରିଖ ସୁଦ୍ଧା କାମ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ କାମକୁ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନେ ମନଇଛା କାମ କରିଚାଲିଲେ । ପୋଖରୀରୁ ପଙ୍କ ଉଠାଇ ସେହି ପୋଖରୀ ମଧ୍ୟରେ ଦକ୍ଷିଣପଟରେ ପାହାଡ଼ ପରି ଗଦା କରି ଚାଲିଲେ । ନିମ୍ନମାନର ସହ ମନଇଛା କାମକୁ ନେଇ ସେତେବେଳେ ଢେଙ୍କାନାଳ ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା । ତେବେ ତତ୍କାଳୀନ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ବନ୍ଦ ଡାକରାକୁ ସ୍ଥଗିତ ରଖାଯାଇଥିଲା । ଅନ୍ୟପକ୍ଷରେ ପୋଖରୀ ଭିତରେ ସେହି ପଙ୍କର ଗଦା ସବୁ ସେମିତି ଆଜିଯାଏ ରହିଛି । ସେତେବେଳେ ବାରମ୍ବାର ଅଭିଯୋଗ ଓ ସଚେତନ କରାଯିବା ପରେ ମଧ୍ୟ ମନମାନି କରି ଗୁରୁତ୍ୱ ଦେଲେନି । ବର୍ଷା ଯୋଗୁଁ ପୋଖରୀରେ ପାଣି ଭର୍ତ୍ତି ହୋଇଗଲା । ଦୀର୍ଘ ବର୍ଷ ହେବ ପଙ୍କମାଟିର ପାହାଡ ପୋଖରୀ ଭିତରେ ଗଦା ହୋଇ ରହିଛି ।
ଅନ୍ୟପକ୍ଷରେ ବର୍ଷା ଋତୁ ପରେ ପୋଖରୀ ଖୋଳା କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ପୌର ଅଧିକାରୀ ମଧ୍ୟ ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ । ଏବେ ବର୍ଷା ଯାଇ ଶୀତ ସାରିବାକୁ ବସିଲାଣି । ହେଲେ ଅଧା ପନ୍ତରିଆ ହୋଇ ରହିଥିବା ପୋଖରୀ ଖୋଳିବା ଦିଗରେ ପୌରପାଳିକା ପାଦେ ବି ଆଗେଇ ପାରିନାହିଁ । କେବେ ପୁଣି ପାଣି ଶୁଖାଯିବ, କେବେ ପଙ୍କ ଶୁଖିଲେ ଖୋଳା ଆରମ୍ଭ ହେବ ତାକୁ ନେଇ ସହରବାସୀଙ୍କ ମନରେ ସନେ୍ଦହ ସୃଷ୍ଟି ହେଲାଣି? ସହରର ଭାଗିରଥୀ ସାଗର ଭଳି ଅନ୍ୟାନ ପୋଖରୀର ଅବସ୍ଥା ମଧ୍ୟ ସେହିପରି ହୋଇ ପଡ଼ିରହିଛି ।