ନାବାଳିକା ଗର୍ଭବତୀ, ଯୁବକ ଅଟକ

 ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇ ୮ମାସର ଗର୍ଭବତୀ ହୋଇଛନ୍ତି  । ଏନେଇ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି  । ଡାବୁଗାଁ ଥାନା ଚଲାଣଗୁଡ଼ା ଗ୍ରାମର ମଙ୍ଗତୁ ପାଇକ ୧୫ ବର୍ଷର ଜଣେ ନାବାଳିକା ଝିଅକୁ ପ୍ରେମ କରିବା ସହ ଶାରୀରିକ ସମ୍ପର୍କ ରଖିଥିଲା  । ଇତି ମଧ୍ୟରେ ନାବାଳିକା ୮ ମାସର ଗର୍ଭବତୀ ହେବା ପରେ ପରିବାର ଲୋକେ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ  । ଝିଅକୁ ପଚରାଉଚରା କରିବା ପରେ ଚଲାଣଗୁଡ଼ା ଗ୍ରାମର ମଙ୍ଗତୁ ପାଇକ ସହ ସମ୍ପର୍କ ରହିଥିବା ପରିବାର ଲୋକଙ୍କୁ ଜଣାଇଥିଲା  । ଏହାପରେ ପରିବାର ଲୋକେ ମଙ୍ଗତୁ ପାଇକର ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ  ।

ତେବେ ପୂର୍ବରୁ ଗ୍ରାମର ଭଦ୍ରବ୍ୟକ୍ତି ଓ ଗ୍ରାମବାସୀଙ୍କୁ ନେଇ ଆପୋଷ ସମାଧାନ ନିମନ୍ତେ ଏକ ବୈଠକ କରାଯାଇଥିଲା  । କିନ୍ତୁ ପୁଅର ପରିବାର ଲୋକେ ନମାନିବାରୁ ବାଧ୍ୟ ହୋଇ ପୀଡ଼ିତାଙ୍କ ପରିବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ  । ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିଦେ୍ର୍ଦଶକ୍ରମେ ଏସଆଇ ଖଗେଶ୍ୱର ଖୋସଲା ଘଟଣାର ତଦନ୍ତ ଆରମ୍ଭ କରିଥିଲେ  । ନାବାଳିକା ଝିଅର ଡାକ୍ତରୀ ମାଇନା କରାଯାଇଥିବା ବେଳେ ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି  । ସେହିପରି ନାବାଳିକା ଗର୍ଭବତୀ ହୋଇଥିବାରୁ ତାର ଯତ୍ନ ଓ ସୁରକ୍ଷା ପାଇଁ ଡାବୁଗାଁ ମା’ ଗୃହରେ ରହିବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।