ସୁଭଦ୍ରାଙ୍କୁ ନ୍ୟାୟ ଦାବିରେ ତାଳଚେର ବନ୍ଦ
ତାଳଚେର/କଣିହାଁ: କଣିହାଁ ବ୍ଲକ ଅନ୍ତର୍ଗତ ଲୋଧାଝରି ଗ୍ରାମର ଦଳିତ ପରିବାରର ଝିଅ ସୁଭଦ୍ରା ପଡ଼ିଲିଙ୍କୁ ତାଳଚେର ଠାରେ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ପ୍ରଦାନ ସହିତ ୧୦ ଦଫା ଦାବି ନେଇ ବିଭିନ୍ନ ସଂଗଠନ ପକ୍ଷରୁ ତାଳଚେର ବନ୍ଦ ଡାକରା ଦିଆଯାଇଥିଲା । ଦଳିତ ମହାସଂଘ, ଓଡ଼ିଶା ପରିସଂଘ, ଡ଼ଃ ବି.ଆର ଆମ୍ବେଦକର ସ୍ମୃତି ପରିଷଦ, ମହାନଦୀ କୋଇଲା ଠିକାଶ୍ରମିକ ସଂଗଠନ, ରେଲୱେ ୟୁଜର କମିଟି, କଣିହାଁ ସୁରକ୍ଷା ମଂଚ, ଜନବିକାଶ କଲ୍ୟାଣ ସଂଘ, ଉକ୍ରଳ ଆମ୍ବେଦକର ସମାଜସେନା, ମହିଳାମଂଚ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡ଼ାକରାରେ ତାଳଚେର ଓ କଣିହାଁର ଅଂଚଳର ଜନତାମାନେ ସମର୍ଥନ କରିଥିବା ଜଣାପଡ଼ିଛି । ସହରର ବିଭିନ୍ନ ସ୍ଥାନ ଗୁଡ଼ିକରେ ଦୋକାନ ବଜାର ବନ୍ଦ କରିବା ସହ ଯାନବାହାନ ଚଳାଚଳ ଉପରେ କଟକଣା ରହିଥିଲା । ଏଥିସହିତ ଖଣି ଖାଦାନ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ସୁଭଦ୍ରା ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅପରାଧିମାନଙ୍କୁ ତୁରନ୍ତ ଗିରଫ କରିବା ଓ ଯେଉଁ ପୁଲିସ୍ ନିଜର କର୍ତ୍ତବ୍ୟରେ ଅବହେଳା କରିଛି ତାକୁ କାହିଁକି ଏପର୍ଯ୍ୟନ୍ତ ନିଲମ୍ବିତ କରାଯାଇ ନାହିଁ ବୋଲି ମହିଳାମଞ୍ଚ ସଭାନେତ୍ରୀ ଇଂ ସସ୍ମିତା ବେହେରା ପ୍ରଶ୍ନ ଉଠାଇଛନ୍ତି । ଏହି ବନ୍ଦ ଆନେ୍ଦାଳନରେ ଇଂ ସସ୍ମିତା ବେହରା, ଏଲ. ମାଣିକପ୍ରଭା, କୁଞ୍ଜବିହାରୀ ବେହେରା, ରାଜକିଶୋର ସାହୁ, ସଂଗ୍ରମୀ କେଶରୀ କୁଅଁର, ଅଭୟ ପାଣି, ଭୂପେନ ଥମ୍ବ, ସତ୍ୟବ୍ରତ ମହାନ୍ତି, ଭାରତୀ ବେହେର. ନନ୍ଦିନୀ ନାଏକ, କେଶବ ଭୂତିଆ, ଟିକା ଗୋବିନ୍ଦ ଚନ୍ଦ୍ର ନାଏକ, ମୋନଜ ନାଏକ ସମେତ ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ ।