ମହିଳାଙ୍କ ପାଇଁ ଉଦାହରଣ ସାଜିଲେ ନିରୁପମା : ଛତୁ ଚାଷ କରି ହେଲେ ଆତ୍ମନିର୍ଭରଶୀଳ
ସାରସକଣା: ମହିଳା ବିଭିନ୍ନ କ୍ଷେତ୍ରରେ ଆଜି ସଫଳ ହୋଇଛନ୍ତି । ବ୍ୟବସାୟିକ କ୍ଷେତ୍ର ସହିତ ଚାଷ କାମରେ ମଧ୍ୟ ନିଜକୁ ସଫଳ କରୁଛନ୍ତି । ସରକାର ମଧ୍ୟ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି । ବିଭିନ୍ନ ଯୋଜନା ମାଧ୍ୟମରେ ମହିଳାଙ୍କୁ ସାମିଲ କରାଯାଉଛି ଯାହାଦ୍ୱାରା ସେମାନେ ଅର୍ଥ ରୋଜଗାର କରୁଛନ୍ତି । ନିଜ ରୋଜଗାର କରିବା ସହିତ ଅନ୍ୟ ମହିଳାଙ୍କୁ ମଧ୍ୟ ରୋଜଗାର କରିବାକୁ ବାଟ ଦେଖାଉଛନ୍ତି । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଭୁରୁଶାଣି ପଞ୍ଚାୟତରେ । ଭୁରୁଶାଣି ଗ୍ରାମର ନିରୁପମା ମହାନ୍ତ ନାମକ ଜଣେ ଶିକ୍ଷିତ ମହିଳା ଆଜି କେବଳ ନିଜ ଅଞ୍ଚଳ ପାଇଁ ନୁହେଁ ବରଂ ଜିଲ୍ଲାର ମହିଳାମାନଙ୍କ ପାଇଁ ମଧ୍ୟ ପ୍ରେରଣା ସାଜିଛନ୍ତି । ଘର କାମ କରିବା ସହ ପରିବାରର ଆର୍ଥôକ ଅଭିବୃଦ୍ଧି କଥା ଚିନ୍ତା କରି ନିରୁପମା କିଛି କରିବାକୁ ଯୋଜନା କରି ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଦେଖା କରି ବିଭିନ୍ନ ପ୍ରକଳ୍ପ କଥା ପଚାରି ବୁଝିଥିଲେ । ହେଲେ ସରକାରୀ ସୁବିଧା ଗୁଡିକୁ ଦେଖି ଛତୁ ଚାଷ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ନିରୁପମା । ଏବଂ ନୂତନ ପ୍ରଣାଳୀ ଏବଂ କୌଶଳକୁ ଲଗାଇ ଛତୁ ଉତ୍ପାଦନ କରିବାରେ ସଫଳ ହେଲେ । ଯାହାଦ୍ୱାରା ନିରୁପମାଙ୍କ ଉତ୍ସାହ ଦେଖି ସରକାରୀ ବିଭାଗ ତାଙ୍କୁ ସାହାର୍ଯ୍ୟର ହାତ ବଢ଼ାଇଲେ । ନିରୁପମା ମଧ୍ୟ ବାହାରକୁ ଯାଇ ତାଲିମ ନେଲେ ଛତୁ ଚାଷରେ ଆଗକୁ ବଢିବା ପାଇଁ । ଏବେ ସରକାରୀ ଅନୁଦାନରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ନୂତନ ଜ୍ଞାନ କୌଶଳ ମାଧ୍ୟମରେ ଛତୁ ମଞ୍ଜି ଉତ୍ପାଦନ ଆରମ୍ଭ କରିଛନ୍ତି ନିରୁପମା । କେବଳ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ନୁହେଁ ବରଂ ବ୍ଲକର ବିଭିନ୍ନ ଛତୁ ଚାଷୀଙ୍କୁ ଏବଂ ପୋଡଶୀ ରାଜ୍ୟର କିଛି ଲୋକଙ୍କୁ ମଧ୍ୟ ଛତୁ ଚାଷ ପାଇଁ ମଞ୍ଜି ଯୋଗାଉଛନ୍ତି ନିରୁପମା । ଆଜି ଜଣେ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ନିରୁପମା । ଏହି ସଫଳତା ପାଇଁ ବିହନ ଉତ୍ପାଦନ କେନ୍ଦ୍ର ଠାରେ ସହାୟକ ସଂସ୍ଥା ଓ ଆଗ୍ରହୀ ଛତୁ ଚାଷୀଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଛତୁ ଚାଷୀ ସମ୍ମିଳନୀରେ ସାରସକଣା ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରିଣୀ ଜ୍ୟୋତିର୍ମୟୀ ସାହୁ, ସାରସକଣା ଉଦ୍ୟାନ କୃଷି ସମ୍ପ୍ରସାରଣ କର୍ମଚାରୀ ସେକ୍ ତସଲିମ, ଜେକେ ଏଣ୍ଟେରପ୍ରାଇଜେସର ଖଗେଶ୍ୱର ନାଏକ, ଓପୀକ୍ରା ଫେସିଲେଟର କର୍ମଚାରୀ ଛଟରାୟ ସିଂ, ଓପିକ୍ରାର କର୍ମଚାରୀ ଜନ୍ମେଜୟ ଦାସ ଓ ସଫଳ ଛତୁ ଚାଷୀ ଭାବେ ନିରୁପମା ମହାନ୍ତ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଏବେ ନୂତନ ଭାବେ ସରକାରଙ୍କ ସହାୟତାରେ ପାଣିପଞ୍ଚାୟତ ତରଫରୁ ଓପିକ୍ରା ଯୋଜନାରେ ନିରୁପମାଙ୍କୁ ୧୫ଲକ୍ଷ ଟଙ୍କା ଅନୁଦାନର ପ୍ରୋଜେକ୍ଟ ଦିଆଯାଇଥିଲା । ଆଜି ସେ ଛତୁ ମଞ୍ଜି ଉତ୍ପାଦନ କରୁଛନ୍ତି । ସେହିପରି ଦିନକୁ ପାଖାପାଖି ୮୦ କେଜି ଯାଏଁ ଛତୁ ବ୍ୟବସାୟୀଙ୍କୁ ଦେଇଥାନ୍ତି ବୋଲି ଅଧିକାରୀମାନେ ଉପସ୍ଥିତ ମହିଳାମାନଙ୍କୁ କହିଥିଲେ । ସେହିପରି ମହିଳାମାନେ ଛତୁ ଚାଷ ପ୍ରତି ଆଗ୍ରହ ପ୍ରକାଶ କଲେ ସରକାରୀସ୍ତରରୁ ଅନେକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଉପସ୍ଥିତ ଅଧିକାରୀମାନେ କହିଥିଲେ ।