ନିୟମକୁ ବେଖାତିର କରି ପ୍ରଚାର କରୁଛନ୍ତି ବ୍ୟବସାୟୀ 

ାା ପ୍ରଭାନୁ୍ୟଜ୍ ।ା ରାଜନଗର : ଦିନ କେତେଟା ପରେ ଦଶହରା । ବ୍ୟବସାୟୀ ପ୍ରତିଷ୍ଠାନଗୁଡିକ ନିଜର ବ୍ୟବସାୟୀକୁ ବୃଦ୍ଧି କରିବା ପାଇଁ ଏହାକୁ ଏକ ପ୍ରମୁଖ ସମୟ ଭାବିଥାନ୍ତି । ଦଶହରା ପୂର୍ବରୁ ମାଇକ୍ ଯୋଗେ ନିଜର ବେପାର ବଢାଇବା ପାଇଁ ଉଚ୍ଚ ସ୍ୱରରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଏହି ପ୍ରଚାର ଗାଡି ବିଦ୍ୟାଳୟ ମନ୍ଦିର, ଅଫିସ କାର୍ଯ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ନିକଟରେ ଉଚ୍ଚ ସ୍ୱରରେ ପ୍ରଚାର ମାଧ୍ୟମରେ ନିଜର ବ୍ୟବସାୟକୁ ବିଜ୍ଞାପିତ କରୁଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣ ସାଜିଥିବା ଅଭିଯୋଗ ହୋଇଛି । ରାଜନଗର ବ୍ଲକରେ ଥିବା ବ୍ୟବସାୟୀମାନେ ଏଭଳି ବେନିୟମ ଭାବେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଏହି ବ୍ଲକର ଅନତିଦୂରରେ ଥିବା ସାନବଡଗୋପାଳପୁରସ୍ଥିତ ସରକାରୀ ବିଣାପାଣୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାଠପଢା ଚାଲିଥିବା ସମୟରେ ଏକ ବ୍ୟବସାୟୀ ପ୍ରତିଷ୍ଠାନର ପ୍ରଚାରଗାଡି  ବେଶ ଦୀର୍ଘ ସମୟ ଧରି ଉଚ୍ଚ ସ୍ୱରରେ ଡାକବାଜି ଯନ୍ତ୍ର (ମାଇକ) ଯୋଗେ ପ୍ରଚାର କରିଥିଲା । ଏପରିକି ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟରେ ପାଠପଢା ବ୍ୟାହତ ହେଉଛି, ଦୂରକୁ ଯାଆନ୍ତୁ ବୋଲି କହିଥିଲେ ମଧ୍ୟ ପ୍ରଚାର ଗାଡିଟି ଦୂରକୁ ଯାଇନଥିବା ଅଭିଯୋଗ ହୋଇଛି । କେବଳ ଏହି ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନ ନୁହଁନ୍ତି, ଅନେକ ବ୍ୟବସାୟିକ ପ୍ରତିଷ୍ଠାନର ପ୍ରଚାର ଗାଡିଗୁଡିକ ବେଆଇନ ଭାବେ ପ୍ରଚାର ପ୍ରସାର କରୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ଏହାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ଏହି ବେଆଇନ ପ୍ରଚାର ପ୍ରସାରକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ କଟକଣା ଜାରି କରିବାକୁ ସାଧାରଣରେ ଦାବୀ ହେଉଛି  ।