ମହିଳାଙ୍କୁ ଅସଦାଚରଣ ସହ ଅପହରଣ ଉଦ୍ୟମ ; ଅଭିଯୁକ୍ତ ଗିରଫ


ଭୁବନେଶ୍ୱର, ୧୧ା୪ : ପୁଅକୁ ଟିଉସନ ଛାଡିବାକୁ ଆସିଥିବା ମହିଳାଙ୍କୁ ରାସ୍ତାରେ ଏକା ଦେଖି ଲିଫ୍ଟ ଦେବାକୁ କହିବା ବେଳେ ସେ ମନା କରିବାରୁ ତାଙ୍କୁ ବିଚ ରାସ୍ତାରେ ଟଣାଓଟୋରା କରିବା ସହ ଅପହରଣ ଉଦ୍ୟମ । ମହିଳା ଜଣଙ୍କ ଚିକ୍ରାର କରିବାରୁ ଲୋକେ ଅଭିଯୁକ୍ତକୁ କାବୁ କରି ଥାନାରେ ଜିମ୍ମା ଦେଲେ । ଏଭଳି ଘଟଣା ଘଟିଛି ଭରତପୁର ଥାନା ଅଧିନ ଜଗନ୍ନାଥ ବିହାର ରାସ୍ତାରେ । ପରେ ଥାନା କେସ ନମ୍ବର ୨୪୩ରେ ମାମଲା ରୁଜୁକରି ଦଫା ୩୪୧, ୩୨୩, ୩୫୪, ୬୩୬, ୫୧୧ରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଚନ୍ଦକା ଦାସପୁର ଅଞ୍ଚଳରେ ରହୁଥିବା ଶିଶିର ପ୍ରଧାନ ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଶ୍ୟାମପୁରରେ ରହୁଥିବା ବେଳେ ସେ ତାଙ୍କର ପୁଅକୁ ଟିଉସନ ପାଇଁ ଜଗନ୍ନାଥ ବିହାରରୁ ନେବା ଆଣିବା କରନ୍ତି । ଗତ କାଲି ଅପରାହ୍ନ ୩ଟା ସମୟରେ ସେ ତାଙ୍କର ପୁଅକୁ ଟିଉସନରେ ଛାଡିବା ପାଇଁ ଚାଲି ଚାଲି ଯାଉଥିବା ସମୟରେ ଅଭିଯୁକ୍ତ ଏକ ସ୍କୁଟି ନେଇ ତାଙ୍କ ନିକଟକୁ ଆସିଥିଲେ ଏବଂ ସେଥିରେ ବସିବା ପାଇଁ କହିଥିଲେ । ସେତିକି ବେଳେ ଅଭିଯୋଗକାରିଣୀ ଜଣଙ୍କ ତାଙ୍କୁ ବିରୋଧ କରିବା ସହ ଗାଳିଗୁଲଜ କରିଥିଲେ । ଏହି ସମୟରେ ଅଭିଯୁକ୍ତ ଜଣଙ୍କ ସେଠାରୁ ଚାଲିଯାଇଥିଲେ । ଏହା ପରେ ଅଭିଯୋଗକାରିଣୀ ଗୋମାତା ଛତ୍ର ଛକରୁ କଳିଙ୍ଗ ଷ୍ଟୁଡ଼ିଓ ଛକ  ପାଶ୍ୱର୍କୁ ଚାଲି ଚାଲି ଯାଉଥିବା ସମୟରେ ପୁନର୍ବାର ଅଭିଯୁକ୍ତ ତାଙ୍କୁ ଗାଡିରେ ଯିବାକୁ କହିଥିଲେ । ଏହା ଦେଖି ଅଭିଯୋଗକାରିଣୀ ରାସ୍ତା କଡରେ ଥିବା ଏକ କାର ଆଡୁଆଳରେ ଲୁଚିଯାଇଥିଲେ । କିଛି ସମୟ ପରେ ଅଭିଯୁକ୍ତ ଜଣକ ସେଠାକୁ ଆସି ମହିଳାଙ୍କୁ ଜୋର ଜବରଜସ୍ତ ତାଙ୍କ ଓଢ଼ୋଣୀକୁ ଟାଣି ବାଇକରେ ବସିବାକୁ ବାଧ୍ୟ କରୁଥିଲେ । ଏହି ସମୟରେ ମହିଳା ଜଣଙ୍କ ଚିକ୍ରାର କରିବାରୁ କିଛି ଦୋକାନୀ ଦୌଡ଼ି ଆସି ମହିଳାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ କାବୁ କରିଥିଲେ । ପରେ ପିସିଆର ଡାକି ଜିମ୍ମା ଦେଇଥିଲେ ।