ପୁଣି ଅଶାନ୍ତ ପଦ୍ମକେଶରପୁର ;  ସୁଧ ଟଙ୍କା ପାଇଁ ଘରେ ପଶି ଶ୍ୱଶୁର,ବୋହୂଙ୍କୁ ହାଣିଲେ


 ଭୁବନେଶ୍ୱର, ୧୧ା୪ : ପୁଣି ଅଶାନ୍ତ ହେଲା ମଞ୍ଚେଶ୍ୱର ଥାନା ଅଧିନ ପଦ୍ମକେଶରପୁର ଗାଁ । ରାତିରେ ଘରେ ପଶି ଶ୍ୱଶୁର,ବୋହୂଙ୍କୁ ହାଣିଲେ ଏକ ଗୋଷ୍ଠୀ । ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର । ଆହତମାନେ ହେଲେ ଶ୍ୱଶୁର ସନାତନ ଦାସ ଓ ତାଙ୍କ ବୋହୂ ନିରୁପମା ଦାସ । ପୂର୍ବରୁ ମଧ୍ୟ ପଦ୍ମକେଶରପୁର ଗାଁରେ ଏହି ସୁଧ ଟଙ୍କାକୁ ନେଇ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ହୋଇଥିଲା ଗୋଷ୍ଠି ସଂଘର୍ଷ । ଯାହାକୁ ନେଇ ପୁଲିସକୁ ସେଠାରେ ମାଡ଼ ମଧ୍ୟ ଖାଇବାକୁ ପଡ଼ିଥିଲା । ପରେ ଗ୍ରାମରେ ମହିଳା ଓ ପୁରୁଷଙ୍କୁ ଗିରଫ କରି ଜେଲ ପଠାଇଥିଲା ପୁଲିସ । ଯାହାଫଳରେ ଗ୍ରାମ ସୁନ ହୋଇଯାଇଥିଲା । ଏନେଇ ପୁଣି ଗ୍ରାମ କମିଟି ଓ ପୁଲିସ ମଧ୍ୟରେ ଶାନ୍ତିକମିଟି ଗଠନ କରାଯାଇଥିଲା । ହେଲେ ଫେଲ ମାରିଛି ଶାନ୍ତିକମିଟି । ପୁଣି ଅଶାନ୍ତ ହୋଇପଡ଼ିଛି ପଦ୍ମକେଶରପୁର ଗାଁ ।
 ସୂଚନାଯୋଗ୍ୟ ଯେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ମହାଜନ କାରବାର କରୁଥିବା ବାବୁଲା ଦାସ ତାଙ୍କ ସହଯୋଗୀ ତାପସ ଦାସ ଓ ୪ରୁ ୫ଜଣ ଯୁବକ ସନାତନଙ୍କ ଘରେ ପହଞ୍ଚିଥିଲେ । ଏହି ସମୟରେ ସନାତନ ଓ ତାଙ୍କ ବୋହୂ ଘରେ ଖାଉଥିଲେ । ଏହି ସମୟରେ ସନାତନଙ୍କୁ ବାବୁଲା ସୁଧ ଟଙ୍କା ମାଗିଥିଲେ । ଏହାକୁ ନେଇ ସନାତନ ଓ ବାବୁଲାଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ଏହି ବଚସା ଉଗ୍ରରୂପ ନେଇଥିଲା । ପରେ ବାବୁଲା ଓ ତାଙ୍କର ସହଯୋଗ ସନାତନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ସମୟରେ ସନାତନଙ୍କ ବୋହୂ ପହଞ୍ଚି ବିରୋଧ କରିବାରୁ ତାଙ୍କୁ ମଧ୍ୟ ଖଣ୍ଡାରେ ଆକ୍ରମଣ କରିଥିଲେ । ପରେ ବାବୁଲା ତାଙ୍କ ସହଯୋଗୀ ବୋମାମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଶ୍ୱଶୁର,ବୋହୂଙ୍କୁ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହ ପୁଲିସକୁ ଘଟଣା ସଂପର୍କରେ ଜଣାଇଥିଲେ । ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ବେଳେ କୌଣସି ବିଶୃଙ୍ଖଳା ପରିସ୍ଥିତି ନଘଟିବ ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
୪ମାସ ତଳେ ସୁଧ ଟଙ୍କାକୁ ନେଇ ପଦ୍ମକେଶରପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ସୁଧ ଦେଇଥିବା ଗୋଷ୍ଠୀ ଓ ସୁଧ ଆଣିଥିବା ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ପରେ ଗାଁରେ ପୁଲିସ ଉପସ୍ଥିତିରେ ଶାନ୍ତିକମିଟି ବସି ସମାଧାନ ହୋଇଥିଲା । କୋର କମିଟି ଗଠନ ନ ହେବା ଯାଏ ସୁଧ ଟଙ୍କା ମାଗିବେନି ଗୋଷ୍ଠୀର ଲୋକଙ୍କୁ କୁହାଯାଇଥିଲା, ଏହାସ୍ୱତେ ଗତକାଲି ରାତିରେ ଏହି ସୁଧ ଟଙ୍କା ପାଇଁ ପଦ୍ମକେଶରପୁର ହଣାକଟା ହୋଇଛି ।