ସ୍ତ୍ରୀ ଓ ଝିଅକୁ ନିର୍ଯ୍ୟାତନା; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୨୮ା୧୦ : କିଛି ବର୍ଷ ହେବ ନିଜ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନିର୍ଯ୍ୟାତନା ଦେବା ସହ ନିଜ ଝିଅକୁ ଖରାପ କାମ କରିବାକୁ ଚାପ ପକାଉଥିଲା ପିଚାଷ ବାପା । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ନୟାପଲ୍ଲୀ ଗଣପତିନଗର ବସ୍ତିର ପ୍ରଭାତ କୁମାର ପ୍ରଧାନ ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀ ଜଣକ ନୟାଗଡ଼ ଜିଲ୍ଲାର ନିମ୍ନୋକ୍ତ ଅଭିଯୁକ୍ତ ପ୍ରଭାତକୁ ଗତ ୨୦୧୫ ମସିହାରେ ବିବାହ କରିଥିଲେ । ଉଭୟଙ୍କର ଦୁଇଟି କନ୍ୟା ସନ୍ତାନ ମଧ୍ୟ ଅଛନ୍ତି । ବିବାହର କିଛି ବର୍ଷ ଅତିକ୍ରାନ୍ତ ହୋଇଯିବା ପରେ ଅଭିଯୁକ୍ତ ପ୍ରଭାତ ଅଭିଯୋଗକାରିଣୀ ଅବା ସ୍ତ୍ରୀକୁ ନିୟମିତ ଭାବେ ମଦ ପି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ ମାରିବା ଆରମ୍ଭ କରିଦେଇଥିଲା । ଏହା ବ୍ୟତୀତ ସେ ଅଭିଯୋଗକାରିଣୀ ଏବଂ ଝିଅକୁ ଖରାପ କାମ କରିବା ଲାଗି ଚାପ ମଧ୍ୟ ପକାଉଥିଲା । ଫଳରେ ବାଧ୍ୟ ହୋଇ ଅଭିଯୋଗକାରିଣୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ, ପୁଲିସ ଅଭିଯୁକ୍ତକୁ କାବୁ କରିବା ସହିତ ସେପରି ଆଉ ଭବିଷ୍ୟତରେ ନକରିବା ଲାଗି ଚେତାବନୀ ଦେଇ ଛାଡିଦେଇଥିଲେ । କିନ୍ତୁ ଅଭିଯୁକ୍ତ ଜଣକ ପୁନର୍ବାର ପୂର୍ବ ଭଳି ମା, ଝିଅକୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହିତ ମାଡ ମଧ୍ୟ ମାରିଥିଲା । ଏନେଇ ପୁଣି ଅଭିଯୋଗକାରିଣୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।