ଶକ୍ତି ସଚିବ ବିଶାଲ ଦେବଙ୍କ ନୀଳଗିରି ଗସ୍ତ

 ନୀଳଗିରି : ବାଲେଶ୍ୱର ଗସ୍ତରେ ଆସିଥିବା ଶକ୍ତି ଓ ଆଇ.ଟି ବିଭାଗର ପ୍ରମୁଖସଚିବ ବିଶାଲ୍ ଦେବ ମଙ୍ଗଳବାର ପୂର୍ବାହ୍ନରେ ନୀଳଗିରି ବ୍ଲକ ଗସ୍ତ କରିଛନ୍ତି । ଏହି ଅବସରରେ  ଦେବ ନୀଳଗିରି ଉପଖଣ୍ଡ ହସ୍ପିଟାଲ୍ ପରିଦର୍ଶନ କରିଥିଲେ । ଡାକ୍ତରଖାନାର ବିଭିନ୍ନ ବିଭାଗ ପରିଦର୍ଶନ କରିବାସହ ରୋଗୀ ଓ ଡାକ୍ତରମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । କିଛି ରୋଗୀ ଯକ୍ଷ୍ମା ଔଷଧ ମିଳୁନଥିବା, ରୋଗୀ ତଳେ ଶୋଉଥିବା, ଦୀର୍ଘଦିନ ଧରି ଜଣେ ଡାକ୍ତର ବିଭିନ୍ନ ଆଳଦେଖାଇ ହସ୍ପିଟାଲ୍ ଛାଡୁନଥିବା ଅଭିଯୋଗ କରିବା ସହ ବନ୍ଦ ରହିଥିବା ବିଭିନ୍ନ ବିଭାଗ ଓ ଡାକ୍ତର ପଦବୀ ଗୁଡିକୁ ପୂରଣ କରିବାକୁ ଦାବୀ ହୋଇଥିଲା । ପରେ ଦେବ ନୀଳଗିରିର ସର୍ବପୁରାତନ କେସି ହାଇସ୍କୁଲ, ଅଯୋଧ୍ୟାରେ ଚାଲିଥିବା ମେଗା ଜଳଯୋଗାଣ ପ୍ରକଳ୍ପ ବୁଲି ଦେଖିବା ସହିତ ସଜନାଗଡ଼ ମା ଭୂଧାରଚଣ୍ଡୀ ମନ୍ଦିରରେ ପହଞ୍ଚି ସମୀକ୍ଷା କରିବା ସହିତ ମାଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ । ଏହିଗସ୍ତ କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ବାଲେଶ୍ୱର ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ନୀଳଗିରି ଉପଜିଲ୍ଲାପାଳ, ନୀଳଗିରି ବିଡିଓ,ତହସିଲଦାର ଏନଏସି ନିର୍ବାହୀ ଅଧିକାରୀ, ବାଲେଶ୍ୱର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।