ଆଥଲେଟିକ୍ ଚାମ୍ପିଅନସିପ୍ରେ ଦୁଇ ଦିବ୍ୟାଙ୍ଗ 

ନବରଙ୍ଗପୁର: ଦୁଇ ଦୃଷ୍ଟିବାଧିତ ଛାତ୍ର ଓଡ଼ିଶା ରାଜ୍ୟ କନିଷ୍ଠ ଓ ଉପକନିଷ୍ଠ ଆଥଲେଟିକ୍ ଚାମ୍ପିଅନସିପ୍ରେ ଭାଗ ନେଇ ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଦୁହେଁ ହେଲେ ଚନ୍ଦାହାଣ୍ଡି ବ୍ଲକ୍ ଧୋଡ଼ିପାଣି ପଞ୍ଚାୟତ ଅନ୍ତର୍ଗତ ପଲସାପଡ଼ା ଗ୍ରାମର ବିପିନ ଭୋଇ ଏବଂ ଆଉ ଜଣେ କୋଷାଗୁମୁଡ଼ା ବ୍ଲକ୍ କେ. ସେମଳା ପଞ୍ଚାୟତ ଅନ୍ତର୍ଗତ ଅଣ୍ଟାସରୁଗୁଡ଼ା ଗ୍ରାମରି ଜଗନ୍ନାଥ ଚଲାଣା ବର୍ତ୍ତମାନ ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ବିପିନ ଯୁକ୍ତ ୨ କଳା ଓ ଜଗନ୍ନାଥ ଯୁକ୍ତ ୩ କଳାରେ ପଢୁଛନ୍ତି । ପାଠ ସହିତ ଖେଳ ପ୍ରତି ରହିଥିବା ଅହେତୁକ ଦୁର୍ବଳତା ସେମାନଙ୍କୁ ଜୀବନର ଲକ୍ଷ୍ୟ ସାଧନ କରିବାରେ ସାହାଯ୍ୟ କରୁଥିବା ଜଗନ୍ନାଥ କହିଛନ୍ତି । ନବରଙ୍ଗପୁର ଜିଲ୍ଲାରେ କ୍ରୀଡା ଭିତ୍ତିଭୂମି ପାଇଁ କୌଣସି ସରକାରୀ ବ୍ୟବସ୍ଥା ନାହିଁ । ଏହାସତ୍ତ୍ୱେ ବିପିନ ୧୦୦ ମିଟର, ୪୦୦ ମିଟର ଦୌଡ଼ ଓ ଲମ୍ବ ଡିଆଁରେ ରୌପ୍ୟପଦକ ହାସଲ କରିଛନ୍ତି । ଜଗନ୍ନାଥ ୧୦୦ ମିଟର, ୨୦୦ ମିଟର ଓ ସଟଫୁଟରେ ରୌପ୍ୟପଦକ ପାଇଛନ୍ତି । ଉଭୟ ୩ଟି ଲେଖାଏଁ ପଦକ ପାଇ ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି । ଆଗକୁ ଜାତୀୟସ୍ତରରେ ଖେଳିବାକୁ ଜଗନ୍ନାଥ ଚୟନ ହୋଇଥିବା ସୂଚନା ମିଳିଛି  । ଦୁହେଁ ନବରଙ୍ଗପୁର ପହଞ୍ଚିବା ପରେ ଜିଲ୍ଲା ‘ସକ୍ଷମ’ ତରଫରୁ ସଭାପତି ସୁଜିତ ରଥ ଉପଢୌକନ ପ୍ରଦାନ କରି ସମ୍ବଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଚିବ ଏ. ସୁରେଶ ଶାସ୍ତ୍ରୀ, ସହ-ସଚିବ ୱାଇ. ପ୍ରଭାକର ପାତ୍ର, ନିହାର ମହାନ୍ତି, କିଶୋରୀ ପଟ୍ଟନାୟକ, ଶର୍ମିଷ୍ଠା ଦେଓ, ଲୋକନାଥ ପ୍ରଧାନ, ସ୍ୱର୍ଣ୍ଣଲତା ପଟ୍ଟନାୟକ, ଦାମିନୀବାଳା ନାୟକ, ପରମେଶ୍ୱରୀ ପାହାଡ଼ି, ରଞ୍ଜିତା ସାହୁ, ରମା ପାଢ଼ୀ, ବିକ୍ରମ ଜୈନ, ଶ୍ରୀକାନ୍ତ ପଣ୍ଡା ଉପସ୍ଥିତ ଥିଲେ ।