ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ 

 ତାଳଚେର : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ବୁଧବାର ନିଶାର୍ଦ୍ଧରେ ଚିହ୍ନଟ କରାଯାଇଛି  । ଗୋପାଳ ପ୍ରସାଦସ୍ଥିତ ମା ହିଙ୍ଗୁଳାଙ୍କ ପୀଠର ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ ଗୋପାଳପ୍ରସାଦ ହାଇସ୍କୁଲର ପାଚେରୀ ନିକଟସ୍ଥ ତଥା ଗଜରାଜ ଷ୍ଟାଡିୟମ ପରିସରରେ ମା’ ଅଗ୍ନିରୂପା ଆର୍ବିଭୂତ ହୋଇଛନ୍ତି  । ଗତକାଲି ମଧ୍ୟ ରାତ୍ରୀରେ ମୁଖ୍ୟ ଦେହୁରୀ ମା’ଙ୍କୁ ଶାବରୀ ମତରେ ପୂଜାର୍ଚ୍ଚନା କରି ବଶୀଭୂତ କରିଥିଲେ  । ଏହାପରେ ସେ କୋଇଲା ସଂଯୋଗ କରି ମା’ଙ୍କ ଉଭାସ୍ଥଳୀ ଚିହ୍ନଟ କରିଥିଲେ  । ସିଂହଡା ଯୋର ନିକଟରେ ମାଆଙ୍କର ଆବିର୍ଭାବ ହୋଇଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅପାର ଆନନ୍ଦ ଖେଳିଯାଇଛି  । ଏହି ଖବର ପାଇବା ପରେ ମାଆ ଅଗ୍ନିରୂପାଙ୍କ ଦର୍ଶନ କରିବାକୁ ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି  । ଆଜି ସକାଳୁ ମା ହିଙ୍ଗୁଳାଙ୍କ ଆର୍ବିଭାବ ସ୍ଥଳକୁ ମନ୍ଦିର ପ୍ରଶାସନ ପକ୍ଷରୁ ସଫା କରାଯାଇଛି  । ଉଭାସ୍ଥଳରେ ଭକ୍ତମାନେ ମାଆଙ୍କୁ ସ୍ପର୍ଶ କରି ପୂଜା କରିବାକୁ ବାରଣ କରାଯାଇଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଦୂରତାରୁ ମାଆଙ୍କ ଦର୍ଶନ କରିବାକୁ ମୁଖ୍ୟ ଦେହୁରୀ ଅନୁରୋଧ କରିଛନ୍ତି  ।  ଆଗାମୀ ୧୧ ତାରିଖରୁ ମା’ଙ୍କର ନବ ଦିନାତ୍ମକ ବାର୍ଷିକ ଯାତ୍ରା ଆରମ୍ଭ ହେବ  ।