ମାଟ୍ରିକ ଜିଲ୍ଲା ଟପ୍ପରଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା: କେନ୍ଦ୍ରାପଡା କ୍ରେଡିଟ କୋ ଅପରେଟିଭ ସୋସାଇଟି ପକ୍ଷରୁ ୨୦୨୫ ମସିହା ମାଟ୍ରିକ ପରୀକ୍ଷାରେ ଅବିଭକ୍ତ କଟକ ଜିଲ୍ଲାରେ ଟପ୍ପର ହୋଇଥିବା କୃତି ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କଟକ ଜିଲ୍ଲା ଟପ୍ପର ଚନ୍ଦନ କୁମାର ମହାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ଶୁଭମ ଜ୍ୟୋତି ରାଉତ, ଯାଜପୁର ଜିଲ୍ଲା ଟପ୍ପର ପ୍ରତୀକ୍ଷା ପ୍ରିୟଦର୍ଶିନୀ ପଣ୍ଡା, ଜଗତସିଂହପୁର ଜିଲ୍ଲା ଟପ୍ପର ଧୃତି ସୁନ୍ଦର ସ୍ୱାଇଁ । ସେହିପରି ଚଳିତ ବର୍ଷ ଯୁକ୍ତ ୨ ଆଇସିଏସସି ପରୀକ୍ଷାରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସେଣ୍ଟ ଜୋସେଫ ହାଇସ୍କୁଲର ଛାତ୍ରୀ ବିନିଶା ପ୍ରିୟଦର୍ଶିନୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସୋସାଇଟିର ସଭାପତି ତଥା ବିଶିଷ୍ଟ ସମବାୟବିତ୍ତ ଶ୍ରୀ ପ୍ରମୋଦ କୁମାର ସାହୁ ସଭାପତିତ୍ୱ କରି କହିଲେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରିବା ଦ୍ୱାରା ସେମାନଙ୍କୁ ପ୍ରେରଣା ମିଳିଥାଏ ।
ଏହି ସମ୍ବର୍ଦ୍ଧିତ ପ୍ରତିଭା ମାନେ ଆଗାମୀ ଦିନରେ ରାଜ୍ୟ ଓ ଦେଶ ଗଠନରେ ସହାୟକ ହେବେ ବୋଲି ସେ କହିଥିଲେ । ତେଣୁ ସେମାନେ ଏବେଠାରୁ ନିଷ୍ଠାର ସହ ଉଚ୍ଚ ଶିକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ । ଏହି କାର୍ଯ୍ୟକ୍ରମରେ ସୋସାଇଟିର ସମ୍ପାଦକ ପ୍ରହଲ୍ଲାଦ କୁମାର ସାହୁ, ଅତିରିକ୍ତ ସମ୍ପାଦକ ଅରବିନ୍ଦ ସାହୁ, ସିଜିଏମ ମନୋଜ ସାହୁ, ନୋଡାଲ ଅଫିସର ଦିଲ୍ଲୀପ ସ୍ୱାଇଁ, ଲ ଅଫିସର ବିଜୟ କୁମାର ଦାସ, ମୁଖ୍ୟ ଶାଖା ବରିଷ୍ଠ ପରିଚାଳକ ପଙ୍କଜ ମଲ୍ଲିକ, ମୁଖ୍ୟ କାର୍ଯ୍ୟାଳୟ ମ୍ୟାନେଜର ସୌଭାଗ୍ୟ ମଞ୍ଜରୀ ନାୟକ, ଏଜିଏମ ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ମାଟ୍ରିକ ପରୀକ୍ଷାର ପ୍ରତ୍ୟେକ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ୫ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ସେହିପରି ଯୁକ୍ତ ଦୁଇ ଆଇସିଏସସି ପରୀକ୍ଷାରେ କୃତ୍ତି ହାସଲ କରିଥିବା ଛାତ୍ରୀ ବିନିଶା ପ୍ରିୟଦର୍ଶିନୀଙ୍କୁ ୧୦ ହଜାର ଟଙ୍କା ଅର୍ଥରାଶି, ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପ୍ରୋସôାହନ ରାଶି ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟକ ହେବ ବୋଲି ସଭାପତି ଶ୍ରୀ ସାହୁ କହିଥିଲେ । ସମିତିର ଏହିଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।