ନିମ୍ନମାନର ରାସ୍ତା କାମ ଅଭିଯୋଗ ମରଣଯନ୍ତା ପାଲଟିଛି ରାଜଗଡ ରାସ୍ତା
ରାଜନଗର,: ରାଜନଗର ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗ ସବଡିଭିଜନ କାର୍ଯ୍ୟାଳୟର ଦୁର୍ନିତୀର ଗୁମର ଖୋଲିବାରେ ଲାଗିଛି ।
ନିକଟରେ ବାଘମାରୀ ପଞ୍ଚାୟତ ବଡକଣ୍ଟଆ ନାଳ ଉପରେ ବିଜୁସେତୁ ଯୋଜନାରେ ନିର୍ମାଣାଧିନ ସେତୁ ଛାତ ପଡିବା ପରେ ଦବି ଯାଇଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗ ବାଧ୍ୟହୋଇ ରାତାରାତି ଭାଙ୍ଗି ପୁନର୍ବାର ଛାଡ ପକାଇଥିଲା । କଣ୍ଡିରା ପଞ୍ଚାୟତ ଜଳିଛକଠାରୁ ଗୁପ୍ତି ପର୍ଯ୍ୟନ୍ତ ରାସ୍ତା, ସାନବଡଗୋପାଳପୁର ପଞ୍ଚାୟତର ଭାଟପଡାରୁ ଟାଙ୍ଗଣତୈ÷ଳା ପର୍ଯ୍ୟନ୍ତ ଯାଇଥିବା ରାସ୍ତା ନିମ୍ନମାନର କାମ କରି କୋଟିକୋଟି ଟଙ୍କା ହରିଲୁଟ ହେଉଥିବା ଅଭିଯୋଗ ହୋଇଥିଲା । ଏବେ ଅନ୍ୟ ଏକ ରାସ୍ତାରେ ନାମକୁ ମାତ୍ର ପିଚୁ ଘଷି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହୋଇଥିବା ରାଜଗଡ ଗ୍ରାମର ବହୁ ମୁରବୀ ଅଭିଯୋଗ କରିଛନ୍ତି । ରାଜନଗର-ତାଳଚୁଆ ପୂର୍ତ୍ତ ବିଭାଗରରୁ ରାଜଗଡ ଗ୍ରାମକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଅବସ୍ଥା ଶୋଚନୀୟ ହେବା ସହ ଦିନକୁ ଦିନ ମରଣଯନ୍ତା ପାଲଟୁଛି । ଏହି ରାସ୍ତାର ଆରମ୍ଭରୁ ଦୁଇଟି ପର୍ଯ୍ୟାୟରେ ବିଭାଗ ପକ୍ଷରୁ ୧୧ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପିଚୁ କାମ କରାଯାଇଛି । ଦୁଇମାସ ପୂର୍ବରୁ ଏହି ରାସ୍ତାରେ ୬ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଦୁଇମାସ ନପୁରୁଣୁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପିଚୁ କରାଯାଇଥିଲା । ଗତ ମାର୍ଚ୍ଚ ମାସରେ ସରିଥିବା ପିଚୁକାମ ମେ ମାସ ଶେଷ ନହେଉଣୁ ପିଚୁ ଉଠିଯାଇ ରାସ୍ତା ସାରା ଖାଲଖମା ହେବା ଘଟଣା ବିଭାଗର ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ପିସି ଲୋଭରେ ପିଚୁ ହେବା ସମୟରେ ଅନୁଧ୍ୟାନ ନକରିବାରୁ ଆମର ଏ ଦୁର୍ଦ୍ଦଶା ବୋଲି ଦେବବ୍ରତ ରାଉତରାୟ, ବୈ÷କୁଣ୍ଠବିହାରୀ ବିଶ୍ୱାଳ, ପ୍ରାକ୍ତନ ସମିତି ସଭ୍ୟ ପ୍ରଶାନ୍ତ କୁମାର ଯେନା, ବାସୁଦେବ ସେଠୀ, ସଂଜୟ ଜେନା, ସୁବଳ ସାହୁ, ଅକ୍ରୁର ରାଉତ ଓ ସଂଜୟ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସରକାର ପ୍ରତିବର୍ଷ ରାସ୍ତାଘାଟର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଉଛନ୍ତି । ମାତ୍ର ବିଭାଗୀୟ ଯନ୍ତ୍ରୀଙ୍କ ଅପାରଗତା ପାଇଁ ଲକ୍ଷାଧିକ ଟଙ୍କା ପାଣିରେ ପଡୁଛି । ଯାହାଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବା ଘଟଣା ବିଭାଗର ଦୁର୍ନିତୀକୁ ପଦାରେ ପକାଇଛି । ଏନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାଷଚନ୍ଦ୍ର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଚିରାଚରିତ ଢଙ୍ଗରେ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।