ବେପରୁଆ ଗାଡ଼ି ଚାଳକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ 

 ଢେଙ୍କାନାଳ :  ସହର ମଧ୍ୟରେ ବେପରୁଆ ଗାଡ଼ି ଚାଳନ ଓ ବିକଟାଳ ଶବ୍ଦ ସୃଷ୍ଟି କରି ଗାଡ଼ି ଚଲାଉ ଥିବା ଚାଳକଙ୍କୁ ଠାବ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ପରାମର୍ଶ ଦେଇଛନ୍ତି । ଚଳିତ ବର୍ଷ ଜାନୁଆରୀରେ ୩୮ଟି ଦର୍ଘଟଣାରେ ୧୯ ଜଣ ଏବଂ ଫେବୃଆରୀରେ ୨୩ଟି ଦୁର୍ଘଟଣାରେ ୧୩ଜଣ ମୃତୁ୍ୟ ବରଣ କରିଛନ୍ତି ।  ଜିଲ୍ଲା କାର୍ଯ୍ୟାଳୟ ସଦ୍ଭାବନା ସଭା ଗୃହ ଠାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା  । ପ୍ରାରମ୍ଭରେ ରାସ୍ତା ଓ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଜୟନ୍ତ ପ୍ରସାଦ ନାୟକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖିଗାଡ଼ି ଚାଳନାରେ ସମୟ ପରିବର୍ତ୍ତନ, ଗାଡ଼ିରେ ପାଣି ଓ ଆବଶ୍ୟକ ଓଆରଏସ. ପାଉଡ଼ର ରଖିବା, ଜାତୀୟ ରାଜପଥରେ ହାଇମାକ୍ସ ଲାଇଟ ସ୍ଥାପନ କାର୍ଯ୍ୟର ଅଗ୍ରଗତି, ଅଣ୍ଡର ବାଇପାସ ନିର୍ମାଣ କାର୍ଯ୍ୟ, ବେଆଇନ ରାସ୍ତା କଟିଂ ବନ୍ଦ, ସମସ୍ତ ସ୍କୁଲ ସମ୍ମୁଖରେ ସାଇନେଜ ସ୍ଥାପନ, ରୋଡ୍ ସାଇନେଜ ଦ୍ୱାରା ଜନ ସଚେତନତା ସୃଷ୍ଟି ଆଦି ସଂପକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଭାତ କୁମାର ବିଶ୍ୱାଳ, ଏମ୍ଭିଆଇ  ଦେବାଶିଷ ସ୍ୱାଇଁ, ରାପିଡ୍ ରେସ୍ପନସ୍ ଟିମର ସଂଯୋଜକ ବିରଞ୍ଚି ନାରାୟଣ ପାଣି, କମିଟିର ସଦସ୍ୟ  ରତନ କୁମାର ନାୟର, ପୌର ନିର୍ବହୀ ଅଧିକାରୀ  ସୁକାନ୍ତ ଚନ୍ଦ୍ର ବେଉରା, ଜାତୀୟ ରାଜପଥ ପ୍ରାଧିକରଣର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଗତବର୍ଷ ଜାନୁଆରୀରେ ୪୨ଟି ଦୁର୍ଘଟଣାରେ ୨୨ଜଣ  ଏବଂ ଫେବୃଆରୀରେ ୩୮ଟି  ଦୁର୍ଘଟଣା ଘଟି ୧୬ ଜଣ ମୃତୁ୍ୟବରଣ କରିଥିଲେ । ଚଳିତ ବର୍ଷ ଜାନୁଆରୀରେ ୩୮ଟି ଦୁର୍ଘଟଣାରେ ୧୯ ଜଣ ଏବଂ ଫେବୃଆରୀରେ ୨୩ଟି ଦୁର୍ଘଟଣାରେ ୧୩ଜଣ ମୃତୁ୍ୟବରଣ କରିଛନ୍ତି ବୋଲି ଆରଟିଓ  ପ୍ରଣୟ କୁମାର ମିଶ୍ର ସୂଚନା ପ୍ରଦାନ କରିଥିଲେ ।