ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱ ନେଲେ ବିଡିଓ 

 ଜଟଣୀ : ଜଟଣୀ ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଗିରଫ ହେବା ପରେ ଜନସାଧାରଣ ମାନେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ବେଳେ, ଅଫିସ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସରକାରଙ୍କ ବିଭାଗୀୟ ନିଦେ୍ର୍ଦଶ କ୍ରମେ ଜଟଣୀ ବ୍ଲକ୍ରେ ପ୍ରଥମ ମହିଳା ବିଡିଓ ଭାବେ ଦେଢ଼ବର୍ଷ ଧରି ସଫଳତାର ସହିତ କାର୍ଯ୍ୟ କରିଆସୁଥିବା ରଶ୍ମୀତା ନାଥ ପୌର ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅପରପକ୍ଷେ ସେ ଜଟଣୀ ବ୍ଲକ୍ କାର୍ଯ୍ୟାଳୟରେ ଯୋଗଦେବା ପରେ ଜନସାଧାରଣଙ୍କୁ ସେମାନଙ୍କ ମୌଳିକ ସୁବିଧା ଓ ସୁଯୋଗକୁ ପ୍ରାଥମିକସ୍ତରରେ ଗୁରୁତ୍ୱ ଦେବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇ ସମସ୍ତଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି । ଅନ୍ୟପକ୍ଷରେ ସେ ଦାୟିତ୍ୱ ଗ୍ରହଣ କରିବା ପରେ ପୌର ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ପୂର୍ବତନ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାର ଯବନିକା ପଡ଼ିବ ବୋଲି ବହୁ କାଉନସିଲର ମତ ଦେଇଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଶଶାଙ୍କଶେଖର ରାୟ, ବିଷ୍ଣୁ କୁମାର ସାହୁ, ବାଲା ମାର୍ଥା, ପୂର୍ବତନ କାଉନସିଲର ଲୁସେନ ରାୟ, ତପନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।