ଖାଲକୁ ଜଗିଛି ବାଉଁଶ ଫାଳ  ହାର୍ଡ଼ ବ୍ୟାରିକେଡ଼ କରିବାକୁ ବିପିସିଏଲ ଠିକାଦାର କୁନ୍ଥକୁନ୍ଥ କାହିଁକି?


ାା ପ୍ରଭାନୁ୍ୟଜ ।ା ବ୍ୟାସନଗର, : ବ୍ୟାସନଗର ପୌରାଞ୍ଚଳରେ ଗ୍ୟାସ ପାଇପ୍ ଲାଇନ ବିଛାଉଥିବା ବିପିସିଏଲର ଠିକାସଂସ୍ଥା ଠକାମିର ଏକ ଦୃଶ୍ୟ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ପାଇପ ବିଛାଇବା ପାଇଁ ଯେଉଁ ସ୍ଥାନକୁ ଖୋଳାଯାଉଛି, ତାର ଚାରିପାଖକୁ ହାଡ଼ ବ୍ୟାରିକେଟ କରିବାକୁ ବିପିସିଏଲ ପକ୍ଷରୁ କୁହାଯାଇଛି । ହେଲେ ପାଇପ ବିଛାଣ କାର୍ଯ୍ୟ କରୁଥିବା ଠିିକାସଂସ୍ଥା ହାଡ଼ ବଦଳରେ ବାଉଁଶ ଫାଳକୁ ସୁରକ୍ଷାବାଡ଼ ଭାବେ ଉପଯୋଗ କରିଛି । ଯାହା ପଶୁ ବା ମଣିଷର ସାମାନ୍ୟ ଧକ୍କା କେବଳ ନୁହେଁ ପବନରେ ମଧ୍ୟ ଟଳି ପଡ଼ିବ । ଏହାକୁ ଭଲ ଭାବେ ବୁଝିଥିବା ଠିକାସଂସ୍ଥା ଖର୍ଚ୍ଚାନ୍ତକୁ ଏଡ଼ାଇବାକୁ ଯାଇ ହାର୍ଡ଼ ବଦଳରେ ବାଉଁଶ ଫାଳକୁ ବାଲି ଭର୍ତ୍ତି କୁଣ୍ଡରେ ପୋତି ପାଇପ ପାଇଁ ଖୋଳା ଯାଇଥିବା ଚାରିକଡ଼େ ସୁରକ୍ଷାବାଡ଼ ଭାବେ ଠିଆ କରାଇଛି ।
 ବ୍ୟାସନଗର ପୌର ପ୍ରଶାସନକୁ ଲଲିପପ୍ ଧରାଇଥିବା ବିପିସିଏଲ ଭଳି ରାଷ୍ଟ୍ରୀୟ ସଂସ୍ଥା ସାଧାରଣ ଜନତା କି ପଶୁ ସଂପଦର ସୁରକ୍ଷା ପାଇଁ ଯେଉଁ ଭଳି ପଦକ୍ଷେପ ନେବା କଥା ତାହା କରିବା କ୍ଷେତ୍ରରେ ଆଗ୍ରହ ଦେଖାଇନି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଖବର ଥାଉକି ବିପିସିଏଲ ପକ୍ଷରୁ ବ୍ୟାସନଗର ପୌରାଞ୍ଚଳରେ ଗ୍ୟାସ ପାଇପ ଲାଇନ କାର୍ଯ୍ୟ କରାଯିବା ପରିପ୍ରେକ୍ଷୀରେ ପୌରପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନର ରାସ୍ତାକୁ ଖୋଳି ପକାଇ ଦିଆଯାଇଛି । ଯାହାକୁ ନେଇ ପୌରକାଉନସିଲ ବୈଠକରେ ପାରିଷଦ ଉଦବେଗ ପ୍ରକାଶ କରିବା ପରେ ସଂସ୍ଥାର ଅଧିକାରୀ ଚଳିତମାସ ୧୧ତାରିଖରେ ପୌରକାର୍ଯ୍ୟାଳୟରେ ଉପସ୍ଥିତ ରହି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ବେଳେ ବିପିସିଏଲ ୫ଲକ୍ଷର ସିକୁ୍ୟରିଟ ଅର୍ଥ, ଲାଇସେନ୍ସ ଫି ବାବଦରେ ୭ଲକ୍ଷ ୪୧ହଜାର ୯୬୩ ଟଙ୍କା ଜମା କରାଯାଇଥିବା ଦର୍ଶାଇଥିଲେ । ୨୦୧୯ରୁ କାର୍ଯ୍ୟ କରୁଥିବା ସଂସ୍ଥାକୁ ତାଗିଦ କରିବା ପୂର୍ବକ ପୌରକର୍ତ୍ତୃପକ୍ଷ ଯେଉଁ ୱାର୍ଡ଼ରେ ରାସ୍ତାକୁ ଖୋଳି ଦିଆଯାଇଛି, ତାହାକୁ ଆଗ ମରାମତି କରିବା ସହ ପରବର୍ତ୍ତି କାର୍ଯ୍ୟ କରିବାକୁ ଅନୁମତି ମିଳିବ ବୋଲି ସ୍ପଷ୍ଟ କରି ଦିଆଯାଇଥିଲା । ଏପରିକି ଖୋଳାସ୍ଥାନରେ ଯେଭଳି କୌଣସି ଦୁର୍ଘଟଣା ନଘଟେ ସେଥିପ୍ରତି ଯତ୍ନବାନ ହେବାକୁ କୁହାଯାଇଥିଲା । ପୌରାଞ୍ଚଳର ୨୬ଗୋଟି ୱାର୍ଡ଼ରେ କାର୍ଯ୍ୟ କରୁଥିବା ସଂସ୍ଥା ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲକୁ ଟାଳି ଦେଇ ଆସିଥିବା ବେଳେ ଏବେ ହାଡ଼ ବ୍ୟାରିଗେଡ଼ ବଦଳରେ ବାଉଁଶ ଫାଳକୁ ବାଡ଼ା ଭାବେ ବ୍ୟବହାର କରୁଛି । ବାଉଁଶ ବାଡ଼ା କେତେ ସୁରକ୍ଷିତ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବା ବେଳେ ବିପିସିଏଲ ଠିକାସଂସ୍ଥାର ଏଭଳି ମନୋଭାବକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।