ମା’ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା : ହଜାର ହଜାର ଭକ୍ତଙ୍କ ସମାଗମ
ଦେବଗଡ଼ : ତିଳେଇବଣୀ ବ୍ଲକ ଅନ୍ତର୍ଗତ ବାସୁଦେବପୁର ଗ୍ରାମର ମା’ ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ପାହାଡ଼ରେ ମା’ଙ୍କ ଏହି ପୀଠରେ ମନସ୍କାମନା ପୂରଣ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ପ୍ରତ୍ୟେକ ବର୍ଷ ଜ୍ୟୋଷ୍ଠ ତ୍ରୟୋଦଶୀ ତିଥିରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ପାହାଡ଼ ଗୁମ୍ଫାରେ ପୂଜା ପାଉଥିବା ବେଳେ ପ୍ରତ୍ୟହ ମା’ଙ୍କ ପାଖରେ ପହଞ୍ଚି ପୂଜାର୍ଚ୍ଚନା ସମ୍ଭବ ହେଉ ନଥିବାରୁ ସୁଗୁଡ଼ା ଗ୍ରାମରେ ମା’ଙ୍କର ଏକ ଆସ୍ଥାନ ସ୍ଥାପନ କରାଯାଇ ପ୍ରତ୍ୟହ ପୂଜାର୍ଚ୍ଚନା କରାଯାଉଛି । ପ୍ରଥା ଅନୁସାରେ ସୁଗୁଡ଼ାରେ ଥିବା ମା’ଙ୍କ ଆସ୍ଥାନରେ ପ୍ରଥମେ ପୂଜା କରାଯାଇଥିଲା । ପରେ ଦେହୁରୀ ଶଙ୍ଖ, ଘଣ୍ଟ, ବାଦ୍ୟର ତାଳେତାଳେ ପାହାଡ଼ ରାସ୍ତାଦେଇ ମା’ଙ୍କ ପୀଠଥିବା ପାହାଡ଼ ଗୁମ୍ପାରେ ପୂଜାର୍ଚ୍ଚନା କରାଯିବା ସହ ବହୁ ସଂଖ୍ୟାରେ ମାନସିକଧାରୀଙ୍କ ମନସ୍କାମନା ପୂରଣ ପାଇଁ ବଳି ପକାଯାଇଥାଏ । ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମରେ ଏହି ପର୍ବତ ଲୋକାରଣ୍ୟ ହୋଇ ପଡ଼ିଥିଲା । ଜନସମାଗମ ଦୃଷ୍ଟିରୁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ତେବେ ଏହି ସ୍ଥାନର ଉନ୍ନତି ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀରେ ଏହି ସ୍ଥାନକୁ ଅନ୍ତର୍ଭୁକ୍ତ କରିବା ନେଇ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି । ଏହି ଅବସରରେ ଦେବଗଡ଼ ଧର୍ମେନ୍ଦ୍ର ପ୍ରଧାନ ଫେନ କ୍ଳବ ପକ୍ଷରୁ ଅନ୍ନ ଭୋଗ ଏବଂ ଥଣ୍ଡା ପାନୀୟ ଜଳ ମଧ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ଏସ୍ସି ମୋର୍ଚ୍ଚା ସଭାପତି ପ୍ରଜିତ ଭୋଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ବିଜେପି ନେତା ସୁଧିର କାପର୍ଦାର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଏଥିରେ ଲକ୍ଷ୍ମଣ ପ୍ରଧାନ, ସୁଜିତ ପ୍ରଧାନ ଏବଂ ମୁନା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ କ୍ଲବର ସଦସ୍ୟ ସୁଶିଲ ଭୋଇ, ବିରେନ୍ଦ୍ର ନାଏକ, ନିଳମଣୀ ଆଚାର୍ଯ୍ୟ, ପ୍ରୀତି ପରିମିତା ବେହେରା, ସାବିତ୍ରୀ ଭୋଜ, ମକରଧ୍ୱଜ ହସ୍ତୀ, ପଙ୍କଜ ପାତ୍ର, ସୁମନ୍ତ ଭୋଜ, ଲିପନ ସୁହୁଳା, ମଙ୍ଗଳ ମୁଖୀ, ଦୀପକ ମୁଖୀ, ବିଜୟ ପାତ୍ର, ବଳରାମ ରଣଜିତ, ଦୁଃଶାସନ ନାଏକ, ଭରତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।