ମାଳିଙ୍କ ଭରସାରେ ପାନ୍ଥଶାଳା
ଖୋର୍ଦ୍ଧାରୁ ସ୍ୱତନ୍ତ୍ର ପ୍ରତିନିଧି : ପର୍ଯ୍ୟଟନର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି । ସେହିଭଳି ଦେଶର କୋଣ ଅନୁକୋଣ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କ ସୁଅ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଉଷ୍ମ ପ୍ରଶବଣକୁ ଛୁଟୁଛି, ହେଲେ ଏହି ପର୍ଯ୍ୟଟନ ସ୍ଥଳୀର ଅବସ୍ଥା ଏବେ ନକହିଲେ ଭଲ । ପର୍ଯ୍ୟଟନ ବିଭାଗ ଏଠାରୁ ମୁଣ୍ଡପିଛା ୫ ଟଙ୍କା ଲେଖାଏଁ ଆଦାୟ କରୁଛି । କିନ୍ତୁ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକୀୟ ମୌଳିକ ସୁବିଧା ଯୋଗାଇ ଦେଉନି । ଏହି ପର୍ଯ୍ୟଟନ ସ୍ଥଳୀରେ ପାଣିର ଉକ୍ରଟ ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ମରାମତି ହେଉଥିବା ଶୌଚାଳୟରେ ଏବେ ତାଲା ଝୁଲୁଛି । ସେହିଭଳି ଏଠାକୁ ଆସୁଥିବା ପର୍ଯ୍ୟଟକ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି । କେବଳ ବର୍ଷକୁ ଥରେ ମକର ମେଳା ଆସିଲେ ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନ ଏବଂ ବିଭାଗ ତତ୍ପର ହୋଇ ଉଠନ୍ତି । ସାମୟିକ ଭାବେ ପଞ୍ଚାୟତରୁ ପର୍ଯ୍ୟଟନ ସ୍ଥଳୀକୁ ଜଳର ବ୍ୟବସ୍ଥା କରି ବାହାବା ନିଅନ୍ତି । ମକର ମେଳା ସରିଲେ ପୂର୍ବବତ ପାନୀୟ ଜଳ ସମସ୍ୟା ଉପୁଜେ । ସେପଟେ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ବିଭାଗ ପକ୍ଷରୁ ଦୀର୍ଘଦିନ ପୂର୍ବରୁ ଏକ ପାନ୍ଥଶାଳା ନିର୍ମାଣ କରାଯାଇଥିଲା । ଯେଉଁଥିରେ ୪ଟି ଡବଲ ବେଡ୍ରୁମ ଓ ଦୁଇଟି ଡରମିଟୋରିର ସୁବିଧା ରହିଛି । କିନ୍ତୁ ପନ୍ଥଶାଳା କୋଠରୀ ଭିତର ଦେଖି ପର୍ଯ୍ୟଟକ ନାକ ଟେକିବା ସହ ରହିବାକୁ ଭୟ କରୁଛନ୍ତି । ଆବଶ୍ୟକ କର୍ମଚାରୀ ଅଭାବ ସାଙ୍ଗକୁ କବାଟ ଝରକା ମେଲା ପଡିଛି ।
ଖାଲି ଏତିକି ନୁଁହ ଛାତରୁ ପ୍ଲାଷ୍ଟର ଖସି ରଡ୍ ଦେଖାଯାଉଥିବା ବେଳେ, ପଡିଥିବା ଖଟ ଓ ଗଦି କଥା ନକହିବା ଭଲ । ଏହି ପର୍ଯ୍ୟଟନସ୍ଥଳୀ ଓ ପାନ୍ଥଶାଳା ଦାୟିତ୍ୱରେ ବିଭାଗ ପକ୍ଷରୁ ଦୁଇଜଣ ରୁମ୍ ବଏ, ଦୁଇଜଣ ମାଳି, ଦୁଇଜଣ ସୁଇପର, ଟିକେଟ ଆଦାୟକାରୀ ଏବଂ ଜଣେ ରାତ୍ରି ଜଗୁଆଳଙ୍କ ପାଇଁ ପଦବୀ ରହିଛି । କିନ୍ତୁ ବିଭାଗ ଜଣେ ମାଲିକଙ୍କ ଭରଷାରେ ସମ୍ପୂର୍ଣ୍ଣ ଦାୟିତ୍ୱ ଛାଡି ଦେଇ ଚୁପ୍ ବସିଛି । ଜଣେ ବ୍ୟକ୍ତି କିଭଳି ଏତେବଡ ପର୍ଯ୍ୟଟନ ସ୍ଥଳୀ ଓ ପାନ୍ଥଶାଳାକୁ ସମ୍ଭାଳିବ ତାହା ଆଶ୍ଚର୍ଯ୍ୟ କରୁଛି । ପ୍ରତିଦିନ ଟିକେଟ ବାବଦ ଆଦାୟ ଅର୍ଥକୁ ବିଭାଗ ନିଜ ରୋଜଗାର ଦେଖାଇ ସରକାରଙ୍କ ନିକଟରେ ବାହାବା ନେଉଛି । କିନ୍ତୁ ବିକାଶ କ୍ଷେତ୍ରରେ ଚୁପ୍ ବସିଛି ବିଭାଗ । ଏହି ପର୍ଯ୍ୟଟନ ସ୍ଥଳୀକୁ ପାନୀୟ ଜଳ ସୁବିଧା ନ ଥିବା କାରଣରୁ ପର୍ଯ୍ୟଟକମାନେ ନା ନା ସମସ୍ୟାର ସମୁଖୀନ ହୋଇ ଆଉଥରେ ଆସିବାକୁ ମନ ବଳାଉ ନଥିବା ସରପଞ୍ଚ ସମିତି ବୈଠକରେ ଉପସ୍ଥାପନ କରିଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରୁନି । ବର୍ଷ ତମାମ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିବା ସହ ବିଭିନ୍ନ ସମୟରେ ବିବାହ ବ୍ରତ, ଜନ୍ମଦିନ, ନିର୍ବନ୍ଧ ଆଦି କାର୍ଯ୍ୟକ୍ରମ ପାଇଁ ଏହା ପ୍ରକୃଷ୍ଠ ସ୍ଥାନ ହୋଇଥିବାବେଳେ, ଏଠାରେ ଭୋଜିଭାତ କରିବା ପାଇଁ ଭିଡ ଜମେ । ସେଥିରୁ ମଧ୍ୟ ବିଭାଗ ଭଲ ଦୁଇପଇସା ରୋଜଗାର କରୁଛି । କିନ୍ତୁ ରାଜସ୍ୱ ଆଦାୟ ବଦଳରେ ସେବା ଦେବାକୁ ବିଭାଗ କାହିଁକି ପଛଘୁଞ୍ଚା ଦେଉଛି ତାହା ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି । ଉଷ୍ଣପ୍ରସବଣ ସ୍ଥଳୀର ମୁଖ୍ୟ କୁଣ୍ଡରୁ ପଥର ଖସିବା ସହ ଲୁହା ସୁରକ୍ଷା ପ୍ରାଚୀର କଳଙ୍କି ଲାଗି ଭାଙ୍ଗି ରୁଜି ଗଲାଣି ।କେତେବେଳେ ଯେ, ବଡ଼ ଦୁର୍ଘଟଣା ନଘଟିବ କିଏ କହିବ । ସରକାର ବଦଳିବା ପରେ ଉପ ମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ଏହି ସ୍ଥଳୀକୁ ଆସି ଏହାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ପ୍ରତିଶୃତିକୁ ମାସ ମାସ ବିତି ଯାଇଥିଲେ ମଧ୍ୟ ବିକାଶତ ଦୂରର କଥା ଏହାର ମୌଳିକ ସମସ୍ୟାର ସମାଧାନ ହୋଇପାରିନି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । ସେପଟେ ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ଘଟଣାକୁ ସ୍ୱୀକାର କରିବା ସହ ତାଙ୍କ ହାତରେ କିଛି ନାହିଁ କହି ଅସହାୟ ପ୍ରକାଶ କରିଛନ୍ତି ।