ମୁକୁନ୍ଦପାତ୍ର କଲେଜ ରାସ୍ତା ଫାଟି ଆଁ : ଗ୍ରାମ୍ୟ ଉନ୍ନୟନ ବିଭାଗର ଦୃଷ୍ଟି ପଡ଼ିବ କେବେ?
କବାଟବନ୍ଧ : ରକ୍ଷଣା ବେକ୍ଷଣ ଅଭାବରୁ ମୁକୁନ୍ଦପାତ୍ର କଲେଜ ରାସ୍ତା ଫାଟି ଆଁ କରିଛି । ଦୀର୍ଘମାସ ହେବ ରାସ୍ତା ଅବସ୍ଥା ଏମିତି ହୋଇପଡ଼ିଥିଲେ ହେଁ ମରାମତି ଦିଗରେ ଉଦ୍ୟମ କରାଯାଉନି । ଯାହା ଫଳରେ ରାସ୍ତା ଉପରେ ନିର୍ଭର କରୁଥିବା ଛାତ୍ରଛାତ୍ରୀ, ଅଧ୍ୟାପକଅଧ୍ୟାପିକା ଏବଂ ସର୍ବେପରି ସାଧାରଣ ଜନତା ଛୋଟବଡ଼ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ଧର୍ମଶାଳା ବ୍ଲକ ମୁକୁନ୍ଦପାତ୍ର କଲେଜ ସମ୍ମୁଖ ଢ଼ଳେଇ ରାସ୍ତା ୩୦ଫୁଟ ଲମ୍ଭର ଫାଟି ଦୁଇ ଫାଳ ହୋଇଯାଇଛି । ସାଇକେଲ, ବାଇକ, ପଥଚାରୀ, ଗାଈ, ଗୋରୁ ସେଇ ଢ଼ଳେଇ ଫାଟ ପାଇଁ ବିଭିନ୍ନ ସମସ୍ୟା ଭୋଗୁଛନ୍ତି । ୫୩ ନଂ ଜାତୀୟ ରାଜପଥ ରାଇଛନ୍ଦା ପଂଚାୟତ କନ୍ତପଡ଼ା ଛକ ଠାରୁ ଭାୟା ମୁକୁନ୍ଦ ପାତ୍ର କଲେଜ ଦେଇ ତାଳଜଙ୍ଗ ପଂଚାୟତ ବଳରାମପୁରକୁ ସଂଯୋଗ କରୁଛି । ଏହି ରାସ୍ତାଟି ଗ୍ରାମ ଉନ୍ନୟନ ବିଭାଗ ଅଧିନରେ ରହିଛି । ରାସ୍ତାଟି ବେଶ ଚଳଚଞ୍ଚଳ । ରକ୍ଷଣବେକ୍ଷଣ ଏବଂ ମରାମତି ଅଭାବରୁ ବିଭିନ୍ନ ସ୍ଥାନରେ ପିଚୁ ଉଠିଗଲାଣି । ଯାହା ଗମନା ଗମନରେ ବାଧା ସୃଷ୍ଟି କରୁଛି । ଅନେକ ସମୟରେ ଯାତ୍ରୀ ଏହି ରାସ୍ତାରେ ପଡି ଆହତ ହେଉଛନ୍ତି । ସଂପୃକ୍ତ ରାସ୍ତାଟି ମୁକୁନ୍ଦପାତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମୁକୁନ୍ଦପାତ୍ର ଡିଗ୍ରୀ କଲେଜର ହଜାର ହଜାର ଛାତ୍ରଛାତ୍ରୀଙ୍କର ଏକମାତ୍ର ରାସ୍ତା ଅଟେ । ଦୈନଦିନ କଲେଜକୁ ଆସୁଥିବା ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକାଙ୍କ ଠାରୁ ଆରମ୍ଭ କରି କନ୍ତପଡ଼ା, ତୋଟାସାହି, ତଇଲାସାହି, ବଳରାମପୁର, ତାଳଜଙ୍ଗ ଆଦି ଅଂଚଳବାସୀଙ୍କ ପାଇଁ ଏହା ପ୍ରମୁଖ ରାସ୍ତା ଅଟେ । ଘରୋଇ ଶିକ୍ଷାନୁଷ୍ଠାନ, କୋଚିଂ ସେଂଟର, କମ୍ପୁଟର ସେଂଟର, ଜନ ସେବା କେନ୍ଦ୍ର ଆଦି ଅତ୍ୟାବଶ୍ୟକ କାର୍ୟ୍ୟ ପାଇଁ ଅନେକ ଲୋକ ଏହି ରାସ୍ତା ଉପରେ ଯିବା ଆସିବା କରିଥାନ୍ତି । ରାସ୍ତାର ଅଧିକାଂଶ ସ୍ଥାନ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ବଳରାମପୁର ଗାଁ ନିକଟରେ ଥିବା ରାସ୍ତା ଉପରୁ ପିଚୁ ଉଠିଗଲାଣି । ଫଳରେ ରାସ୍ତା ଉପରେ ଛୋଟ ଛୋଟ ଗୋଡି ସବୁ ପଡ଼ି ରହିଥିବା ଦେଖିବାକୁ ମିଳିଛି । ରାସ୍ତା ଯାତାୟାତ ଅନୁପଯୋଗୀ ହୋଇ ପଡ଼ିଥିଲେ ବି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି କିନ୍ତୁ ପଡ଼ିପାରୁନି । ତୁରନ୍ତ ରାସ୍ତା ମରାମତି ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।