ସ୍ଥାୟୀ ନିଯୁକ୍ତି ଦାବିରେ କନିଷ୍ଠ ଶିକ୍ଷକଙ୍କ ବିକ୍ଷୋଭ
ଯାଜପୁର ଟାଉନ: ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବି କରି ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳ ଅମ୍ବର କରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଇତିହାସରେ ବଡ ଐତିହାସିକ ନିଷ୍ପତିକୁ ସୁପାରିଶ କରିଥିବା ଚିଠି ନଂ.୨୧୨୬୮ତା୨/୮/୨୦୨୫ରିଖକୁ ପୁର୍ନବାର ସରକାରଙ୍କ ଅନୁମୋଦନ ଓ ତୁରନ୍ତ କାର୍ଯ୍ୟକାରୀ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ୮/୮/୨୦୨୫ ତାରିଖରେ କୌଣସି କାରଣ ଦର୍ଶା ନଯାଇ ବିଭାଗ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଥିଲା । ଯେଉଁ ସୁପାରିଶ ଦ୍ୱାରା ଓଡ଼ିଶାର ଧ୍ୱଂସ ପାଇବାକୁ ବସିଥିବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ନୂତନ ଦିଗ୍ଦର୍ଶନ ମିଳିପାରିଥାନ୍ତା । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଆରମ୍ଭରୁ ନିୟମିତ ଭାବେ ଶିକ୍ଷକ ନିଯୁକ୍ତି କରିବା, ନୂତନ ଶିକ୍ଷକ ପଦବି ସୃଷ୍ଟି କରିବା ଓ କନିିଷ୍ଠ ଶିକ୍ଷକ (ଯୋଜନା ଭିତିକ)କୁ ନିୟମିତ କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ । ଯାହାକୁ ଗଣଶିକ୍ଷା ବିଭାଗ ସୁପାରିଶ ମାଧ୍ୟମରେ ପୂରଣ କରିପାରିଥାନ୍ତା । ପୁନଶ୍ଚ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇ ପ୍ରଚଳନ କରିବାକୁ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା କରାଯାଇଥିବା ସୁପାରିିଶକୁ ହୃଦୟତାର ସହ ଗ୍ରହଣ କରି ଚଳିତ ମାସ ୧୭ତାରିଖ ସୁଦ୍ଧା ନିୟାମକରେ ପରିଣତ କରିବା ପାଇଁ ଶିକ୍ଷକ ସଂଘ ଦାବି କରିବା ସହ ଦାବି ପୂରଣ ନହେଲେ ରାଜରାସ୍ତାରେ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଥିଲେ । ଜିଲା କନିଷ୍ଠ ଶିକ୍ଷକ ସଂଘର ସଭାପତି ଶେଷଦେବ ଯଜ୍ଞକାମଦେଓ, ସମ୍ପାଦକ ସୌରଭ ମହାନ୍ତି, ଉପସଭାପତି ଲିପ୍ସିତା ଜେନାଙ୍କ ନେତୃତ୍ୱରେ ବିଭିନ୍ନ ବ୍ଲକ ଅଂଚଳରୁ ଶତାଧିକ କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।