ଏସଡ଼ିପିଓଙ୍କ ଦୁର୍ବ୍ୟବହାର;ଏସପିଙ୍କୁ ଅଭିଯୋଗ
ପାଣିକୋଇଲି/ବିଞ୍ଝାରପୁର: ଥାନାକୁ ଅଭିଯୋଗ ନେଇ ଆସୁଥିବା ଅଭିଯୋଗକାରୀଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରିବା ସହିତ ଏତଲା ଗ୍ରହଣ କରିବାକୁ ପୁଲିସ ବାଧ୍ୟ । ଏଥିରେ ବ୍ୟତିକ୍ରମ ହେଲେ ଥାନାବାବୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଲାକାଲି ସ୍ପଷ୍ଟ କରି ଦେଇଥିଲେ । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଦେ୍ର୍ଦଶ ଯାଜପୁର ଜିଲା ପୁଲିସକୁ କିଛି ଫରକ ପଡ଼ିନି । ଯାଜପୁର ଉପଖଣ୍ଡ ଅଧିକାରୀଙ୍କ ନିକଟକୁ ଅଭିଯୋଗ ନେଇ ଆସିଥିବା ସୂଚନାକର୍ମୀ ବିଞ୍ଝାରପୁର ଥାନା ଫତେପୁର ଗ୍ରାମର ସୀମନ୍ତ କୁମାର ପାତ୍ରଙ୍କ ଅଭିଯୋଗକୁ ଗ୍ରହଣ କରିବା ତ ଦୁରରେ କଥା ତାଙ୍କୁ ଦୁର୍ବ୍ୟବହାର କରି ଦପ୍ତରରୁ ବିଦା କରିଦେଇଥିବା ଅଭିଯୋଗ ଆଣି ଯାଜପୁର ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମତେ ଶନିବାର ଦିନ ସକାଳେ ବିଞ୍ଝାରପୁର ବଜାରକୁ ଯାଉଥିବା ବେଳେ ମାସଡ଼ା ବଜାରରେ ଏକ ହୋଟେଲରେ ଛିଡ଼ା ହୋଇ ଚା’ପିଉଥିଲେ । ଉକ୍ତ ସମୟରେ ମାସଡ଼ା ଗ୍ରାମର ସ୍ୱର୍ଗତ ଫକୀର ରାଉଳଙ୍କ ପୁଅ ଦିଲ୍ଲୀପ ପୂର୍ବ ରାଜନୈତିକ କାରଣକୁ ନେଇ ସୀମାନ୍ତଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ମାରିବା ଲାଗି ହାତ ଉଠାଇଲେ । ସୀମାନ୍ତ ଏନେଇ ବିଞ୍ଝାରପୁର ଥାନାରେ ଅଭିଯୋଗ କରିବାକୁ ଯିବା ସମୟରେ ଦିଲ୍ଲୀପଙ୍କ ଠାରୁ ଖବର ପାଇ ତାଙ୍କର କିଛି ସହଯୋଗୀ ଥାନା ନିକଟରେ ସୀମାନ୍ତଙ୍କୁ ଜଗିଥିଲେ । ଫଳରେ ସୀମାନ୍ତ ଭୟଭୀତ ହୋଇ ଥାନାରେ ଅଭିଯୋଗ କରିବା ପରିବର୍ତେ ଯାଜପୁର ଉପଖଣ୍ଡ ଅଧିକାରୀଙ୍କ ନିକଟରେ ଅଭିଯୋଗ ଦାଖଲ କରିବା ଲାଗି ଯାଜପୁର ଆସିଥିଲେ । କିନ୍ତୁ ଯାଜପୁର ଉପଖଣ୍ଡ ଅଧିକାରୀ ସୀମାନ୍ତଙ୍କ ଅଭିଯୋଗ ଶୁଣିବା ବଦଳରେ ତାଙ୍କୁ ଟାଉଟର ଶୀଘ୍ର ଏଠୁ ପଳା ବୋଲି କହିଥିଲେ । ଜଣେ କାର୍ଯ୍ୟରତ ଅଧିକାରୀଙ୍କ ନିକଟରୁ ଏକଥା ଶୁଣି ସୀମାନ୍ତ ଆଶ୍ଚର୍ଯ୍ୟ ହେବା ସହିତ ଅପମାନିତ ହୋଇ ପାଣିକୋଇଲି ସ୍ଥିତ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ ଦାଖଲ କରିଛନ୍ତି । ଆରକ୍ଷୀ ଅଧିକ୍ଷକ ତାଙ୍କର ଅଭିଯୋଗଟିକୁ ଗ୍ରହଣ ନକରି ତାଙ୍କୁ ଫେରାଇ ଦିଅନ୍ତି ତେବେ ସେ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ନ ମିଳିବାଯାଏ ଆବଶ୍ୟକ ପଡ଼ିଲେ ଧାରଣାରେ ବସିବେ ବୋଲି କହିଛନ୍ତି ।