ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦୁପତ୍ର ସଂଘର କୃତଜ୍ଞତା

 ଭୁବନେଶ୍ୱର  : ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କ ପାଇଁ  ମୁଖ୍ୟମନ୍ତ୍ରୀ କଲ୍ୟାଣ ପାଣ୍ଠିରେ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସ୍ଥା କରିଥିବାରୁ ଆଜି ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ବିଭିନ୍ନ ଜିଲ୍ଲାରୁ ଶହ ଶହ ସଂଖ୍ୟାରେ ଆସିଥିବା ଓଡିଶା କେନ୍ଦୁପତ୍ର ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଧନ୍ୟବାଦ ଓ କୃତଜ୍ଞତା ପ୍ରକାଶ କରିଥିଲେ । ବରଗଡ ସାଂସଦ ପ୍ରଦୀପ ପୁରୋହିତ ସଂଘର ସଦସ୍ୟମାନଙ୍କ ସହିତ ଉପସ୍ଥିତ ଥିଲେ  ।
ସୂଚନାଯୋଗ୍ୟଯେ, ରାଜ୍ୟର ୨୨ ଜିଲ୍ଲାରେ ୧୯ଟି ଡିଭିଜନ ଅଧିନରେ ପ୍ରାୟ ୯ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନଜୀବିକାର ମାଧ୍ୟମ ହେଉଛି କେନ୍ଦୁପତ୍ର  । ମୁଖ୍ୟମନ୍ତ୍ରୀ ନିକଟରେ ଦେବଗଡ ଗସ୍ତ ସମୟରେ ରାଜ୍ୟର କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ  । ଏହି ସହାୟତାରେ ସେମାନଙ୍କ ପାଇଁ ଚପଲ, କେରି ବନ୍ଧା କପଡା, ଟୋପି, ମସାରି ଓ କମ୍ବଳ ବାବଦକୁ ଅର୍ଥ ରାଶି ରହିଛି  ।
ରାଜ୍ୟର ୨୨ ଜିଲ୍ଲାରୁ ଆସିଥିବା ସଂଘର ସଦସ୍ୟମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେଯେ, ରାଜ୍ୟ ସରକାର ଆପଣଙ୍କ ବିକାଶ ଓ କଲ୍ୟାଣ ପାଇଁ ତତ୍ପର ଅଛନ୍ତି  । ନୂଆ ସରକାର ଗରିବ କଲ୍ୟାଣ ପାଇଁ ଅନେକ କାର୍ଯ୍ୟକ୍ରମ ଓ ଯୋଜନା କରିଛନ୍ତି  । ଏସବୁ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହାର ସୁଫଳ ପାଇବା ପାଇଁ ସେ ପରାମର୍ଶ ଦେଇଥିଲେ  । ଏଥିସହିତ ମହିଳା ସଦସ୍ୟାମାନଙ୍କୁ ଯୁଗାନ୍ତକାରୀ ସୁଭଦ୍ରା ସହାୟତା ରାଶିକୁ ବ୍ୟବସାୟରେ ସଠିକ୍ ଭାବେ ବିନିଯୋଗ କରି ଲକ୍ଷପତି ଦିଦି ହେବା ପାଇଁ ମୁଖ୍ୟମନ୍ତ୍ରୀ ଉସôାହିତ କରିଥିଲେ ।