ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ଓ ଜାତୀୟ ପୁରସ୍କୃତ ଶିକ୍ଷକ ସଂଗଠନର ଦାବିପତ୍ର ପ୍ରଦାନ
ବେତନଟୀ: ନିଖିଳ ଉକôଳ ରାଜ୍ୟ ଓ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ସଂଗଠନ ପକ୍ଷରୁ ପାଞ୍ଚଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଏଥିସହ ଦାବିପତ୍ରର ନକଲ ମଧ୍ୟ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ଓ ସଭାପତି, ମାଧ୍ୟମିକ ଶିକ୍ଷାବୋର୍ଡଙ୍କୁ ପ୍ରଦାନ କରାଯାଇଛି ବୋଲି ସଂଗଠନର ରାଜ୍ୟ ସାଧାରଣ ସଂପାଦକ ସଚ୍ଚିଦାନନ୍ଦ ମହାନ୍ତି ଏକ ପ୍ରେସ୍ ବିବୃତ୍ତି ଜରିଆରେ ଜଣାଇଛନ୍ତି । ୨୦୧୮ରୁ ୨୦୨୨ ମଧ୍ୟରେ ମନୋନୀତ ଶିକ୍ଷକ ମାନଙ୍କ ରାଜ୍ୟ ପୁରସ୍କାରକୁ ଅବିଳମ୍ବେ ପ୍ରଦାନ ସହ, ଓଡ଼ିଶା ନିପୁଣ ମେଳା ସହ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମରେ ପୁରସ୍କୃତ ଶିକ୍ଷକମାନଙ୍କ ସେବାର ବିନିଯୋଗ, କର୍ଯ୍ୟରତ ଓ ବିରତ ସମସ୍ତ ପ୍ରକାର କୃତି ଶିକ୍ଷକମାନଙ୍କୁ ବସ, ରେଳଗାଡି ଓ ବିମାନ ଯାତ୍ରାର ଟିକେଟରେ ରିହାତି, ସମସ୍ତଙ୍କୁ ଅବିଳମ୍ବେ ଚିକିତ୍ସା ଭତ୍ତା ପ୍ରଦାନ, ରାଜ୍ୟବ୍ୟାପୀ ୩୧୪ ବିଇଓ ଏବଂ ୩୦ଟି ଡିଇଓ ଅଫିସରେ କୃତି ଶିକ୍ଷକମାନଙ୍କ ନାମ ଫଳକ ଲଗାଯିବା ସହ କର୍ମରତ କୃତି ଶିକ୍ଷକମାନଙ୍କ ଚାକିରି କାଳ ୫ ବର୍ଷ ବୃଦ୍ଧି ସହ ୨ଟି ଅଗ୍ରୀମ ଇନ୍କ୍ରିମେଣ୍ଟ ଦେବାକୁ ଦାବି କରାଯାଇଛି । ରାଜ୍ୟ କିମ୍ୱା ଜାତୀୟସ୍ତରରୁ ପୁରସ୍କୃତ ହୋଇ ସାରିବା ପରେ ମଧ୍ୟ ରାଜ୍ୟସରକାର ସେମାନଙ୍କୁ କୌଣସି ସୁବିଧା ସୁଯୋଗ ଦେଉନଥିବା ଏବଂ ରାଜ୍ୟପାଳ ପୁରସ୍କୃତ କରିବା ପରେ ୨ ବର୍ଷ ଚାକିରି ବଢୁଥିବାକୁ ପରେ ୧୯୯୫ରୁ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ଦେବା ସହ ଚାକିରି ବୃଦ୍ଧି ବନ୍ଦ କରାଯାଇଛି । ସେହିଭଳି ୨୦୨୩ ମସିହାଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନାମରେ ଶିକ୍ଷକ, ବିଦ୍ୟାଳୟ, ସିଆରସିସି, ପରିଦର୍ଶକ ଇତ୍ୟାଦିଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯିବାର ଆରମ୍ଭ କରାଯାଇଛି । ତେଣୁ ୨୦୧୮ରୁ ବନ୍ଦ ଥିବା ରାଜ୍ୟ ପୁରସ୍କାର ଗୁଡିକୁ ଯଥାଶୀଘ୍ର ପ୍ରଦାନ କରାଯିବାକୁ ମଧ୍ୟ ଶ୍ରୀ ମହାନ୍ତି ଦୃଢ ଦାବି ଜଣାଇଛନ୍ତି ।