ମୁମ୍ବାଇକୁ ଭାରି ପଡ଼ିଲା ବେଙ୍ଗାଲୁରୁ

ନୂଆଦିଲ୍ଲୀ  : ରୋମାଞ୍ଚକର ମ୍ୟାଚ୍ ଥିଲା । ଶେଷ ପର୍ଯ୍ୟନ୍ତ ଟିଭି ସାମ୍ନାକୁ ଦର୍ଶନ ଚାହିଁ ରହିଥିଲେ । କିଏ ହାରିବ କିଏ ଜିତିବ ତାକୁ ନେଇ ଛାତିରେ ସ୍ପନ୍ଦନ ବଢ଼ି ଚାଲିଥାଏ । ଶେଷ ଦୁଇ ଓଭର ବେଳକୁ ଆଉ ୧୯ ରନ୍ ବାକି ଥାଏ ମୁମ୍ବାଇକୁ ଜିତିବା ପାଇଁ । ୧୯ ଓଭରର ପ୍ରଥମ ବଲ୍ ଓ ଦ୍ୱିତୀୟ ବଲ୍ରେ ମୁମ୍ବାଇର ଲଗାତର ଦୁଇଟି ୱିକେଟ ପଡ଼ିଗଲା । ତୃତୀୟ ବଲରେ ଅଳ୍ପକେ ଷ୍ଟମ୍ପ ଆଉଟ୍ରୁ ବର୍ତ୍ତି ଯାଇଥିଲେ ବୋଲ୍ଟ । ମୁମ୍ବାଇର ଜିତିବାର ସ୍ୱପ୍ନ ସେଇଠି ଭାଙ୍ଗିଯାଇଥିଲା । ଶେଷ ତିନି ବଲରେ ଆଉ ୧୭ ରନ୍ ବାକି ଥାଏ । ଚତୁର୍ଥ ବଲରେ ନମାମ ଧିର ଗୋଟିଏ ଚୌକା ମାରିଥିଲେ । ପଞ୍ଚମ ବଲରେ ସେ କ୍ୟାଚ୍ ଆଉଟ ହୋଇ ପାଭିଲିଅନ ଫେରିଯାଇଥିଲେ । ଶେଷ ବଲ୍କୁ ସାମ୍ନା କରିବା ପାଇଁ ବୁମ୍ରା ଆସି ବିଟ୍ ହୋଇଥିଲେ । ଆଉ ୧୨ ରନ୍ରେ ମୁ୍ମ୍ବାଇକୁ ହରାଇ ବାଜିମାରି ନେଇଥିଲା ରୟାଲ ଚାଲେଞ୍ଜର୍ସ ।       
ୱାଙ୍ଖଡେରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ବିସ୍ଫୋରଣ ବ୍ୟାଟିଂ । ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ରନ୍ର ପାହାଡ଼ ଛିଡ଼ା କରିଥିଲା ଆରସିବି । ୨୦ ଓଭରରେ ୨୨୧ ରନ୍ର ବିଶାଳ ସ୍କୋର କରିଥିଲା । ଫଳରେ ମୁମ୍ବାଇ ଆଗରେ ୨୨୨ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା । ବେଙ୍ଗାଲୁରୁ ପକ୍ଷରୁ ବିରାଟ୍ କୋହଲି ଏବଂ ଅଧିନାୟକ ରଜତ୍ ପାଟିଦାର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ସେହିପରି ୱିକେଟ୍ କିପର ବ୍ୟାଟର ଜିତେଶ ଶର୍ମା ୪୦ ରନ୍ର ଧୁଆଁଦାର ପାଳି ଖେଳିଥିଲେ । ମୁମ୍ବାଇ ପକ୍ଷରୁ ଟେଣ୍ଟ ବୋଲ୍ଟ ଓ ଅଧିନାୟକ ହାର୍ଦ୍ଦିକ୍ ପାଣ୍ଡ୍ୟା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ସେହିପରି ବିଘ୍ନେଶ ପୁଥୁର ଗୋଟିଏ ୱିକେଟ ନେଇଥିଲେ । 
ମୁମ୍ବାଇଠାରେ ସୋମବାର ଖେଳାଯାଉଥିବା ଆଇପିଏଲ୍ର ୨୦ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ଆରମ୍ଭରୁ ଫିଲିପ ସଲ୍ଟଙ୍କ ୱିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ବିରାଟ କୋହଲି ଓ ଦେବଦତ୍ତ ପଡ଼ିକଲ୍ଲଙ୍କ ମଧ୍ୟ ଏକ ଲଢୁଆ ଭାଗିଦାରୀ ଦେଖିବାକୁ ମିଳିଥିଲା । ବିରାଟ ୬୭ ରନ କରିଥିବାବେଳେ ପଡିକଲ୍ଲ ୩୭ ରନ କରିଥିଲେ । ସେହିପରି ରଜତ ପଟିଦାର ୬୪ ରନର ଉପଯୋଗୀ ପାଳି ଖେଳିଥିଲେ । ଶେଷ ଓଭରଗୁଡ଼ିକରେ ଜିତେଶ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ସେ ମାତ୍ର ୧୯ଟି ବଲରେ ୪୦ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨୨୧ ରନ କରିଥିଲା ।