ମେ’ ୧୦ରେ ରାଷ୍ଟ୍ରୀୟ ଲୋକ ଅଦାଲତ

 ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାସ୍ତରୀୟ ଓ ତାଲୁକସ୍ତରୀୟ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ’ ୧୦ ତାରିଖରେ ସମସ୍ତ ଅଦାଲତ, ସ୍ଥାନୀୟ ପୌରପରିଷଦସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସମସ୍ତ ତହସିଲ କାର୍ଯ୍ୟାାଳୟରେ ଅନୁଷ୍ଠିତ ହେବ  । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧିନ ମୋକଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ରାଜସ୍ୱ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦୁ୍ୟତ, ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ (ସାଲିସ ବିହୀନ ବିବାଦକୁ ବାଦ ଦେଇ) ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମନ୍ଧୀୟ (ଦରମା, ଭତ୍ତା ଓ ଅବସର କାଳୀନ ପ୍ରାପ୍ୟ), ମୋଟର ଯାନ ସମ୍ବଧୀୟ ଓ ଅନ୍ୟାନ୍ୟ ଦିୱାନୀ ମୋକଦମା ଇତ୍ୟାଦିର ଆପୋସ ସହମତିରେ ସମାଧାନ କରାଯାଇପାରିବ  । କେବଳ ବିଚାରଧିନ ମୋକଦ୍ଦମା ନୁହେଁ ପ୍ରାକ ମୋକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇ ନଥିବା), ଚେକ ବାଉନ୍ସ ମାମଲା, ବିଏସ୍ଏନ୍ଏଳ୍, ବ୍ୟାଙ୍କ ଋଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ଅନ୍ୟାନ୍ୟ ସାଲିସ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦିୱାନୀ ମୋକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ  । ଲୋକ ଅଦାଲତରେ ମୋକଦ୍ଦମା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେ ନାହିଁ ଏବଂ ଲୋକ ଅଦାଲତର ରାୟ ବୈଧ, ଚୁଡାନ୍ତ ଏବଂ ଅମଳ ଯୋଗ୍ୟ, ଯଦି କୌଣସି ବିଚାରଧିନ ମୋକଦମାର ସମାଧାନ ଲୋକ ଅଦାଲତ ମାଧ୍ୟମରେ ହୁଏ ଆଗରୁ ପଇଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ  । ଦୀର୍ଘଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ  । ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସୂଚନା ପ୍ରଦାନ କରାଯାଇଛି  ।