ମେଡିକାଲ କଲେଜ ଓ ଚିକିତ୍ସାଳୟକୁ ମିଳିବ ନିରବଚ୍ଛିନ୍ନ ବିଜୁଳି

ବାଲେଶ୍ୱର: ଟିପିଏନଓଡିଏଲ ବିଦୁ୍ୟତ୍ ବିତରଣର ଦାୟିତ୍ୱ ନେଇ ମାତ୍ର କେଇ ବର୍ଷ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ସାଙ୍ଗକୁ ଉତ୍ତମ ସେବା ଓ ନିରାପତ୍ତା ପ୍ରଦାନ କ୍ଷେତ୍ରରେ ଆଶାତୀତ ସଂସ୍କାର ଆଣିଛି । ସମ୍ପୃକ୍ତ ଜିଲ୍ଲାର ଚିକିତ୍ସାଳୟ, ମେଡିକାଲ କଲେଜ, ପାନୀୟ ଜଳ ଯୋଗାଣ କେନ୍ଦ୍ର, ସରକାରୀ ଅଫିସ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକୁ ନିରବଚ୍ଛିନ୍ନ ବିଦୁ୍ୟତ୍ ଯୋଗାଣ ସୁନିଶ୍ଚିତ କରିବାକୁ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି । ଏଣିକି ମେଡିକାଲ କଲେଜ ଓ ଚିକିତ୍ସାଳୟ ଗୁଡିକୁ ମିଳିବ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ସେବା । ଏହି କ୍ରମରେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ପିଏମଆର ମେଡିକାଲ କଲେଜକୁ ଏଣିକି ଗୁଣାତ୍ମକ ବିଜୁଳି ସେବା ମିଳିବ । ମିଳିଥିବା ସୂଚନା ମୁତାବକ ବିଦୁ୍ୟତ୍ ଯୋଗାଣ ପାଇଁ ପିଆରଏମ ହସ୍ପିିଟାଲ୍ ଓ ମେଡିକାଲ୍ କଲେଜ ପୂର୍ବରୁ ଏକ ୩୩ କେଭି ଓଭରହେଡ୍ ଲାଇନ ଉପରେ ନିର୍ଭର କରୁଥିଲା । ପ୍ରବଳ ବର୍ଷା ପବନ କିମ୍ବା ବାତ୍ୟା ଭଳି ସ୍ଥିତିରେ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଓଭରହେଡ୍ ଲାଇନ୍ କାରଣରୁ କଲେଜକୁ ବିଦୁ୍ୟତ୍ ସେବା ବ୍ୟାହତ ହେଉଥିଲା । ସମ୍ପୃକ୍ତ ମେଡିକାଲକୁ ନିରବଚ୍ଛିନ୍ନ ବିଦୁ୍ୟତ୍ ଯୋଗାଣ ସୁନିଶ୍ଚିତ କରିବା ଏବଂ ନିର୍ଭରଯୋଗ୍ୟ ସେବା ଯୋଗାଇବା ପାଇଁ ପିଏମଆର ମେଡିକାଲ୍ କଲେଜ ସବ୍ଷ୍ଟେସନରେ ଏକ ରିଙ୍ଗ୍ ମେନ୍ ୟୁନିଟ୍ ସ୍ଥାପନ ସହିତ ଏକ ଉତ୍ସର୍ଗୀକୃତ ୩୩ କେଭି ଭୂତଳ କେବୁଲ୍ ସଂଯୋଗ କରାଯାଇଛି । ଟିପିଏନଓଡ଼ିଏଲ ପକ୍ଷରୁ ଏନେଇ ସମସ୍ତ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଖାଲି ବାରିପଦାର ପିଆରଏମ ମେଡିକାଲ କଲେଜ ନୁହଁ, ବାଲେଶ୍ୱରର ଫକୀରମୋହନ ମେଡିକାଲ କଲେଜ ଓ ଚିକିତ୍ସାଳୟକୁ ମଧ୍ୟ ଗୁଣାତ୍ମକ ବିଜୁଳି ସେବା ସମାନ ଭିତିଭୂମି ପ୍ରସ୍ତୁତ କରାଯାଇଛି । ଏହା ସହ ଯାଜପୁର ମେଡିକାଲ କଲେଜ ଓ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବିଦ୍ୟୁତ ସଂଯୋଗ ପାଇଁ ସ୍ୱତନ୍ତ୍ର ଲାଇନ ପ୍ରସ୍ତୁତ କରାଯାଇଛି । ଯାଜପୁର ପାଇଁ ସାଢେ ପାଂଚ କିଲୋମିଟର ସ୍ୱତନ୍ତ୍ର କେବୁଲ ଲାଇନ ବିଛା ଯାଇଥିବା ବେଳେ ବାଲେଶ୍ୱର ପାଇଁ ଦେଢ କିମି, ବାରିପଦା ଓ ଭଦ୍ରକ ଚିକିତ୍ସାଳୟ ପାଇଁ ପ୍ରାୟ ୫୦୦ମିଟର ଲେଖାଏଁ ସ୍ୱତନ୍ତ୍ର କେବୁଲ ସଂଯୋଗ ହୋଇଛି । ସେହିପରି କେନ୍ଦୁଝର ମେଡିକାଲ କଲେଜ ଓ ଚିକିତ୍ସାଳୟକୁ ସମାନ ଢାଞ୍ଚାରେ ବିଦୁ୍ୟତ୍ ଯୋଗାଇବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଟିପିଏନ୍ଓଡିଏଲ ପକ୍ଷରୁ ସୂଚନା ମିଳିଛି ।