ସ୍ୱାସ୍ଥ୍ୟସେବା ନେଇ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

ବାଲେଶ୍ୱର : ଭାରତୀୟ ଜନତା ପାର୍ଟି କେନ୍ଦ୍ରର ମୋଦି ସରକାରଙ୍କ ଏଗାର ବର୍ଷ ପୂର୍ତ୍ତି ଓ ଓଡିଶାର ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛନ୍ତି । ହେଲେ ଏଇ ଦୁଇ ସରକାର ଓଡିଶାର ସୀମାନ୍ତବର୍ତ୍ତୀ ଏକ ଜିଲ୍ଲା ବାଲେଶ୍ୱରକୁ କ’ଣ ଅବଦାନ ଦେଇଛନ୍ତି ? ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ପ୍ରଶ୍ନ କରିଛନ୍ତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ସଂଜୀବ ଗିରି । ସ୍ଥାନୀୟ ସାଂସଦ ବିଧାୟକମାନେ ଜିଲ୍ଲାର ବିକାଶ କରାଯାଇଛି, ରାସ୍ତାଘାଟ ସବୁ କରୁଛୁ ବୋଲି ଡିଣ୍ଡିମ ପିଟିଛନ୍ତି । ମାତ୍ର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା, ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ କ’ଣ ସବୁ କରିଛନ୍ତି ଏଗାର ବର୍ଷ ମଧ୍ୟରେ ତାର ହିସାବ ବିଜେପିର ନିର୍ବାଚିତ ପ୍ରତିନିଧିଙ୍କ ନିକଟରେ ନାହିଁ । ଏହି ତିନୋଟି ପ୍ରସଙ୍ଗ ଉପରେ ବିକାଶ କରିଥିଲେ ଲୋକଙ୍କ ମୁଣ୍ଡ ପିଛା ଆୟ ବୃଦ୍ଧି ହୋଇଥାନ୍ତା ବୋଲି ଉଲ୍ଲେଖ କରି ବିଗତ ୨୦୦୯ରୁ ୨୦୧୪ମଧ୍ୟରେ ୟୁପିଏ ସରକାରଙ୍କ ଅମଳରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଯେଉଁ ସବୁ ବିକାଶ ଯୋଜନା ଆରମ୍ଭ ହୋଇଥିଲା, ସେ ସବୁକୁ ବାଦ୍‌ ଦେଲେ ଏଗାର ବର୍ଷ ମଧ୍ୟରେ କ’ଣ ସବୁ ଜିଲ୍ଲା ପାଇଁ କରିଛନ୍ତି ତାର ହିସାବ ସାଂସଦ କି ବିଧାୟକ ଦେଇପାରି ନାହାନ୍ତି । ଅପରପକ୍ଷରେ ରାଜ୍ୟ ସରକାର ଦୁଇଟି ଅତ୍ୟାଧୁନିକ ଶୌଚାଳୟ ୮୪ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଇଛନ୍ତି । ପଞ୍ଚ ତାରକା ହୋଟେଲରେ ବି ଶୌଚାଳୟ ଗୁଡିକରେ ଏତେ ଅର୍ଥ ଖର୍ଚ୍ଚ ହୋଇନଥିବା ସ୍ୱଚ୍ଛ ଭାରତ ଯୋଜନାରେ ଅନେକ ଶୌଚାଳୟ ନିର୍ମାଣ ପରେ କାହିଁକିି ଦୁଇଟି ଦୁର୍ମୁଲ୍ୟ ଶୌଚାଳୟ ନିର୍ମାଣ କରାଗଲା ତାର ଉତ୍ତର କିଏ ଦେବ?  ସେହିପରି ୟୁପିଏ ସରକାରଙ୍କ ଅମଳରେ ମେଡିକାଲ କଲେଜ ନିର୍ମାଣ ପାଇଁ ଯୋଜନା ହୋଇଥିଲା । ବାଲେଶ୍ୱର, ଭଦ୍ରକ,ମୟୁର ଭଞ୍ଜ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର କିଛି ଜିଲ୍ଲାର ରୋଗୀ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ବେଳେ ମୁଖ୍ୟ ଚିକତ୍ସାଳୟର ଅଧିକାଂଶ ନିଦାନ ବିଭାଗକୁ ରେମୁଣାର ଫକୀର ମୋହନ ମେଡିକାଲ ବିଭାଗକୁ ସ୍ଥାନାନ୍ତର କରି ନିଆଯାଇଛି ବୋଲି ଶ୍ରୀ ଗିରି ପ୍ରଶ୍ନ କରିଛନ୍ତି । ଯଦି ସ୍ଥାନ୍ତାନ୍ତର କରାଗଲା  ତେବେ ସବୁଯାକ ଅତ୍ୟଧୁନିକ ମେସିନ ଗୁଡିକ କାହିଁକି ସ୍ଥାନାନ୍ତର କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସରକାର କ’ଣ ଏକ ରେଫରାଲ ହସ୍ପିଟାଲରେ ରୂପାନ୍ତରିତ କରିବାକୁ ଷଡ଼ଯନ୍ତ୍ର କରୁନାହାନ୍ତି କି ବୋଲି ଶ୍ରୀ ଗିରି ପ୍ରଶ୍ନ ଉଠାଇଛନ୍ତି । ପୂର୍ବରୁ ମୋଦି ସରକାର ବାଲେଶ୍ୱରର ଏମ୍ସ ହସ୍ପିଟାଲକୁ ଚେନ୍ନାଇକୁ ସ୍ଥାନାନ୍ତର କରିଦେଇଥିଲେ । ଏବେ ମୋହନ ସରକାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଙ୍ଗୁ କରି ରୋଗୀଙ୍କ ଜୀବନ ସହ ଖେଳ ଖେଳିବାକୁ ଷଡ଼ଯନ୍ତ୍ର କରୁଛନ୍ତି । ଯଦି ପନ୍ଦର ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏହା ଉପରେ ସ୍ପଷ୍ଟୀକରଣ ନ ଦିଏ ତେବେ ରଥଯାତ୍ରା ପରେ ଜିଲ୍ଲା କଂଗ୍ରେସ ଦଳ ଏହି ପ୍ରସଙ୍ଗକୁ ନେଇ ରାଜ ରାସ୍ତାକୁ ଯିବ ବୋଲି ଶ୍ରୀ ଗିରି ଚେତାବନୀ ଦେଇଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ବରିଷ୍ଠ ନେତା ପଦ୍ମଲୋଚନ ଲେଙ୍କା ଓ ଅର୍ଚ୍ଚନା ନନ୍ଦି ପ୍ରମୁଖ ଉପସ୍ଥିତ ରହିଥିଲେ ।