ଅବହେଳିତ ଶିଶୁ ସମ୍ପଦ
ଆଜିର ଶିଶୁ କାଲିର ନାଗରିକ । ଏମାନେ କେବଳ ଦେଶର ଭବିଷ୍ୟତ ନୁହଁନ୍ତି, ଦେଶର ସମ୍ପଦ ଅଟନ୍ତି । ତେଣୁ ଶିଶୁ ସମ୍ପଦର ସୁରକ୍ଷା ଜରୁରି ଅଟେ । ପ୍ରତ୍ୟେକ ଶିଶୁ କିପରି ସୁସ୍ଥସୁନ୍ଦର ହୋଇ ବଞ୍ଚିରହିବ ତାର ଦାୟିତ୍ୱ ନେବା ପ୍ରତ୍ୟେକ ରାଷ୍ଟ୍ରର ପ୍ରଧାନ କର୍ତ୍ତବ୍ୟ । ଏଥିପାଇଁ ଯୋଜନାର ଅଭାବ ନାହିଁ, ହେଲେ ଏହି ଯୋଜନା ଗୁଡିକ ଦିଗହରା । ଆମ ଦେଶ କଥା ବିଚାରକୁ ନେଲେ ଏଥିପାଇଁ ସାମ୍ବିଧାନିକ ବିଧିବ୍ୟବସ୍ଥା ଓ ଆଇନଗତ ବ୍ୟବସ୍ଥା ରହିଛି । ଏସବୁ ସତ୍ତ୍ୱେ, ବାଲ୍ୟ ଖୁସି ସତେ ଯେମିତି ତା ପାଇଁ ସାତ ସପନ ହୋଇଛି । ଫଳସ୍ୱରୂପ, ଶିଶୁ ମାନଙ୍କର ସୁରକ୍ଷା ନେଇ ଅନେକ ପ୍ରଶ୍ନବାଚୀ । ଆମ ଦେଶରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଆହାର ଅଭାବରୁ ହଜିଯାଉଛି ଶିଶୁ ସୁଲଭ ଚପଳତା । ସୂଚନାଯୋଗ୍ୟ ଯେ, ଶିଶୁଟି ଯଦି ଦୁଇଓଳି ଦୁଇମୁଠା ପେଟପୂରା ଖାଦ୍ୟ ଖାଇବାକୁ ପାଇବ ନାହିଁ ଓ ଦି’ ଅକ୍ଷର ପାଠ ପଢିବାର ସୁଯୋଗ ପାଇବ ନାହିଁ, ତାହାହେଲେ ସେ ଶିଶୁ ଶ୍ରମିକ ହେବାକୁ ବାଧ୍ୟ ହେବ । ଏକ ପରିସଂଖ୍ୟାନରୁ ଜଣାପଡେ ଯେ ଭାରତରେ ଜନସଂଖ୍ୟାର ଏକ ତୃତୀୟାଂଶ ହେଉଛନ୍ତି ଶିଶୁ ଏମାନଙ୍କ ମଧ୍ୟରୁ ଶିଶୁ ଶ୍ରମିକଙ୍କ ସଂଖ୍ୟା ବିଶ୍ୱର ଅନ୍ୟାନ୍ୟ ଦେଶ ତୁଳନାରେ ଅଧିକ । ଦାରିଦ୍ର୍ୟ ଓ ଅଶିକ୍ଷା ଏହାର ପ୍ରମୁଖ କାରଣ । ଫଳରେ ପେଟପାଟଣା ପାଇଁ ବହୁସଂଖ୍ୟାରେ ଶିଶୁ ବିଭିନ୍ନ କ୍ଷେତ୍ରରେ ଦୁଃଖ, ଦୁର୍ଦ୍ଦଶା, ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି । ପେଟ ଚାଖଣ୍ଡ ପାଇଁ କିଏ ହୋଟେଲ, ଗ୍ୟାରେଜ୍ ତ କିଏ ପୁଣି ବିଡି ବଳିବା, ଖଣିରେ ଇଟା ଭାଙ୍ଗିବା ଭଳି ବିପଦସଂକୁଳ କାମକରୁଛନ୍ତି । ଆଉ ପୁଣି କିଏ ବ୍ୟବସାୟ ପ୍ରତିଷ୍ଠାନ, ଘରୋଇ ଚାକର ଭାବେ କାମ କରୁଛନ୍ତି । ଏପରିକି କେତେକ ରାସ୍ତାରୁ ବା ଅଳିଆଗଦାରୁ ଭଙ୍ଗା ଟିଣ, ଲୁହା, ପ୍ଲାଷ୍ଟିକ୍ ଜରି ଇତ୍ୟାଦି ଗୋଟାଇ ଗୁଜୁରାଣ ମେଣ୍ଟାଇଥାନ୍ତି । ଏକ ହିସାବ ଅନୁଯାୟୀ ଦେଶରେ ଏବେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୧,୦୧,୨୮,୬୬୬ ଥିବା ବେଳେ ଆମ ରାଜ୍ୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୩,୩୪,୪୧୬ ।
ଶିକ୍ଷାକୁ ସାର୍ବଜନୀନ, ମାଗଣା ଓ ବାଧ୍ୟତାମୂଳକ କରିବାପାଇଁ କେନ୍ଦ୍ର ସରକାର ୨୦୦୯ମସିହାରୁ ଶିକ୍ଷାକୁ ମୌଳିକ ଅଧିକାର ପରିସରଭୁକ୍ତ କରିଛନ୍ତି । ଆମ ରାଜ୍ୟରେ ଏହା ୨୦୧୦ମସିହା ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେଉଛି । ଏହି ଆଇନ କାର୍ଯ୍ୟ କରିବାର ୧୩ ବର୍ଷରୁ ଊଦ୍ଧ୍ୱର୍ ସମୟ ବିତି ଯାଇଥିଲେ ମଧ୍ୟ ଏ ଦିଗରେ ଆମର ଅଗ୍ରଗତି ସନ୍ତୋଷଜନକ ହୋଇପାରିନାହିଁ । ଯେଉଁ ଶିଶୁମାନେ ମଧ୍ୟାହ୍ନଭୋଜନ ଆକର୍ଷଣରେ ବିଦ୍ୟାଳୟକୁ ଆସନ୍ତି, ପାରିବାରିକ ଦାରିଦ୍ର୍ୟ କାରଣରୁ ସେହି ବିଦ୍ୟାଳୟ ଶିକ୍ଷା ପରେ ପାଠପଢା ଛାଡି ଦେଇଥାନ୍ତି । ଆମ ରାଜ୍ୟରେ ସର୍ବଶିକ୍ଷା ଯୋଜନା ୨୦୦୨-୨୦୦୩ ମସିହାରୁ ଆରମ୍ଭ ହେଲାଣି । ଏଥିପାଇଁ ସ୍କୁଲରେ ମାଗଣା ପୁସ୍ତକ, ପୋଷାକ ଓ ମଧ୍ୟାହ୍ନ ଭୋଜନ ଦିଆଯାଉଛି । ତଥାପି ଆମ ରାଜ୍ୟରେ ପ୍ରାୟ ୩ ଲକ୍ଷରୁ ଊଦ୍ଧ୍ୱର୍ ପିଲା ବିଦ୍ୟାଳୟ ବାହାରେ ରହିଯାଉଛନ୍ତି । ସ୍କୁଲରେ ଉପସ୍ଥାନ ସଂଖ୍ୟା ବଢିଥିଲେ ମଧ୍ୟ ଅଧାରୁ ଅନେକ ଶିଶୁ ପାଠ ଛାଡିବା ଦେଖାଯାଉଛି । ସବୁ ଉଦ୍ୟମ ସତ୍ତ୍ୱେ ଏବଂ ସ୍ୱାଧୀନତାର ୭୭ ବର୍ଷ ପରେବି ବିଶ୍ୱର ଏକ ତୃତୀୟାଂଶ ନିରକ୍ଷର ଲୋକ ଆମ ଦେଶରେ ଅଛନ୍ତି । ଏହାର କାରଣ ଓ ନିରାକରଣ ସମ୍ପର୍କରେ ତର୍ଜମା କରିବାର ଅଛି । ଶିଶୁ ଶ୍ରମିକ ବ୍ୟବସ୍ଥାର ଜନନୀ ହେଉଛି ଦାରିଦ୍ର୍ୟ । ଅର୍ଥାତ୍ ଦାରିଦ୍ର୍ୟ ଦୂର ନହୋଇପାରିଲେ ଯେତେ ଯୋଜନା କଲେବି ତାହା ଫଳପ୍ରସୂ ହୋଇପାରିବ ନାହିଁ । ଏଥିସହିତ ଦେଶର ଗରିବ ଲୋକ ଯେତିକି ରୋଜଗାର କରନ୍ତି ତା’ର ୮୦ ପ୍ରତିଶତ ଖାଦ୍ୟ ପାଇଁ ବ୍ୟୟ କରିଥାନ୍ତି । ତେଣୁ, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ସେମାନଙ୍କର ସାମର୍ଥ୍ୟ ରହେନାହିଁ । ଯଦ୍ୱାରା ଦେଶରେ ୪୨ ପ୍ରତିଶତ ଶିଶୁ ପୁଷ୍ଟିହୀନତାର ଶିକାର । ଅର୍ଥାତ୍ ଏମାନଙ୍କ ଓଜନ ବୟସ ଅନୁସାରେ ସ୍ୱାଭାବିକ ଓଜନଠାରୁ ଯଥେଷ୍ଟ କମ୍ । ଦେଶର ପ୍ରତି ଏକ ହଜାର ଶିଶୁଙ୍କ ମଧ୍ୟରୁ ୫୩ ଜଣ ଶିଶୁଙ୍କର ଅକାଳ ମୃତୁ୍ୟ ଘଟୁଛି । କେବଳ ସେତିକି ନୁହେଁ ଦେଶରେ ପ୍ରତିଦିନ ୬ ହଜାର ଶିଶୁ ମୃତୁ୍ୟବରଣ କରୁଛନ୍ତି । ଏହା ଏକ ଜାତୀୟ ଲଜ୍ଜା । ଆମ ରାଜ୍ୟ କଥା ଆହୁରି ତଦ୍ରୁପ । ଏବେ ଆମ ରାଜ୍ୟରେ ପ୍ରତି ହଜାରରେ ୫୧ ଶିଶୁ ମୃତ୍ୟୁ ମୁଖରେ ପଡୁଛନ୍ତି । ଏଥିପାଇଁ ଅର୍ଥନୈତିକ ମାନଦଣ୍ଡ ଅପେକ୍ଷା ସମ୍ବଳର ଅସମ ବଣ୍ଟନ ଓ ମାନସିକତାର ଅଭାବ ହିଁ ପ୍ରମୁଖ କାରଣ । ସମ୍ପ୍ରତି ଚିନ୍ତା କରିବାର ବେଳ ଆସିଛି । ଶିଶୁମାନଙ୍କର ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ ଅଧିକାର ଯୋଗାଇଦେବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଦରକାର । କେବଳ ସରକାରୀ ସ୍ତରରେ ଉଦ୍ୟମ ଶିଶୁମାନଙ୍କ ସମସ୍ୟା ସମାଧାନ କରିବାରେ ଯଥେଷ୍ଟ ହେବନାହିଁ । ଏଥିପାଇଁ ସରକାର ବୁଦ୍ଧିଜୀବୀ ୍ନ ସ୍ୱଚ୍ଛାସେବୀ ସଂଗଠନ,ଶିକ୍ଷକ ସମାଜ ,ପିତାମାତା ଓ ଅଭିଭାବକ ଆଗେଇଆସିବା ଦରକାର ।
ହିମାଂଶୁ ଶେଖର ଆ·ର୍ଯ୍ୟ,ମୋ - ୯୯୩୭୧୫୧୦୫୨