ମୋବାଇଲ ଚୋରକୁ ଧରିପାରୁନି ପୁଲିସ
କାକଟପୁର: ସାଧାରଣ ଲୋକଙ୍କ ଜିନିଷ ଚୋରି କିମ୍ବା ଧନଜୀବନ କ୍ଷତି ହେଲେ ଏହାକୁ ସୁରକ୍ଷା ଦେବା ଦାୟିତ୍ୱ ପୁଲିସଙ୍କର । କିନ୍ତୁ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ପୁରୀଜିଲ୍ଲା କାକଟପୁର ଥାନାରେ । ଗତ ୧୪ ତାରିଖ ଦିନ ନିମାପଡା ବିଷ୍ଣୁପୁର ଅଞ୍ଚଳର ପବନୀ ବେହେରାଙ୍କ ୨ଟି ମୋବାଇଲ କାକଟପୁର ଥାନା ଅଧିନସ୍ଥ ମିରିଗିଖଟି ଅଞ୍ଚଳରୁ ହଜିଥିବା ନେଇ ଏକ ମିସିଙ୍ଗ କେଶ କରିଥିଲେ । କିନ୍ତୁ ୨ଟି ଯାକ ମୋବାଇଲ ରିଙ୍ଗ ହେଉଥିବା ଓ ଚୋରି କରି ନେଇଥିବା ଲୋକ ଚୋରି ଫୋନରେ ଗାଳିଗୁଲଜ କରୁଥିବା ବାରମ୍ବାର ଅଭିଯୋଗ ହେଇଥିଲେ ମଧ୍ୟ କାକଟପୁର ପୁଲିସ ଟ୍ରାକିଂ କରି ମୋବାଇଲ ଉଦ୍ଧାର କରିବାରେ ବିଫଳ ହୋଇଛି । ଥାନାରେ ଦୈନିକ ମୋବାଇଲ ମିସିଂର ଶହ ଶହ କାଗଜ ଗଦା ହେଉଥିଲେ ମଧ୍ୟ ଏହାକୁ ଉଦ୍ଧାର କରି ନପାରିବା ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି । ପୁଲିସ ବିଭାଗରେ ଅତ୍ୟାଧୁନିକ ଜ୍ଞାନକୌଶଳ ଥାଇ ମଧ୍ୟ ପୁଲିସର ହତାଶ ଭାବ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି । ଏ ସଂକ୍ରାନ୍ତରେ ଥାନା ଏସଆଇ ଗୌରୀଶଙ୍କର ସେଠୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ବିରକ୍ତି ଭାବ ପ୍ରକାଶ କରିବା ସହିତ କର୍ମଚାରୀ ଅଭାବରୁ ଚୋରି ଜିନିଷ ଉଦ୍ଧାର ନକରିପାରିବା ସଫେଇ ଦେଇଛନ୍ତି ।