ମୋହନଙ୍କୁ ବଳ ଦେଲେ ମନମୋହନ ‘ସରକାରଙ୍କ ପଛରେ ଦଳ’

 ଭୁବନେଶ୍ୱର :  ବିଜେପି ପାଇଁ ମନମୋହନ ଶୁଭ ସଂକେତ  । ତାଙ୍କ ନେତୃତ୍ୱରେ ବିଜେପି ସରକାରକୁ ଆସିଛି  । ଅସମ୍ଭବ ସମ୍ଭବ ହୋଇପାରିଛି  । ସରକାର ଓ ସଂଗଠନ ଏକାଠି କାମ କଲେ ବିଜେପି ଆହୁରି ମଜବୁତ୍ ହୋଇପାରିବ  । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନବନିଯୁକ୍ତ ସଭାପତି ମନମୋହନ ସାମଲଙ୍କୁ ସ୍ୱାଗତ କରି ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । 
ସେପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମୁଖ୍ୟମନ୍ତ୍ରୀଙ୍କୁ ଦୃଢ଼ ଭରସା ଦେଇଥିଲେ  । ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଦଳ ସବୁବେଳେ ସରକାରଙ୍କ ପଛରେ ଖୁଣ୍ଟ ହୋଇ ଠିଆହେବ ବୋଲି କହିଥିଲେ  । ଏ ସରକାର ୨୦୩୬ ବି ଦେଖିବ  । ୨୦୪୭ ବି ଦେଖିବ  । ଏଥିପାଇଁ ଦୁଇଗୁଣା ପରିଶ୍ରମ କରିବାକୁ ସେ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ  । 
ଗତକାଲି ମନମୋହନ ଏକମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ  । ଆଜି କେବଳ ଔପଚାରିକ ଘୋଷଣା ହିଁ ବାକି ଥିଲା  । ଏଥିପାଇଁ ରାଜ୍ୟ କାର୍ଯ୍ୟାଳୟରେ ଭବ୍ୟ ସମାବେଶର ଆୟୋଜନ କରାଯାଇଥିଲା  । ସକାଳୁ ସକାଳୁ ବିଜେପି ଅଫିସରେ ବିଧାୟକ, ସାଂସଦ, ମନ୍ତ୍ରୀଙ୍କ ଠାରୁ ନେଇ ବରିଷ୍ଠ କାର୍ଯ୍ୟକର୍ତ୍ତାମାନଙ୍କର ଭିଡ଼ ଜମିଥିଲା  । ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ଡ.ସଂଜୟ ଜୟସ୍ୱାଲ ସଭାପତି ଓ ୩୨ ରାଷ୍ଟ୍ରୀୟ ପରିଷଦ ସଭ୍ୟଙ୍କ ନାମ ଘୋଷଣା କରିବା ପରେ ସମ୍ବର୍ଦ୍ଧନା ପର୍ବ ଆରମ୍ଭ ହୋଇଥିଲା  ।
ଏହି ଅବସରରେ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସୁରେଶ ପୂଜାରୀ, କେଭି ସିଂହଦେଓ, ସମୀର ମହାନ୍ତି, ପ୍ରଭାତୀ ପରିଡ଼ାଙ୍କ ଭଳି ଅନେକ ପ୍ରମୁଖ ନେତା ମନମୋହନଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ନେତୃତ୍ୱରେ ଦଳ ନୂଆ ଶିଖର ଛୁଇଁବ ବୋଲି ଆଶା ପ୍ରକାଶ କରିଥିଲେ  ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବକ୍ତବ୍ୟରେ କହିଥିଲେଯେ, ମନମୋହନ ଭାଇ ଆଜି ଚତୁର୍ଥ ଥର ପାଇଁ ଦଳର ସଭାପତି ଦାୟିତ୍ୱ ନେଇଛନ୍ତି  । ବିଜେପି ପାଇଁ ଏହା ଶୁଭ ସଂକେତ  । ୨୦୦୦, ୨୦୦୪ରେ ମେଣ୍ଟ ସରକାର ବେଳେ ରାଜ୍ୟ ସଭାପତି ଭାବେ ଦାୟିତ୍ୱରେ ଥିଲେ ମନମୋହନ ସାମଲ  । ଆଜି ଆମେ ଏକାକୀ ଲୋକସେବା ଭବନରେ ବିଜେପି ଝଣ୍ଡା ଉଡ଼ାଇପାରିଛେ  । ଅସମ୍ଭବକୁ ସମ୍ଭବ କରି ବିଜେପି ରାଜ୍ୟରେ ସରକାରକୁ ଆସିବା ସହ ୨୧ରୁ ୨୦ ସାଂସଦ ଜିତାଇପାରିଛି  ।  ବିଜେପି ପାଇଁ ଯେବେଠୁ ମନମୋହନ ଭାଇ କାମ କରିଛନ୍ତି ସବୁବେଳେ ଶୁଭ ସଂକେତ ଆସିଛି । ଯେଉଁମାନେ ପଚାରୁଥିଲେ କୁଆଡେ ଗଲା ଡବଲ ଇଞ୍ଜିନ, ସେମାନଙ୍କୁ କଡ଼ା ଜବାବ ମିଳିଛି  । ସେ ଏବିଭିପିରୁ କାମ କରି ବିଧାୟକ, ମନ୍ତ୍ରୀ, ସାଂସଦ ହେବ ସହ ଚତୁର୍ଥ ଥର ସଭାପତି ହୋଇ ଇତିହାସ ରଚିଛନ୍ତି  । ମନମୋହନଙ୍କ ଦୃଢ଼ ନେତୃତ୍ୱ, ବିଚକ୍ଷଣ ସାଙ୍ଗଠନିକ ଦକ୍ଷତା ଏବଂ କାର୍ଯ୍ୟକର୍ତ୍ତାଙ୍କ ପ୍ରତି ଅପାର ସମର୍ପଣ ହିଁ ଓଡ଼ିଶାରେ ବିଜେପିକୁ ଏକ ନୂତନ ପରିଚୟ ଦେଇଛି  । ବିଜେପି ଆଜି ଏକାକୀ ସରକାର ଗଠନ କରିବା ପରେ ନିର୍ବାଚନ ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ପାଳନ କରିଛି  । ଆମ ଦଳରେ ପୋଷ୍ଟର ମାରୁଥିବା କାର୍ଯ୍ୟକର୍ତ୍ତା ଦଳର ଶୀର୍ଷ ନେତୃତ୍ୱକୁ ଯାଇପାରେ  । କେନ୍ଦୁଝର ରାଇକେଲାରୁ ଆସିଥିବା ଜଣେ ଆଦିବାସୀ ଗରିବ ଘରର ମୋହନ ମାଝୀଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ବନେଇଛି  । ଏଥିରୁ ଦଳର ନୀତି ଓ ଆଦର୍ଶ ସ୍ପଷ୍ଟ ହୋଇଛି । ମନମୋହନ ଚତୁର୍ଥ ଥର ସଭାପତି, ମୋହନ ମାଝୀ ଚତୁର୍ଥ ଥର ବିଧାୟକ, ଏହି ଯୋଡ଼ାକୁ ଘୋଡ଼ା ସରି ନୁହେଁ  । କେନ୍ଦ୍ରର ୧୧ ବର୍ଷ ରାଜ୍ୟର ୧ ବର୍ଷ ମିଶି ୧୨ ହେଉଛି । କିନ୍ତୁ ଏହା ଆଗକୁ ୧୧୨ରେ ପହଁଚିବ  । ବିଜେପି ଗୋଟିଏ ମୁଦ୍ରାର ୨ ପାଶ୍ୱର୍ ଭଳି  । ଗୋଟିଏ ପଟେ ମନମୋହନଙ୍କ ନେତୃତ୍ୱରେ ସଙ୍ଗଠନ ଦାୟିତ୍ୱ ଅନ୍ୟପଟେ ମୋହନ ମାଝୀଙ୍କ ନେତୃତ୍ୱରେ ସରକାର  । ମନମୋହନଙ୍କ ନେତୃତ୍ୱରେ ବିଜେପିର ସଙ୍ଗଠନ ଆହୁରି ଅଧିକ ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରକାଶ କରିଥିଲେ  ।  ଏହି ଅବସରରେ ରାଜ୍ୟ ସଭାପତି କହିଥିଲେଯେ, ଆଜି ଯେଉଁ ଦାୟିତ୍ୱ ଦିଆଯାଇଛି ତାହା ମନମୋହନ ସାମଲଙ୍କର ନୁହଁ, ତାହା ହେଉଛି କାର୍ଯ୍ୟକର୍ତ୍ତାମାନଙ୍କର  । କାର୍ଯ୍ୟକର୍ତ୍ତା ପରିଶ୍ରମ କରିନଥିଲେ, ଆମେ ସାଇନବୋର୍ଡ ପାର୍ଟିରୁ ଆଜି ସରକାରୀ ଦଳରେ ପହଁଚିନଥାନ୍ତେ  । ୧୯୮୮ରେ ଆମକୁ ସାଇନ୍ବୋର୍ଡ ପାର୍ଟି ବୋଲି କୁହାଯାଉଥିଲା  । ଆମକୁ ଅପମାନିତ କରାଯାଉଥିଲା । ମାତ୍ର ଆଜି ଆମେ ସରକାରୀ ଦଳ । ଏହା ହେଉଛି ଏକମାତ୍ର ଦଳ, ଯେଉଁ ଦଳରେ ଜଣେ ଚାହା ବିକାଳି ମଧ୍ୟ ପ୍ରଧାନମନ୍ତ୍ରୀ ହୋଇପାରେ, ଜଣେ ଶିଶୁମନ୍ଦିର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୋଇପାରେ  । ବିଜେପି ସରକାର ପାଇଁ ଆଜି ଓଡ଼ିଶାର ଚିତ୍ର ବଦଳୁଛି ବୋଲି ଶ୍ରୀ ସାମଲ କହିଥିଲେ  । କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇ ସେ କହିଥିଲେଯେ, ସ୍ୱାଧୀନତାର ୭୮ ବର୍ଷ ମଧ୍ୟରେ ଅନେକ ସମସ୍ୟାର ଓଡ଼ିଶାରେ ରହିଛି  । ଏସବୁ ସମସ୍ୟାର ସମାଧାନ କରିବାକୁ ହେବ  । ଏଥିପାଇଁ ସରକାର ଆସିବା ପରେ ବି ଆମେ ଶୋଇବା ନାହିଁ କହି ସରକାରଙ୍କୁ ଆହ୍ୱାନ ଦେଇଥିଲେ  । ଓଡ଼ିଶାରେ ବିଜେପି ସରକାର ଏକ ଲମ୍ବା ଇନିଂସ ଖେଳିବ । ଏ ସରକାର ୨୦୩୬ ମସିହା ବି ଦେଖିବ ଓ ୨୦୪୭ ମସିହା ମଧ୍ୟ ଦେଖିବ । ଏଥିପାଇଁ ଆମକୁ ଟିମ୍ ସ୍ପିରିଟ୍ରେ କାମ କରିବାକୁ ପଡ଼ିବ । ଆମ ପାଖରେ ଯୋଗ୍ୟ ମୁଖ୍ୟମନ୍ତ୍ରୀଠାରୁ ଆରମ୍ଭ କରି, ଯୋଗ୍ୟ ମନ୍ତ୍ରୀ, ଯୋଗ୍ୟ ସାଂସଦ, ଯୋଗ୍ୟ ବିଧାୟକ ଓ ଯୋଗ୍ୟ କାର୍ଯ୍ୟକର୍ତା ଅଛନ୍ତି । ଆଗାମୀ ଦିନରେ ଆମ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ପଡ଼ିବ । ଅସମ୍ଭବ ଆମ ଶବ୍ଦକୋଷରେ ନାହିଁ । ସବୁକାମ  ସମ୍ଭବ । ଏଥିପାଇଁ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ପଡ଼ିବ । ଆର୍ଏସ୍ଏସ୍ର ବିଚାରଧାରାକୁ ଆଗକୁ ନେବା । ଯେଉଁମାନେ ଆମକୁ ବିରୋଧ କରୁଛନ୍ତି ସେମାନଙ୍କ ହ୍ୟାଙ୍ଗଓଭର ଯାଉନାହିଁ । ସେମାନେ ଏବେ ବିିଚଳିତ । ମାତ୍ର ଆମ ଦାୟିତ୍ୱ ଏବେ ବଢ଼ିଛି । ଆମେ ସମସ୍ତେ ଗାଁକୁ ଯିବା ଲୋକଙ୍କ ସହ ମିଶିବା ଓ ଭଲ ବ୍ୟବହାର କରିବା ସଂକଳ୍ପ ନେବାକୁ ପଡ଼ିବ ବୋଲି ଶ୍ରୀ ସାମଲ କହିଛନ୍ତି  ।