ଯାଜପୁର ମହୋସବ ‘ଯଯାତୀ' ଉଦ୍ଘାଟିତ : ହଜାରେ କୋଟିର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲା ମହୋସôବ ‘ଯଯାତି -୨୦୨୫'ର ଉଦ୍ଘାଟନ କରି ପ୍ରାୟ ୧ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି  । ଯାଜପୁରରେ ସମୁଦାୟ ୮୨୯ କୋଟି ୭୬ ଲକ୍ଷ ଟଙ୍କାର ୮୩ ଟି ପ୍ରକଳ୍ପ ଉଦଘାଟିତ ହୋଇଥିବା ବେଳେ, ୧୭୦ କୋଟି ଟଙ୍କାର ୭୭ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି ।
ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳ ସମ୍ପଦ, ବିଦୁ୍ୟତ ପରିବହନ, ସଡକ, ସେତୁ, କେନାଲ ଆଦି ଭିତ୍ତିଭୂମି ଓ ପର୍ଯ୍ୟଟନ ପ୍ରକଳ୍ପ ରହିଛି  । ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ବ୍ୟାସନଗରରେ ପ୍ରାୟ ୭୮ କୋଟି ଟଙ୍କାର ବ୍ୟାସ ନଗରଠାରେ ବ୍ୟାସ ସରୋବର ଓ ଟାଉନ ହଲ ଉଦଘାଟିତ ହୋଇଛି  । ଯାଜପୁରରେ ଏକ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି  ।
ଯାଜପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲାଯାଇଛି  । ଆଜି ଏହାର ଉଦଘାଟନ ମଧ୍ୟ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଏହାର ନାମ ପରିବର୍ତ୍ତନ କରାଯାଇଛି  । ଏହାକୁ ‘ମହାରାଜା ଯଯାତି କେଶରୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ' ଭାବରେ ନାମିତ କରାଯାଇଛି  ।  ଏଥିରେ ପ୍ରଥମ ବର୍ଷ ପାଇଁ ୫୦ଟି ସିଟ୍ ମିଳିଛି  । ଆସନ୍ତା ଶିକ୍ଷା ବର୍ଷଠାରୁ ଏହି ମେଡିକାଲ କଲେଜର ସିଟ୍ ସଂଖ୍ୟା ୧୦୦କୁ ବୃଦ୍ଧି କରିବା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୫୦୭ କୋଟି ଟଙ୍କାର ୩୬ଟି ପ୍ରକଳ୍ପର ଉଦଘାଟନ କରାଯାଇଥିବା ବେଳେ, ୪୧ କୋଟି ଟଙ୍କାର ୫୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଛି  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲା ପାଇଁ  ଅନେକ ନୂତନ ପ୍ରକଳ୍ପ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେଯେ, ମା’ ବିରଜାଙ୍କ ପ୍ରସିଦ୍ଧ ମନ୍ଦିରର ଉନ୍ନତିକରଣ କରାଯିବ  । ଏଥିରେ ବଗଳାମୁଖୀ ମନ୍ଦିର, ଶିବ ମନ୍ଦିର ଓ ବ୍ରହ୍ମକୁଣ୍ଡର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କରାଯିବ  । ଏଥିପାଇଁ ୫୦କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଥିଲେ  । ପୂର୍ବରୁ ଅନୁମୋଦନ ହୋଇଥିବା ୧୨ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ସେ ନିଦେ୍ର୍ଦଶ ଦେଇଥିଲେ । ଏହା ସହିତ ମା’ଙ୍କ ମନ୍ଦିର ପାଇଁ ଥିବା ଧର୍ମଶାଳାକୁ ଆହୁରି ଅଧିକ ଭକ୍ତଙ୍କ ରହିବା ପାଇଁ ଏହାର ସମ୍ପ୍ରସାରଣ କରାଯିବ  । ଏଥିପାଇଁ ୧୦କୋଟି ଟଙ୍କା ଖର୍ଚ୍ଚ କରାଯିବ  ।  ନାଭିଗୟା ଠାରେ ଥିବା ବିରଜା ଅଗ୍ନେଶ୍ୱର ହାଟର ମଧ୍ୟ ଉନ୍ନତି କରଣ କରାଯିବ  । ଏଥିପାଇଁ ଅଧିକ ଜମି ଅଧିଗ୍ରହଣ କରାଯିବ ଏବଂ ୨୧ କୋଟି ୪୩ ଲକ୍ଷ ବିନିଯୋଗରେ ଯାଜପୁର ବାସୀଙ୍କ ସୁବିଧା ପାଇଁ ଏକ ସୁନ୍ଦର ଆଧୁନିକ ହାଟର ନିର୍ମାଣ କରାଯିବ  । ୩୦ କୋଟି ଟଙ୍କା ବ୍ୟୟରେ ଯାଜପୁରରେ ଏକ ନୂଆ ବସ୍ ଟର୍ମିନାଲ୍ ମଧ୍ୟ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଥିଲେ । ଏହା ସହିତ ଯାଜପୁରରେ ୧ ହଜାର ଆସନ ବିଶିଷ୍ଟ ଏକ ନୂଆ ଟାଉନ୍  ହଲ୍ ମଧ୍ୟ ନିର୍ମାଣ  କରାଯିବ  । ଦେଶ ତଥା ଦେଶ ବାହାରକୁ କଞ୍ଚାମାଲ ରପ୍ତାନି କ୍ଷେତ୍ରରେ ଯାଜପୁର ଅଞ୍ଚଳ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଛି  । ବିକାଶ ପାଇଁ ଯାଜପୁର ଜିଲ୍ଲାରେ ରହିଛି ଅପାର ସମ୍ଭାବନା  । ଯାଜପୁର ସିନା ଥିଲା ପୁରାତନ ଉକôଳର ପୁରୁଣା ରାଜଧାନୀ, କିନ୍ତୁ ଆଜି ସାରା ଦେଶରେ ଏହା ଇସ୍ପାତ ରାଜଧାନୀ ଭାବେ ଖ୍ୟାତି ଲାଭ କରିଛି  । ଆଗାମୀ ଦିନରେ ଏହା ରାଜ୍ୟର ଶିଳ୍ପ ରାଜଧାନୀ ଭାବେ ନିଜର ପ୍ରତିଷ୍ଠା ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ  । ଉକôର୍ଷ ଓଡିଶା କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାରେ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ପାଇଁ ନିବେଶକ ମାନେ ଆଗ୍ରହ ପ୍ରକାଶ କରିଛନ୍ତି  । ଏଥିରେ ୨୩ଟି ପ୍ରକଳ୍ପ କରାଯିବ  । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ,ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଯାଜପୁର ସାଂସଦ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା, ବିରୋଧୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ, କୋରେଇ ବିଧାୟକ ଆକାଶ ଦାସ ନାୟକ, ବଡ଼ଚଣା ବିଧାୟକ ଅମର ନାୟକ, ଯାଜପୁର ବିଧାୟିକା ସୁଜାତା ସାହୁ,  ଧର୍ମଶାଳା ବିଧାୟକ ହିଂମାଶୁ ଶେଖର ସାହୁ, ବରି ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା ପ୍ରମୁଖ ମଂଚାସୀନ ଥିଲେ  । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯାଜପୁର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡି ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଶିଷ ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ ।