ଯାଜପୁର ରୋଡ଼ ମେଡ଼ିକାଲରେ ବାରମ୍ବାର ବିଶୃଙ୍ଖଳା ଘଟୁଛି କାହିଁକି ?


 ବ୍ୟାସନଗର,  ଯାଜପୁର ଜିଲାର ଦ୍ୱିତୀୟ ବୃହତ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ଯାଜପୁର ରୋଡ଼ ମେଡ଼ିକାଲକୁ ବୁଝାଯାଏ । ବ୍ୟାସନଗର ପୌରାଞ୍ଚଳ ସମେତ କୋରେଇ, ଦାନଗଦୀ, ରସୁଲପୁର ବ୍ଲକ ଅଞ୍ଚଳରୁ ଦୈନିକ ଶହଶହ ସଂଖ୍ୟାର ରୋଗୀ ଏଠାକୁ ଚିକିସôା ସେବା ପାଇବାକୁ ଦୈାଡ଼ି ଆସିଥାନ୍ତି । ମେଡ଼ିକାଲରେ ବିଭିନ୍ନ ରୋଗ ଚିହ୍ନଟ ପାଇଁ ଆବଶ୍ୟକ ସରଞ୍ଜାମ ହେଉ କି ରକ୍ତ ଆବଶ୍ୟକତା ପୂରଣ କରିବା ପାଇଁ ରକ୍ତଭଣ୍ଡାର ଥିବାରୁ ରୋଗୀ ସେବା ପାଇବାର ବିଶ୍ୱାସ ଓ ଭରସା ନେଇ ଆସିଥାନ୍ତି । ହେଲେ ପରିଚାଳନାଗତ ତ୍ରୁଟିରୁ ମେଡ଼ିକାଲରେ ବାରମ୍ବାର ବିଶୃଙ୍ଖଳା ଘଟିବାରେ ଲାଗିଛି । ଗୋଟେପଟେ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର ନଥିବା ସତ୍ତ୍ୱେ ମେଡ଼ିକାଲକୁ ଆସୁଥିବା ରୋଗୀ ବିଶୃଙ୍ଖଳାକୁ ନେଇ ଅତିଷ୍ଟ ହୋଇପଡ଼ୁଛନ୍ତି । ମେଡ଼ିକାଲର ବିଭିନ୍ନ ବିଭାଗରେ ଚିକିସôିତ ହେଉଥିବା ରୋଗୀଙ୍କ ୱାର୍ଡ଼ ସଫା ସୁତୁରା କଥା ହେଉ କି ବେଡ଼ରେ ପଡ଼ୁଥିବା ନିୟମିତ ବେଡ଼ସିଟ ପରିବର୍ତ୍ତନ କରିବା ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି । ହେଲେ ଏହାକୁ ଦେଖୁଥିବା ମେନିକାଲ ଅଫିସର ହୁଅନ୍ତୁ ବା ଅନ୍ୟ କର୍ମଚାରୀଙ୍କ ଦୃଷ୍ଟିକୁ ଆସୁନି । ଖାଦ୍ୟ ପେୟ ଦେବାରେ ଯେଉଁ ବ୍ୟବସ୍ଥା ରହିଛି, ତାହା ମଧ୍ୟ ଏଠାରେ ବ୍ୟତିକ୍ରମ ଘଟୁଥିଲେ ହେଁ  ଏହାକୁ ଜାଣିଶୁଣି ଏଡ଼ାଇ ଦିଆଯାଉଛି । ମେଡ଼ିକାଲରେ ଶୃଙ୍ଖଳା ରଖିବା ଅପରିହର୍ଯ୍ୟ ହୋଇ ପଡ଼ିଥିଲେ ହେଁ ଏହା ଏଠାରେ କିନ୍ତୁ ବଡ଼ ବ୍ୟତିକ୍ରମ ପରିଲକ୍ଷିତ ହେଉଛି । ଶୃଙ୍ଖଳା ରକ୍ଷା କରିବା ହେଉଛି ମେଡ଼ିକାଲ ଅଫିସରଙ୍କ ଦାୟିତ୍ୱ । ହେଲେ ମେଡ଼ିକାଲ ଅଫିସର ଏହାକୁ ପୁରା ପୁରି ଏଡ଼ାଇ ଯିବାରେ ଲାଗିଛନ୍ତି । ବିଭିନ୍ନ ସମୟରେ ମେଡ଼ିକାଲ ଅଫିସରଙ୍କୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । କଥା ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାନକୁ ଯାଇଛି । ହେଲେ ମେଡ଼ିକାଲ ଅଫିସର ନିଜ ପ୍ରଭାବରେ ଏହାକୁ ଚାପିଦେବାକୁ ସମର୍ଥ ହୋଇଛନ୍ତି । କାର୍ଯ୍ୟରତ କର୍ମଚାରୀ ହୁଅନ୍ତୁ କି ଡ଼ାକ୍ତର ନିର୍ଦ୍ଧାରିତ ସମୟରେ ଆସୁଛନ୍ତି କି ନାହିଁ ତାହା ମଧ୍ୟ ତଦାରକ କରୁ ନାହାନ୍ତି ମେଡ଼ିକାଲ ଅଫିସର । ଡ଼ାକ୍ତର, ନର୍ସ ବା ଅନ୍ୟାନ୍ୟ କର୍ମଚାରୀଙ୍କ ମଧ୍ୟରେ ଯେଉଁ ଭଳି ଭାବେ ସଂପର୍କ ରହିବା କଥା ତାହା ଏଠାରେ ଦେଖିବାକୁ ମିଳୁନି । ଯେଉଁ କାରଣରୁ ଏଠାରେ ନର୍ସ ଡ଼ାକ୍ତରଙ୍କ ମଧ୍ୟରେ ହାତାହାତି ଭଳି ଘଟଣା ଘଟୁଛି । ଯାହାର ପ୍ରମାଣ ଗଲାକାଲି ମେଡ଼ିକାଲ ଭିତରେ ଦେଖିବାକୁ ମିଳିଥିଲା । ନର୍ସ ଏବଂ ମହିଳା ଡ଼ାକ୍ତରଙ୍କ ମଧ୍ୟରେ ଘଟିଥିବା ଗଣ୍ଡଗୋଳ ମେଡ଼ିକାଲ ବିଶୃଙ୍ଖଳାରେ କେତେ ତଳକୁ ଯାଇଛି, ତାହା ପ୍ରମାଣିତ କରିଛି । ବିଶୃଙ୍ଖଳାକୁ ଏଡ଼ାଇବା ପାଇଁ ମେଡ଼ିକାଲ ଅଫିସର ଯେଭଳି ଉଦ୍ୟମ ବା ପଦକ୍ଷେପ ନେବା କଥା ତାହା ନକରି ପକ୍ଷପାତିତାକୁ ଗୁରୁତ୍ୱ ଦେଉଥିବାର ଅନେକ ସମୟରେ ଅଭିଯୋଗ ହୋଇଆସିଛି । ମେଡ଼ିକାଲ ଅଫିସର ରୋଗୀଙ୍କ ସ୍ୱାର୍ଥକୁ ଦେଖିବା ବଦଳରେ ନିଦ୍ଧିଷ୍ଟ ଗୋଷ୍ଠୀ ସ୍ୱାର୍ଥକୁ ଗୁରତ୍ତ୍ୱ ଦେଉଥିବାରୁ ବିଶୃଙ୍ଖଳା ଘଟୁଥିବାର ଅଭିଯୋଗ ହେଉଛି । ଡାକ୍ତର ଅଭାବ ଥିବା ବେଳେ ବିଶୃଙ୍ଖଳା କାରଣରୁ ମହିଳା ଦାନ୍ତ ଡ଼ାକ୍ତରାଣୀଙ୍କୁ ରାତାରାତି ବଦଳି କରାଯାଇ ସମସ୍ୟାକୁ ଆହୁରି ଜଟିଳ କରିଦିଆଯାଇଛି ବୋଲି ରୋଗୀ ମହଲରୁ ଅଭିଯୋଗ ହେଉଛି । ବର୍ଷବର୍ଷ ଧରି ଗାଦି ମାଡ଼ି ବସିଥିବା ମେଡ଼ିକାଲ ଅଫିସର ବିଶୃଙ୍ଖଳା ପାଇଁ ଦାୟି ନାଁ ଆଉ କିଏ ତାହା ରୋଗୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ବ୍ୟାସନଗରବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।