୧୬ ନମ୍ବର ଜାତୀୟ ରାଜପଥରେ ଡକାୟତି ଯୋଜନା ପଣ୍ଡ

ଭୁବନେଶ୍ୱର, ୧୩ା୫ : ୧୬ ନମ୍ବର ଜାତୀୟ ରାଜପଥରେ ଯାତାୟତ କରୁଥିବା କାର ଓ ଟ୍ରକ୍ ମାନଙ୍କରୁ ଡକାୟତି କରିବାକୁ ଯୋଜନା ବେଳେ ଡକାୟତି ଯୋଜନାକୁ ପଣ୍ଡ କରିଛି ମଞ୍ଚେଶ୍ୱର ଥାନା ପୁଲିସ । ଥାନା ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର ଟିମ ଗତକାଲି ବିଳମ୍ବିତ ରାତିରେ ଅଚାନକ ଜରିପାଟ୍ଟଣା ବାଲିଯାତ୍ରା ପଡ଼ିଆରେ ଅଚାନକ ଚଢ଼ାଉ କରି ୫ ଜଣ ଡକାୟତଙ୍କୁ କାବୁ କରିଥିବା ବେଳେ ଘଟଣା ସ୍ଥଳରୁ ୩ ଜଣ ଫେରାର ହୋଇଯାଇଥିଲେ । ଫଳରେ ଏମାନଙ୍କ ଠାରୁ ପୁଲିସ ୨ଟି ଖଣ୍ଡା, ୨ଟି ଛୁରି, ଏକ ଭୁଜାଲି ଓ ୫ଟି ମୋବାଇଲ ଫୋନ୍ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ, ପାଣ୍ଡରା ଭୋଇ ସାହିର ରୋହିତ ଭଞ୍ଜ, ଭୋତପୋଡା ଭୋଇ ସାହିର କାହ୍ନା ଭୋଇ, ସାଗର ଭୋଇ, ଚକେଇସିଆଣି ପାଟଦେଇ ବସ୍ତିର ପ୍ରଭାତ ଜେନା ଓ ଜେହିଆମାଦ୍ ଓରଫ ବିକାଶ ବେହେରା । ସୋମବାର ସମସ୍ତଙ୍କୁ ଥାନା କେସ ନମ୍ବର ୨୪୩ରେ ମାମଲା ରୁଜୁକରି ଦଫା ୩୯୯/୪୦୨ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ରବିବାର ବିଳମ୍ବିତ ରାତି ୧.୩୦ରେ କିଛି ଡକାୟତ ମଞ୍ଚେଶ୍ୱର ଥାନା ଅଧିନ ଜରିପାଟ୍ଟଣା ବାଲିଯାତ୍ରା ପଡ଼ିଆ ଠାରେ ୧୬ ନମ୍ବର ଜାତୀୟ ରାଜପଥରେ ଯାତାୟତ କରୁଥିବା ଟ୍ରକ ଓ କାର ମାନଙ୍କରୁ ଡ଼କାୟତ କରିବାକୁ ମାରଣାସ୍ତ୍ର ଧରି ଯୋଜନା ଚଳାଉଥିବା ମଞ୍ଚେଶ୍ୱର ଥାନା ଅଧିକାରୀ ମାନସ କୁମାର ସ୍ୱାଇଁ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ । ଖବର ଜାଣିବା ପରେ ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର ସ୍ପେଶାଲ ଟିମ ଅଚାନକ ବାଲିଯାତ୍ରା ପଡ଼ିଆରେ ଚଢ଼ାଉ କରି ୫ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ସେହି ସମୟରେ ବାକି ୩ ଜଣ ପୁଲିସ ସାମ୍ନାରୁ ଫେରାର ହୋଇଯାଇଥିଲେ । ଗିରଫ ୫ ଅଭିଯୁକ୍ତ ଭିତରୁ ଅଭିଯୁକ୍ତ ରୋହତି ଭଞ୍ଜ ନାଁରେ ମଞ୍ଚେଶ୍ୱର ଥାନାରେ ୪ଟି ମାମଲା, କାହ୍ନା ଭୋଇ ନାମରେ ୩ଟି ମାମଲା, ସାଗର ଭୋଇ ନାମରେ ମଞ୍ଚେଶ୍ୱର ଥାନାରେ ୭ଟି ମାମଲା ରହିଥିବା ବେଳେ ସହିଦନଗର ଥାନାରେ ୨ଟି ମାମଲା, ପ୍ରଭାତ ଜେନା ଓରଫ ବାପି ନାମରେ ୩ଟି ମାମଲା ଓ ବିକାଶ ବେହେରା ଓରଫ ଜେହେମାଦ୍ ନାମରେ ଏକ ମାମଲା ରହିଛି ।