ପ୍ରବାସୀ ଭାରତୀୟ ଦିବସ : ମାସ୍କଟ୍ ""ହାଫି'' ଲୋକାର୍ପଣ
ଭୁବନେଶ୍ୱର, ୩ା୧ : ଆଜି କମିଶନରେଟ୍ ପୁଲିସ ମୁଖ୍ୟାଳୟ, ଠାରେ ଜାନୁଆରୀ ୮ ତାରିଖରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପର ଲୋକାର୍ପଣ ହୋଇଛି ।
ଏହି କାର୍ଯ୍ୟକ୍ରମ ଯୋଗଦେଇ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ କମିଶନରେଟ୍ ପୁଲିସ ମାସ୍କଟ୍ ""ହାଫି'' ସ୍ୱେଚ୍ଛାସେବୀ ପ୍ରବାସୀ ମିତ୍ର ଚବିଶି ଘଣ୍ଟିଆ ହେଲ୍ପ ଲାଇନ୍ ନମ୍ବର ""୧୯୬୫'' ହ୍ୱାଟ୍ସଆପ ଚାଟ୍ ବୋଟ୍ ଓ ସ୍ୱତନ୍ତ୍ର ପର୍ଯ୍ୟଟକ ପୁଲିସର ଲୋକାର୍ପଣ କରିଥିଲେ । ଏହି ଅବସରରେ ଡ଼ଃ ଶ୍ରୀ ସିଂ ପ୍ରବାସୀ ଭାରତୀୟ ଦିବସ ଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମକୁ ଆଖିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ସାରା ବିଶ୍ୱରୁ ଭୁବନେଶ୍ୱର ଓ କଟକକୁ ଆସୁଥିବା ପ୍ରବାସୀ ଭାରତୀୟ ମାନେ କିପରି ସୁରକ୍ଷିତ ଓ ଶୃଙ୍ଖଳିତ ଭାବରେ ଅବସ୍ଥାପନ କରିବେ ସେ ସମ୍ପର୍କରେ ସୂଚନା ଦେଇଥିଲେ । ଏଥି ସହିତ ଆଖପାଖରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ବୁଲି ଦେଖିପାରିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ସମସ୍ତ ବନେ୍ଦାବସ୍ତ କରାଯାଇଥିବା କଥା ପ୍ରକାଶ କରିଥିଲେ । ଆଗାମୀ ପ୍ରବାସୀ ଭାରତୀୟ ଦିବସ ଅବସରରେ ଭୁବନେଶ୍ୱର ଓ କଟକର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ୮୩ ପ୍ଲାଟୁନ୍ ପୁଲିସ ଫୋର୍ସ ସହିତ ଅର୍ଦ୍ଧ ସାମରିକ ବଳ ମୁତୟନ କରାଯାଇଛି ବୋଲି ପୁଲିସ କମିଶନର ଶ୍ରୀ ସିଂ ସୂଚନା ଦେଇଛନ୍ତି । ସେହିଭଳି ଟ୍ରାଫିକ୍ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ପୁଲିସ କମିଶନର ଡ଼ଃ ଉମାଶଙ୍କର ଦାଶ ପ୍ରାରମ୍ଭିକ ସୂଚନା ଦେବା ସହ ମଞ୍ଚ ପରିଚାଳନା କରିଥିଲେ । ଏହାସହ କମିଶନରେଟ୍ ପୁଲିସର ବହୁ ବରିଷ୍ଠ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।