ଯୋଡ଼ିହେଲା ସ୍ୱାମୀ ସ୍ତ୍ରୀଙ୍କ ସଂସାର

ନୂଆପଡା : ଦୀର୍ଘଦିନର ବୈବାହିକ ବିବାଦର ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା କାର୍ଯ୍ୟାଳୟରେ ଆପୋଷ ମିଳାମିଶା ମାଧ୍ୟମରେ ସମାଧାନ ହୋଇଯାଇଛି । ଖରିଆରର ଜନୈକ ମହିଳା ଦାମ୍ପତ୍ୟକଳହ ଯୋଗୁ ଶାଶୁଘର ଛାଡି ବାପଘରେ ରହୁଥିବାରୁ ନିଜ ସ୍ୱାମୀଙ୍କ ବିରୁଦ୍ଧରେ ଏକ ମାମଲା ଆଗତ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶଙ୍କ ଇଜିଳାସରେ ଆପୋଷ ମିଳାମିଶା ପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ସମନ କରାଯାଇଥିଲା । ଉଭୟ ଲୋକ ଅଦାଲତରେ ଉପସ୍ଥିତ ହୋଇଥିଲେ । ବିଚାରପତିଙ୍କ ଦ୍ୱାରା ଉଭୟଙ୍କ ଭିତରେ ଥିବା ଦୀର୍ଘଦିନର ପାରିବାରିକ ଅଶାନ୍ତିକୁ ସେମାନଙ୍କର ପୁତ୍ର, ପରିବାରବର୍ଗ ଓ ଖରିଆର ସ୍ଥିତ ବେସରକାରୀ ଅନୁଷ୍ଠାନ ମିରର୍ର ପାରିବାରିକ କାଉନ୍ସେଲର୍ ଯଶୋବନ୍ତୀ ବାଗଙ୍କ ଉପସ୍ଥିତିରେ ବିବାଦର ସମାଧାନ କରାଯାଇଥିଲାନ । ସ୍ୱାମୀ ଓ ସ୍ତ୍ରୀ ସବୁଦିନ ପାଇଁ ସୁଖରେ ଘର ସଂସାର କରିବେ ବୋଲି ଉଭୟ ସହମତି ପ୍ରକାଶ କରିଥିଲେ । ଆପୋଷ ସହମତିରେ ଓ ବିନା ଖର୍ଚ୍ଚରେ ସ୍ୱାମୀସ୍ତ୍ରୀଙ୍କ ସଂସାର ପୁଣି ଯୋଡ଼ି  ହୋଇଥିବାରୁ ଉଭୟ ପକ୍ଷ ପ୍ରସନ୍ନତା ବ୍ୟକ୍ତ କରିଥିଲେ । ପ୍ରାଧିକରଣ ତରଫରୁ ଜନସାଧାରଣଙ୍କୁ ୯୦ ଦିନିଆ ‘ଦେଶ ପାଇଁ ମଧ୍ୟସ୍ଥତା' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନ୍ୟାୟାଳୟରେ ନିଜର ବିଚାର ଅପେକ୍ଷାରେ ଥିବା ମାମଲାଗୁଡ଼ିକରେ ମଧ୍ୟସ୍ଥତା ପାଇଁ ଆବେଦନ କରିବାକୁ ଅନୁରୋଧ କରାଯାଇଛି ।