କବିତା ବିନା ସୁନ୍ଦର ସମାଜର ପରିକଳ୍ପନା କରାଯାଇ  ନ ପାରେ 

 ପାରାଦୀପ:  ସମାଜର ତଳ ସ୍ତରରେ ଅତ୍ୟନ୍ତ ଅସହାୟ ଭାବରେ ଜୀବନ ଯାପନ କରୁଥିବା ବେଳେ ଏମାନଙ୍କ ପ୍ରତି କବିତା ସମ୍ବେଦନ ଶୀଳ ଭାବରେ ଦୃଷ୍ଟି ଦେବାର ଆବଶ୍ୟକ ଅଛି ବୋଲି ମହ୍ଲାର ଓ ମୋନାଲିସା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ବର୍ଷା କବିତା ଅସରରେ ମତ ପ୍ରକାଶ ପାଇଛି  । ପାରାଦୀପ ପୋର୍ଟ କ୍ଲବ ପରିସରରେ ମଙ୍ଗଳବାର ଦିନ ସାରସ୍ୱତ ଆସରରେ ସବିତା ମହାପାତ୍ରଙ୍କ ପୌରହିତ୍ୟରେ ମୂଖ୍ୟ ଅତିଥି ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ଡ଼ଃ.ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ସାହିତ୍ୟ ବିନା ସୁନ୍ଦର ଓ ସାମ୍ୟ ସମାଜର ପରିକଳ୍ପନା କରାଯାଇ ପାରିବନାହିଁ  । ଏଥିପ୍ରତି ସାହିତ୍ୟକ ମାନେ ଦୃଷ୍ଟି ଦେଇ ସାହିତ୍ୟ ସର୍ଜନା କରିବାର ଆବଶ୍ୟକ ଅଛି ବୋଲି ଆଚାର୍ଯ୍ୟ କହିଥିଲେ  । ମୂଖ୍ୟବକ୍ତା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ କବି ସୁରେଶ କୁମାର ନାୟକ ସମାଜର ନିମ୍ନ ସ୍ତରରେ ଅତ୍ୟନ୍ତ ଅସହାୟ ଭାବରେ ବସବାସ କରୁଥିବା ସାଧାରଣ ମାନଙ୍କର ସ୍ୱର ସହିତ କବିତା ଜଡିତ ହୋଇପାରିଲେ କବି ସିଦ୍ଧିପ୍ରାପ୍ତ ହୋଇପାରିବେ ବୋଲି କହିଥିଲେ  । ସଭାପତି ଶ୍ରୀମତୀ ମହାପାତ୍ର ସଭାପତିତ୍ୱ ଅଭିଭାଷଣରେ କହିଥିଲେ କବିତା ହେଉଛି ମାନବ ସମାଜର ସହଯାତ୍ରୀ ଓ ସବୁ ଯୁଗରେ ମଣିଷ ସହିତ କବିତା ଘନିଷ୍ଟ ଭାବରେ ଯୋଡି ହୋଇ କାଳଖଣ୍ଡ ଅତିକ୍ରମ କରିଥାଏ ବୋଲି କହିଥିଲେ  । ଓଡିଶା ସାହିତ୍ୟ ଏକାଡେମୀର ପୁରସ୍କୃତ କବି ପିତାମ୍ବର ତରାଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ କବିତା ହେଉଛି ଆତ୍ମାର ଆହାର ବୋଲି କହିଥିଲେ  ।