ରକ୍ଷଣାବେକ୍ଷଣ ଅଭାବ : ଜରାଜୀର୍ଣ୍ଣ ଅବସ୍ଥାରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର
ବୌଦ୍ଧ : ବୌଦ୍ଧ ଜିଲ୍ଲା ସଦର ମହକୁମା ସ୍ଥିତ ବୌଦ୍ଧ- କିଆକଟା ବି୍ରଜଛକ ଠାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରଟି ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଯାହାଫଳରେ ପରିସରଟି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି । ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରଟି ଗତ ଜୁଲାଇ ମାସ ୧ ତାରିଖ ଠାରୁ ବନ୍ଦ ହୋଇ ପଡିଛି । ଯାହାର ସୁଯୋଗ ନେଇ ମଦ୍ୟପ ଓ ନିଶାଡ୍ଡୀମାନେ ଏଠାରେ ସେମାନଙ୍କର ଆସର ଜମାଉଛନ୍ତି ।
ପ୍ରକାଶ ଯେ, ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସୁବିଧା କେନ୍ଦ୍ରମାନ ନିର୍ମାଣ କରିଥିଲେ । ସେହିପରି ବୌଦ୍ଧ ସହର ବୌଦ୍ଧ-କିଆକଟା ମହାନଦୀ ସେତୁ ନିକଟରେ ୫୭ ନମ୍ବର ଜାତୀୟ ରାଜପଥ କଡରେ ପ୍ରାୟ ଏକ କୋଟି ତିରିଶ ଲକ୍ଷ ଟଙ୍କା ବ୍ୟୟରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଥିଲା । ଏହାକୁ ୨୦୧୮ ଜୁଲାଇ ୩୧ ତାରିଖରେ ଉଦ୍ଘାଟନ ହୋଇଥିଲା । ଏହି କେନ୍ଦ୍ରରେ ଯାତ୍ରୀମାନେ ବିଶ୍ରାମ ନେବା ସହିତ ପାନୀୟ ଜଳ, ଲେଟିନ ଓ ବାଥରୁମର ବ୍ୟବସ୍ଥା ରହିଥିଲା । ଯାହାଫଳରେ ଯାତ୍ରୀମାନ ଆସି ସାଙ୍ଗରେ ଆଣିଥିବା ଖାଦ୍ୟ ଖାଇ କିଛି ସମୟ ଏଠାରେ ବିଶ୍ରାମ ନେଇ ଚାଲିଯାଇଥାନ୍ତି । ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରଟି ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯାଉଥିଲା । ଜାତୀୟ ରାଜପଥ କଡରେ ରହିଥିବାରୁ ପ୍ରତିଦିନ ଶହଶହ ଗାଡି ମଟର ଏହି ରାସ୍ତାଦେଇ ଯାଉଥିବା ସମୟରେ ଯାତ୍ରୀମାନେ ଏଠାରେ ଆସି କିଛି ସମୟ ବିଶ୍ରାମ ନେଉଥିଲେ । ବୌଦ୍ଧ- କିଆକଟା ସେତୁ ଦକ୍ଷିଣ ଓଡିଶା ସହିତ ପଶ୍ଚିମ ଓଡିଶାର ସମ୍ବଲପୁର, ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ, ରାଉଲକେଲା, ବରଗଡକୁ ସଂଯୋଗ କରୁଥିବା ବେଳେ ଓ ଦକ୍ଷିଣ ଓଡିଶା ସହିତ ଉତ୍ତର ଓଡିଶାର କେନ୍ଦୁଝରକୁ ସଂଯୋଗ କରୁଛି । ସେହିପରି ଢେଙ୍କାନାଳ, ଅନୁଗୁଳ ଆଦି ଜିଲ୍ଲାକୁ ଦୂରତ୍ୱ ଦୃଷ୍ଟିରୁ କମ ହୋଇଥାଏ । ଯାହାଫଳରେ ଲୋକମାନେ ବୌଦ୍ଧ ଜିଲ୍ଲା ଦେଇ ଯିବା ଆସିବା କରିଥାନ୍ତି ଏବଂ ଏଠାରେ ଅନେକ ଯାତ୍ରୀ ବିଶ୍ରାମ କରିଥାନ୍ତି । ବର୍ତ୍ତମାନ ଏହା ବନ୍ଦ ରହିଥିବାରୁ ଯାତ୍ରୀମାନେ ଏହାର ସୁବିଧା ପାଇବାରୁ ବଞ୍ଚôତ ହେଉଛନ୍ତି । ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ସେଠାରେ ଏକ ମିନି ପାର୍କ ମଧ୍ୟ ଥିଲା । ହେଲେ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଉଭୟ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଓ ମିନି ପାର୍କଟି ନଷ୍ଟ ହେବାକୁ ବସିଲାଣି । ଏ ନେଇ ପୂର୍ତ୍ତ ବିଭାଗ ଅଧିକ୍ଷଣଯନ୍ତ୍ରୀଙ୍କୁ ପଚାରିବାରୁ ସରକାରଙ୍କ ନିଦେ୍ର୍ଦଶ ମୁତାବକ ମିଶନଶକ୍ତି ବିଭାଗକୁ ହସ୍ତାନ୍ତର କରାଯାଇଛି । ମିଶନ ଶକ୍ତି ଡିପିସି ଙ୍କୁ ପଚାରିବାରୁ ଏହାର ପରିଚାଳନା କିପରି କରାଯିବ ସେଥିପାଇଁ ଅନୁସାଙ୍ଗିକ ବ୍ୟବସ୍ଥା ଓ ଗାଇଡ ଲାଇନ ସ୍ପଷ୍ଟ ହୋଇ ନ ଥିବା ପ୍ରକାଶ କରିଛନ୍ତି ।