ରଥ ଉପରେ ଶ୍ରୀଜୀଉଙ୍କ 'ଶ୍ରୀ ରଘୁନାଥ ବେଶ'
କେନ୍ଦ୍ରାପଡ଼ା : ତୁଳସୀ କ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବାହୁଡା ଯାତ୍ରା ସଂପନ୍ନ ହେଇଛି । ମଙ୍ଗଳବାର ଶ୍ରୀଜୀଉ ମାନଙ୍କ ଦୁର୍ଲ୍ଲଭ ଶ୍ରୀ ରଘୁନାଥ ବେଶ ହେବାପରେ ବିଳମ୍ବିତ ରାତିରେ ମୁଖ୍ୟ ମନ୍ଦିରକୁ ଶ୍ରୀ ବଳଦେବଜୀଉ ସାନଭାଇ ଶ୍ରୀ ଜଗନ୍ନାଥ ଓ ଭଉଣୀ ସୁଭଦ୍ରା ପହଣ୍ଡି ବିଜେ କରି ମନ୍ଦିର ପ୍ରବେଶ କରିଥିବା ଜଣାପଡିଛି । ଗତକାଲି ସଂନ୍ଧ୍ୟା ସୁଦ୍ଧା ବ୍ରହ୍ମ ତାଳଧ୍ୱଜ ରଥ ମୁଖ୍ୟ ମନ୍ଦିର ଚକଡାରେ ଲାଗିବା ପରେ ରଥ ଉପରେ ଦିଅଁ ମାନଙ୍କ ସମସ୍ତ ନୀତିକାନ୍ତି କରା ଯାଇଥିଲା । ମଙ୍ଗଳବାର ରଥ ଉପରେ ଦିଅଁ ମାନଙ୍କ ନିତ୍ୟ ପୂଜା ବିଧି ଅନୁଷ୍ଠିତ ହେବାପରେ ଦିବା ୧୦ ଘଟିକା ସମୟରେ ଶ୍ରୀ ରଘୁନାଥ ବେଶ ପାଇଁ ସମସ୍ତ ପ୍ରକାର ଆୟୋଜନ କରାଯାଇଥିଲା । ରୂପାର କିରିଟ କୁଣ୍ଡଳ, ଧନୁତୀର ସହ ସମସ୍ତ ପ୍ରକାର ଅଳଙ୍କାର ଦିଅଁ ମାନଙ୍କୁ ସଜ୍ଜିତ କରାଯାଇ ଅପରାହ୍ନ ପ୍ରାୟ ୨ଟା ସମୟରେ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ଦିଅଁ ମାନଙ୍କୁ ସଜ୍ଜିତ କରାଯାଇ ଥିଲା । ଏହି ବେଶ ଦେଖିବା ପାଇଁ କେନ୍ଦ୍ରାପଡା ସହର ସମେତ ଆଖପାଖ ଗ୍ରାମ ଏବଂ ଦୂର ଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ ରଥଦାଣ୍ଡ ରେ ସମବେତ ହୋଇଥିଲେ । ବିଳମ୍ବିତ ରାତିରେ ଧାଡି ପହଣ୍ଡିରେ ଦିଅଁ ମାନେ ମନ୍ଦିର ପ୍ରବେଶ କରି ସିଂହାସନ ଆରୂଢ ହୋଇଥିଲେ । ସେଠାରେ ମହାସ୍ନାନ କରାଯାଇ ଦୈନନ୍ଦିନ ନୀତି ସଂପନ୍ନ କରାଯିବା ସହ ବଡସିଂହାର ବେଶ କରାଯାଇଥିବା ଜଣାପଡିଛି । ପହଣ୍ଡି ଦର୍ଶନ କରିବାକୁ ଅସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇ ଥିବା ଜଣାପଡିଛି ।