ପଲ୍ଲିଶ୍ରୀ ମେଳା ଉଦ୍ୟାପିତ
ପୁରୀ : ପୁରୀ ହୋଟେଲ ସମ୍ମୁଖସ୍ଥ ବେଳାଭୂମିରେ ଗତ ମାସ ୨୫ ତାରିଖ ଠାରୁ ଜିଲ୍ଳା ପ୍ରଶାସନ ଓ ଓରମାସ ପକ୍ଷରୁ ଆରମ୍ଭ ହୋଇଥିବା ପଲ୍ଲୀଶ୍ରୀ ମେଳା ମଙ୍ଗଳବାର ଦିନ ଉଦ୍ୟାପିତ ହୋଇଛି । ଉଦ୍ୟାପନୀ ଅବସରରେ ଜିଲ୍ଳାପାଳ ଚଞ୍ଚଳ ରାଣା ଯୋଗଦାନ କରି ଏହି ମେଳା ମାଧ୍ୟମରେ ଆମର ଗ୍ରାମୀଣ ଶିଳ୍ପ ଓ କଳାକାରମାନେ କେବଳ ସେମାନଙ୍କ ପ୍ରତିଭାକୁ ପ୍ରଦର୍ଶନ କରୁନାହାନ୍ତି ବରଂ ଏଥିସହିତ ଆର୍ଥିକ ଅଭିବୃଦ୍ଧି ମଧ୍ୟ କରୁଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରନିର୍ବାହୀ ଅଧିକାରୀ ଅଭିମନୁ୍ୟ ବେହେରା, ସଦର ବିଡ଼ିଓ ସମ୍ବିତ ଶତପଥୀ, ଓରମାସ ଡ଼େପୁଟି ସି.ଇ.ଓ ଜିତେନ୍ଦ୍ର କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଭଲ ବ୍ୟବସାୟ ପାଇଁ ହସ୍ତଶିଳ୍ପୀ ଗୋବର୍ଦ୍ଧନ ସାହୁ, ସୁନ୍ଦର ଭାବେ ଷ୍ଟଲ ପ୍ରଦର୍ଶନ ବା ସଜ୍ଜା ପାଇଁ ପଶ୍ଚିମବଙ୍ଗର ସଞ୍ଚାରୀ ଦେ ବୋଷ, ଶ୍ରେଷ୍ଠ ଇନୋଭେଟିବ୍ ଉତ୍ପାଦ ପାଇଁ ସୁନ୍ଦରଗଡ଼ର ଜୀବିକା ସଞ୍ଚୟ ପ୍ରଡ଼କ୍ସନ ଗ୍ରୁପ୍, ଶ୍ରେଷ୍ଠ ପ୍ରତିଯୋଗୀ ଭାବେ କନ୍ଧମାଳର ଖଣ୍ଢେଇଶୁଣି ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସର୍ବାଧିକ ବିକ୍ରୀ ପାଇଁ ବରଗଡ଼ର ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଜିଲ୍ଳାପାଳ ସମ୍ବର୍ଦ୍ଧିତ କରିଥିଲେ । ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ପୁରୀ ପୌରପାଳିକା, ୱାଟକ, ଟିପିସିଓଡ଼ିଏଲ୍, ସଂସ୍କୃତି ଅଧିକାରୀ ଓ ଅଗ୍ନିଶମ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
 
 Rasmita Behera
                                    Rasmita Behera                                 
    
 
    
 
 
 
