କାରଖାନା ବର୍ଜ୍ୟବସ୍ତୁ ଯୋଗୁଁ ବଢୁଛି ପ୍ରଦୂଷଣ
କେନ୍ଦୁଝର: ସହରର ବିଭିନ୍ନ ସ୍ଥାନରେ କାରଖାନାର ବର୍ଜ୍ୟବସ୍ତୁ ସହରର ବିଭିନ୍ନ ସ୍ଥାନରେ ପଡୁଥିବାରୁ ପରିବେଶ ପ୍ରଦୂଷିତ ହେଉଛି । କେତେକ ବେସରକାରୀ ଲୋକ ଘର କାମ ପାଇଁ ଶସ୍ତାରେ ବିଭିନ୍ନ ଲୋକଙ୍କ ଜରିଆରେ କାରଖାନା ବର୍ଜ୍ୟବସ୍ତୁ ଆଣି ବ୍ୟବହାର କରୁଛନ୍ତି । ଏହା ବ୍ୟତିତ ସରକାରୀ କାମରେ ମାଟି, ମୋରମ, ବାଲି ବଦଳରେ କଳାଗୁଣ୍ଡ ଆଣି ବ୍ୟବହାର କରାଯାଉଥିବାରୁ ପରିବେଶ ପ୍ରଦୂଷିତ ହେଉଛି । ଅନ୍ୟ କେତେକ ସ୍ଥାନରେ ସରକାରୀ ଏବଂ ଦେବୋତ୍ତର ଜମିରେ ମଧ୍ୟ ଏହି ବର୍ଜ୍ୟବସ୍ତୁ ପକାଯାଇ ପୋତାଯାଉଛି । କେତେକ ସ୍ପଞ୍ଜ କାରଖାନାର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବ୍ୟବସ୍ଥା ନଥିବାବେଳେ ତାକୁ ରଖିବା ପାଇଁ ଆବଶ୍ୟକ ଜାଗାର ଅଭାବ ରହିଛି । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ କର୍ତ୍ତୃପକ୍ଷ କେତେକ ବାହାର ଠିକାଦାରଙ୍କ ଜରିଆରେ ଏହାକୁ କେନ୍ଦୁଝର ସହର ଏବଂ ଆଖପାଖ ଅଞ୍ଚଳକୁ ବେଆଇନ ଭାବେ ବିକ୍ରି କରୁଛନ୍ତି । ହାଇୱା ଗାଡି ପ୍ରତି ୩୫୦୦ ଟଙ୍କାରେ ବିକ୍ରି କରାଯାଉଛି । ସହରର ମାଧପୁର, ଟିକରଗୁମୁରା, କରଞ୍ଜିଆ ବସଷ୍ଟାଣ୍ଡ ନିକଟରେ ସରକାରୀ ଏବଂ ବେସରକାରୀ ଜମିରେ ବହୁ ପରିମାଣର କଳାଗୁଣ୍ଡ ପଡି ମାଟି ପୋତା ଯାଉଛି । ଫଳରେ ବାୟୁ ଏବଂ ଜଳ ପ୍ରଦୂଷଣ ହେଉଛି । ଟିକରଗୁମୁରାରେ ରାସ୍ତା ପାଶ୍ୱର୍ ଜମିରେ କାରଖାନା ବର୍ଜ୍ୟବସ୍ତୁ ପକାଯାଇ ରାସ୍ତା କରାଯାଉଛି । କେନ୍ଦୁଝର ସହର ଏବଂ ଆଖପାଖ ଅଞ୍ଚଳରେ ବର୍ଜ୍ୟବସ୍ତୁ ପଡୁଥିବାରୁ ଚାଷ ଜମି ନଷ୍ଟ ହେଉଛି ଏବଂ ମର୍ତ୍ତିକାର ଉର୍ବରତା ନଷ୍ଟ ହେଉଛି । ବର୍ଷାପାଣିରେ ଏହି କଳା ବର୍ଜ୍ୟବସ୍ତୁ ଧୋଇ ହୋଇ ନିକଟସ୍ଥ ପୋଖରୀ, ଚାଷ ଜମି, ନାଳରେ ମିଶୁଥିବାରୁ ଜଳ ଓ ମୂର୍ତ୍ତିକା ପ୍ରଦୂଷିତ ହେଉଛି । ଫଳରେ ଏହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରି ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଂଚଳିକ କାର୍ଯ୍ୟାଳୟକୁ ଜଣାଇ ତୁରନ୍ତ କଳାଗୁଣ୍ଡକୁ ହଟାଇବା ସହ ଏହି କାର୍ଯ୍ୟରେ ନିୟୋଜିତ ଠିକାଦାର ଏବଂ କାରଖାନା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ନେବାକୁ ଦାବି ହୋଇଛି । କଳାଗୁଣ୍ଡ ପକାଉଥିବା ଠିକାଦାର ଆଦିତ୍ୟ ସୋଲାଙ୍କିଙ୍କ ସହ ଯୋଗାଯୋଗ କରିବାରୁ ହାଇୱା ଗାଡି ପ୍ରତି ୩୫୦୦ ଟଙ୍କା ନେଇ ପକାଉଥିବା କହିଛନ୍ତି । ଏ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଇଂ. ପ୍ରଶାନ୍ତ କରଙ୍କ ସହ ଯୋଗଯୋଗ କରିବାରୁ କାରଖାନା ବର୍ଜ୍ୟବସ୍ତୁ ବାହାରେ ନ ପକାଇବା ପାଇଁ ସମସ୍ତ କମ୍ପାନୀକୁ ଚିଠି କରାଯାଇ ତାଗିଦ୍ କରାଯାଇଛି । ଯେଉଁ କମ୍ପାନୀ ବାହାରେ ପକାଉଥିବ ତାହା ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।